Book Photograph: (google)
ନୂଆଦିଲ୍ଲୀ: ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମ୍ଏମ୍ ନରବଣେଙ୍କର ଏକ ଅପ୍ରକାଶିତ ପୁସ୍ତକ ପ୍ରସାର ହେବା ଘଟଣାରେ ଦିଲ୍ଲୀ ପୁଲିସ ଆଜି ଏକ ଏତଲା ରୁଜୁ କରିଛି। ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସ୍ବୀକୃତି ବିନା ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ ପ୍ରସାର କରାଯାଇଛି ବୋଲି କର୍ତ୍ତୃପକ୍ଷମାନେ ଜାଣିବା ପରେ ଉକ୍ତ ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ସମାନ ଟାଇଟଲ ଥିବା ଏକ ‘ପ୍ରି-ପ୍ରିଣ୍ଟ୍’ ପିଡିଏଫ୍ କପି କିଛି ୱେବସାଇଟ୍ରେ ଉପଲବ୍ଧ ଅଛି। ପେଙ୍ଗୁଇନ ରୢାଣ୍ଡମ ହାଉସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ଏହା ପ୍ରସ୍ତୁତ ହୋଇଥିବା କୁହାଯାଉଛି। ତଦନ୍ତକାରୀ ଦଳ ଜାଣିଛନ୍ତି ଯେ, କିଛି ଅନଲାଇନ ମାର୍କେଟିଂ ଓ ରିଟେଲ ପ୍ଲାଟଫର୍ମ ପୁସ୍ତକର କଭର୍କୁ ଏଭଳି ଭାବେ ଦେଖାଇଛନ୍ତି ଯେ, ଯେମିତି ଏହା ବିକ୍ରି ପାଇଁ ଉପଲବ୍ଧ ହୋଇଛି।
ଅଧିକାରୀମାନେ କହିଛନ୍ତି, ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରାଯାଇଛି। ଏହାଦ୍ବାରା କପିରାଇଟ୍ ଉଲ୍ଳଂଘନ ଏବଂ ବେଆଇନ ବଣ୍ଟନ ହେବାର ସମ୍ଭାବନା ରହିଛି। ଉକ୍ତ ପ୍ରସଙ୍ଗର ସମ୍ବେଦନଶୀଳତାକୁ ବିଚାରକୁ ନେବାପରେ ଏହି ଘଟଣାରେ ଔପଚାରିକ ଭାବେ ଏକ ମାମଲା ରୁଜୁ ହୋଇଛି ଏବଂ ମାମଲାର ତଦନ୍ତ ଭାର ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ସେଲ୍କୁ ହସ୍ତାନ୍ତର କରାଯାଇଛି। ଏହି ମାମଲାର ତଦନ୍ତ ପରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ପୁଲିସ କହିଛି। ଉଲ୍ଲେଖଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରାଳୟର ସ୍ବୀକୃତି ବିନା କିଭଳି ପୁସ୍ତକ ଛପାଗଲା ବୋଲି ପ୍ରଶ୍ନ ଉଠିବା ପରେ ଦିଲ୍ଲୀ ପୁଲିସ ଏହି ଘଟଣାରେ ଏତଲା ରୁଜୁ କରିଛି।
Follow Us