ଚତୁର୍ଥ ପର୍ଯ୍ୟାୟରେ ୬୪% ମତଦାନ

Advertisment

ପଶ୍ଚିମବଂଗରେ ହିଂସା ସତ୍ତ୍ବେ ସର୍ବାଧିକ ୭୬.୫୯ ପ୍ରତିଶତ ମତଦାନ oକେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ବିରୋଧରେ ଏଫ୍‌ଆଇଆର୍‌ oସିଆର୍‌ପିଏଫ୍‌ ଯବାନଙ୍କ ଫାଙ୍କା ଗୁଳିଚାଳନା

ପଶ୍ଚିମବଂଗରେ ହିଂସା ସତ୍ତ୍ବେ ସର୍ବାଧିକ ୭୬.୫୯ ପ୍ରତିଶତ ମତଦାନ oକେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ବିରୋଧରେ ଏଫ୍‌ଆଇଆର୍‌ oସିଆର୍‌ପିଏଫ୍‌ ଯବାନଙ୍କ ଫାଙ୍କା ଗୁଳିଚାଳନା

ଚତୁର୍ଥ ପର୍ଯ୍ୟାୟରେ ୬୪% ମତଦାନ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ୯ଟି ରାଜ୍ୟର ୭୨ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୬୪ ପ୍ରତିଶତ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ୯୬୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି। ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ ସନ୍ଧ୍ୟା ୭ଟା ସୁଦ୍ଧା ବିହାରରେ ୫୮.୯୨ ପ୍ରତିଶତ, ଜମ୍ମୁ କଶ୍ମୀରରେ ୯.୭୯ ପ୍ରତିଶତ, ମଧ୍ୟପ୍ରଦେଶରେ ୬୬.୬୮ ପ୍ରତିଶତ, ମହାରାଷ୍ଟ୍ରରେ ୫୫.୮୫ ପ୍ରତିଶତ, ଓଡ଼ିଶାରେ ୬୪.୦୫ ପ୍ରତିଶତ, ରାଜସ୍ଥାନରେ ୬୬.୭୫ ପ୍ରତିଶତ, ଉତ୍ତର ପ୍ରଦେଶରେ ୫୬.୭୯ ପ୍ରତିଶତ, ପଶ୍ଚିମବଂଗରେ ୭୬.୫୯ ପ୍ରତିଶତ ଏବଂ ଝାଡ଼ଖଣ୍ଡରେ ୬୩.୭୭ ପ୍ରତିଶତ ମତଦାନ ହୋଇଛି। କେବଳ ପଶ୍ଚିମବଂଗକୁ ବାଦ୍‌ଦେଲେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନ୍ୟ ୮ଟି ରାଜ୍ୟରେ ଶାନ୍ତିପୂର୍ଣ୍ଣ ଥିଲା। ପଶ୍ଚିମବଂଗର ଆସନସୋଲ୍‌ ଏବଂ ବୀରଭୂମ ଅଂଚଳରେ ଆଜି ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ଆସନସୋଲ୍‌ରେ ୯ଟି ସ୍ଥାନରେ ଟିଏମ୍‌ସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ୧୨ ଜଣ ଆହତ ହୋଇଛନ୍ତି। ଆସନସୋଲ୍‌ର ଏକ ବୁଥ୍‌ରୁ ବିଜେପି ଏଜେଣ୍ଟ୍‌ଙ୍କୁ ଟିଏମ୍‌ସି ସମର୍ଥକମାନେ ଉଠାଇ ନେବା ପରେ ବୁଥ୍‌ ପରିସରରେ ସଂଘର୍ଷ ହୋଇଥିଲା। ଆଉ ଏକ ବୁଥ୍‌ ନିକଟରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ କାର୍‌କୁ ଟିଏମ୍‌ସି କର୍ମୀମାନେ ଭଙ୍ଗାରୁଜା କରିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ବୁଥ୍‌ରେ ବଳପୂର୍ବକ ପ୍ରବେଶ କରିଥିବା ଏବଂ ପୋଲିଂ କର୍ମଚାରୀଙ୍କୁ ଧମକାଇଥିବା ଅଭିଯୋଗ ମିଳିବା ପରେ ବାବୁଲ ସୁପ୍ରିୟୋଙ୍କ ବିରୋଧରେ ମଧ୍ୟ ଏଫ୍‌ଆଇଆର୍‌ ରୁଜୁ କରିବାକୁ ନିର୍ବାଚନ କମିସନ ପଶ୍ଚିମବଂଗ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁବାରପୁର ଅଂଚଳରେ ଦୁଇଟି ବୁଥ୍‌ରେ ସିଆର୍‌ପିଏଫ୍‌ ଯବାନ ଫାଙ୍କା ଗୁଳି ଚାଳନା କରି ଭୋଟର୍‌ଙ୍କୁ ଭୟଭୀତ କରିଥିବା ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀକୁ ଗୁଳି ଚଳାଇବାକୁ ଅଧିକାର କିଏ ଦେଲା ବୋଲି ମମତା ପ୍ରଶ୍ନ କରିବା ସହ ଏ ନେଇ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। କେନ୍ଦ୍ରୀୟ ସୁରକ୍ଷା ବାହିନୀର ଗୁଳିମାଡ଼ରେ ୨ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଥିବାରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଉତ୍ତରପ୍ରଦେଶର କନୌଜ ଲୋକସଭା କ୍ଷେତ୍ରରେ ଅନେକ ବୁଥ୍‌ରେ ଇଭିଏମ୍‌ ଖରାପ୍‌ ଥିବା ଜଣାପଡ଼ିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟା ସମାଧାନ ହୋଇଥିଲା। ତେବେ ଜାଣିଶୁଣି ଏହି ଅଂଚଳକୁ ଖରାପ୍‌ ଇଭିଏମ୍‌ ପଠାଯାଇଥିବା ସମାଜବାଦୀ ପାର୍ଟି ଅଭିଯୋଗ କରିଛି।
publive-imageଚତୁର୍ଥ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ,ଏସ୍‌ଏସ୍‌ ଆଲୁୱାଲିଆ, ବାବୁଲ ସୁପ୍ରିୟୋ, ଗଜେନ୍ଦ୍ର ସିଂହ ଶେଖାୱତ, ପି.ସି. ଚୌଧାରୀ, ଡ. ସୁଭାଷ ଭାମ୍‌ରେ, ସୁଦର୍ଶନ ଭଗତ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ, ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ବିଜେପି ବିହାର ୟୁନିଟ୍‌ ମୁଖ୍ୟ ନିତ୍ୟାନନ୍ଦ ରାୟ ଆର୍‌ଏଲ୍‌ଏସ୍‌ପି ମୁଖ୍ୟ ଉପେନ୍ଦ୍ର କୁଶୱାହ ଏବଂ ଜେଏନ୍‌ୟୁର ପୂର୍ବ ଛାତ୍ରନେତା କହ୍ନେୟା କୁମାର ଅଛନ୍ତି।
ଚତୁର୍ଥ ପର୍ଯ୍ୟାୟକୁ ମିଶାଇ ଲୋକସଭାର ୫୪୩ ଆସନରୁ ୩୭୫ ଆସନରେ ଭୋଟ୍‌ ଗ୍ରହଣ ସରିଛି। ପ୍ରଥମ ପର୍ଯ୍ୟାୟରେ ୯୧, ଦ୍ବିତୀୟ ପର୍ଯ୍ୟାୟରେ ୯୫ , ତୃତୀୟ ପର୍ଯ୍ୟାୟରେ ୧୧୭ ଏବଂ ଚତୁର୍ଥ ପର୍ଯ୍ୟାୟରେ ୭୨ ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା। ପଂଚମ ପର୍ଯ୍ୟାୟ ମତଦାନ ମେ’ ୬ ତାରିଖରେ ଅନୁଷ୍ଠିତ ହେବ। ଆଜି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଥିଲା ଏବଂ ଏଥିରେ ୨.୭ ଲକ୍ଷ ଅର୍ଦ୍ଧସାମରିକ ବାହିନୀ ଯବାନ, ୨୦ ଲକ୍ଷ ରାଜ୍ୟ ପୁଲିସ କର୍ମୀ ଏଥିରେ ନିୟୋଜିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe