ଜେରୁଜେଲମ୍: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଶନିବାର କହିଥିଲେ ଯେ ସମସ୍ତ ୋଦଶ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିଦେବା ଆବଶ୍ୟକ। ଏସବୁ ଇସ୍ରାଏଲ ଗାଜାରେ ବ୍ୟବହାର କରୁଛି। ଏହାପରେ ନେତାନ୍ୟାହୁ କହିଥିଲେ ଯେ ଏଭଳି କହିବା ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଲଜ୍ଜିତ ହେବା ଉଚିତ୍ ଥିଲା। ଦୁଇଦେଶ ମୁଖ୍ୟଙ୍କ ଆରୋପ ପ୍ରତ୍ୟାରୋପ ଯୋଗୁ ଫ୍ରାନ୍ସ ଏବଂ ଇସ୍ରାଏଲ ମଧ୍ୟରେ କୂଟନୈତିକ ବିବାଦ ସୃଷ୍ଟି ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହାକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଫ୍ରାନ୍ସାର ସହାୟତା ବିନା ଆମେ ମଧ୍ୟ ଯୁଦ୍ଧରେ ଜିତିବୁ।
ଅକ୍ଟୋବର ୭ରେ ହମାସ ଦ୍ୱାରା ହୋଇଥିବା ଏହି ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି ଯେ ଯୁଦ୍ଧ କରୁଥିବା ଦଳ ମଧ୍ୟରେ ଏକ ରାଜନୈତିକ ସମାଧାନ ପାଇଁ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବା ଆବଶ୍ୟକ। ମାକ୍ରୋନ୍ ବ୍ରଡକାଷ୍ଟର ଫ୍ରାନ୍ସ ଇଣ୍ଟରକୁ କହିଛନ୍ତି, ମୁଁ ଭାବୁଛି ଆଜିର ସମୟର ପ୍ରାଥମିକତା ହେଉଛି ଆମେ ଏକ ରାଜନୈତିକ ସମାଧାନକୁ ଫେରିବା। ଗାଜାରେ ଯୁଦ୍ଧ କରିବା ପାଇଁ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବା ଜରୁରୀ।
ସପ୍ତାହେ ପୂର୍ବରୁ ରେକର୍ଡ ହୋଇଥିବା ସାକ୍ଷାତକାରରେ ଫ୍ରାନ୍ସ ରାଷ୍ଟ୍ରପତି କହିଥିଲେ, ଫ୍ରାନ୍ସ ଅସ୍ତ୍ରଶସ୍ତ୍ର ବିତରଣ କରୁନାହିଁ। ମାକ୍ରୋନ୍ ଗାଜା ସଙ୍କଟକୁ ନେଇ ନିଜର ଚିନ୍ତାଧାରାକୁ ଦୋହରାଇ ଏହି ଅଞ୍ଚଳରେ ତୁରନ୍ତ ଅସ୍ତ୍ରବିରତି କରିବାକୁ କହିଥିଲେ। ସେ କହିଥିଲେ ମୁଁ ଅନୁଭବ କରୁଛି, ଆମକୁ କିଛି ଶୁଣାଯାଉ ନାହିଁ। ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି ମୁଁ ଭାବୁଛି ଏହା ଏକ ଭୁଲ, ଯେଉଁଥିରେ ଇସ୍ରାଏଲର ସୁରକ୍ଷା ମଧ୍ୟ ଜଡିତ ଅଛି। ଏହି ବିବାଦ ଘୃଣା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଲେବାନନ୍ରେ ଉତ୍ତେଜନା ହ୍ରାସ କରିବା ଏକ ପ୍ରାଥମିକତା ହେବା ଉଚିତ୍। ଲେବାନନ ନୂତନ ଗାଜା ହୋଇପାରିବ ନାହିଁ।
ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ମାକ୍ରୋନଙ୍କ ମନ୍ତବ୍ୟର ଜବାବ ଦେବାକୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଏକ ଭିଡିଓ ବିବୃତି ଜାରି କରିଛନ୍ତି। ଶନିବାର ସନ୍ଧ୍ୟାରେ ଅଂଶୀଦାର ହୋଇଥିବା ଏକ ବିବୃତିରେ ମାକ୍ରୋନଙ୍କ ମନ୍ତବ୍ୟକୁ ନେତାନ୍ୟାହୁ ଅପମାନଜନକ ବୋଲି କହିଛନ୍ତି। ସେ କହିଛନ୍ତି ସଭ୍ୟତାର ଶତ୍ରୁ ବିରୁଦ୍ଧରେ ଇସ୍ରାଏଲ୍ ସାତୋଟି ମୋର୍ଚ୍ଚାରେ ନିଜର ସୁରକ୍ଷା କରୁଛି। ଗାଜା, ଲେବାନନ୍, ୱେଷ୍ଟବ୍ୟାଙ୍କ, ୟେମେନ, ସିରିଆ, ଇରାକ ଏବଂ ଇରାନକୁ ସୂଚିତ କରି ସେ ଏହା କହିଛନ୍ତି। ଇରାନ ନେତୃତ୍ୱାଧୀନ ବର୍ବର ବାହିନୀ ବିରୋଧରେ ଇସ୍ରାଏଲ୍ ଲଢୁଥିବାବେଳେ ସମସ୍ତ ସଭ୍ୟ ଦେଶ ନିଶ୍ଚିତ ଭାବରେ ଇସ୍ରାଏଲର ପ୍ରତିରକ୍ଷା ପାଇଁ ଛିଡା ହେବେ।
ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ପରିବହନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆବଶ୍ୟକତା ଉପରେ ପ୍ରତିକ୍ରିୟା ଦେଇ ନେତାନ୍ୟାହୁ ପ୍ରଶ୍ନ କରିଛନ୍ତି, ଇରାନ ଏହାର ପ୍ରକ୍ସି ଉପରେ ଏହି ପ୍ରକାର ଅସ୍ତ୍ରଶସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଉଛି କି ନାହିଁ। ସେ କହିଛନ୍ତି, ଆତଙ୍କବାଦ ଏକତ୍ର ଠିଆ ହୋଇଛି। କିନ୍ତୁ ଏହି ଆତଙ୍କବାଦକୁ ବିରୋଧ କରୁଥିବା ଦେଶମାନେ ଇସ୍ରାଏଲ ଉପରେ ଅସ୍ତ୍ରଶସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି। ଏହା କେତେ ଲଜ୍ଜାଜନକ!। ସେମାନଙ୍କ ସମର୍ଥନ ସହିତ କିମ୍ବା ବିନା ଇହୁଦୀ ରାଜ୍ୟ ଜିତିବ। ଯୁଦ୍ଧ ଜିତିବା ପରେ ସେମାନଙ୍କୁ ଅଧିକ ଲଜ୍ଜା ଲାଗିବ ବୋଲି ସେ କହିଛନ୍ତି।
ନେତାନ୍ୟାହୁଙ୍କ କ୍ରୋଧିତ ଭାଷଣର ଉତ୍ତରରେ ଫ୍ରାନ୍ସର ରାଷ୍ଟ୍ରପତି କାର୍ଯ୍ୟାଳୟ କହିଛି ଯେ ମାକ୍ରୋନ୍ ଇସ୍ରାଏଲର ସୁରକ୍ଷାକୁ ସମର୍ଥନ କରନ୍ତି। କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଇସ୍ରାଏଲର ସୁରକ୍ଷା ପ୍ରତି ଫ୍ରାନ୍ସର ପ୍ରତିବଦ୍ଧତା ବିଷୟରେ ମାକ୍ରୋନ୍ ବ୍ୟକ୍ତିଗତ ଭାବରେ କହିଛନ୍ତି ବୋଲି କାର୍ଯ୍ୟାଳୟ ପକ୍ଷରୁ ବିବୃତିରେ କୁହାଯାଇଛି।
ଫ୍ରାନ୍ସ ଇରାନ କିମ୍ବା ଏହାର କୌଣସି ପ୍ରକ୍ସିଙ୍କୁ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଅନୁମତି ଦେବ ନାହିଁ ଏବଂ ଯଦି ସେମାନେ ବଳ ପ୍ରୟୋଗ କରନ୍ତି ତେବେ ଆମେ ସର୍ବଦା ଇସ୍ରାଏଲ ସହିତ ରହିବୁ। ଆମକୁ କୂଟନୈତିକ ସମାଧାନକୁ ଫେରିବାକୁ ପଡିବ ବୋଲି ମାକ୍ରୋନଙ୍କ କାର୍ଯ୍ୟାଳୟ କହିଛି। କାର୍ଯ୍ୟାଳୟ କହିଛି ଫ୍ରାନ୍ସ ଇସ୍ରାଏଲର ଜଣେ ଭଲ ବନ୍ଧୁ ଏବଂ ନେତାନ୍ୟାହୁଙ୍କ ମନ୍ତବ୍ୟ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛି।
Follow Us