ଚରମପନ୍ଥୀଙ୍କ ଟାର୍ଗେଟ୍‌ରେ ଫ୍ରାନ୍ସ: ସୁରକ୍ଷା କଡ଼ାକଡ଼ି, ଅଭିବ୍ୟକ୍ତିର ଅଧିକାର ସଙ୍କୁଚିତ ହେବନାହିଁ

Advertisment
ଚରମପନ୍ଥୀଙ୍କ ଟାର୍ଗେଟ୍‌ରେ ଫ୍ରାନ୍ସ: ସୁରକ୍ଷା କଡ଼ାକଡ଼ି, ଅଭିବ୍ୟକ୍ତିର ଅଧିକାର ସଙ୍କୁଚିତ ହେବନାହିଁ

ପ୍ୟାରିସ୍‌: ଇସ୍‌ଲାମିକ ଆତଙ୍କବାଦ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ଫ୍ରାନ୍ସ ବି‌ରୋଧରେ ଏବେ ମୁସ୍‌ଲିମ ରାଷ୍ଟ୍ରଗୁଡ଼ିକରେ ପ୍ରବଳ ଆକ୍ରୋଶ ଦେଖିବାକୁ ମିଳିଛି। ଫ୍ରାନ୍ସ ବିଶ୍ବବ୍ୟାପୀ ମୁସ୍‌ଲିମ ଚରମପନ୍ଥୀଙ୍କ ଟାର୍ଗେଟରେ ରହିଛି ଏବଂ ଆମେ ଧାର୍ମିକ ସ୍ବାଧୀନତାକୁ ଆଦୌ ବିପର୍ଯ୍ୟସ୍ତ ହେବାକୁ ଦେବୁନାହିଁ ନାହିଁ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ଘୋଷଣା କରିଛନ୍ତି। ଫ୍ରାନ୍ସରେ ଇସ୍‌ଲାମର ଚରମପନ୍ଥୀମାନେ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରି ହିଂସା ଭିଆଇବା ଏବଂ ଦେଶକୁ ଏହି ହିଂସାର ଜାଲକୁ ଟାଣିନେବା ପାଇଁ ବଡ଼ ଷଡ଼ଯନ୍ତ୍ର କରିଛନ୍ତି ଏବଂ ଏହାକୁ ପଣ୍ଡ କରିବା ପାଇଁ ଆମେ ସବୁ ପ୍ରୟାସ କରିବୁ ବୋଲି ମାକ୍ରନ୍‌ କହିଛନ୍ତି। ନିସ୍‌ର ଚର୍ଚ୍ଚରେ ହୋଇଥିବା ଆକ୍ରମଣ ଇସ୍‌ଲାମିକ ଚରମପନ୍ଥୀଙ୍କ ଏକ ଯୋଜନାବଦ୍ଧ ପ୍ରୟାସ ଥିଲା ଏବଂ ପୂରା ଫ୍ରାନ୍ସକୁ ମୁସ୍‌ଲିମ ଜଗତରେ ଟାର୍ଗେଟ୍‌ର କେନ୍ଦ୍ରବିନ୍ଦୁ କରିବା ପାଇଁ ଅହରହ ଷଡ଼ଯନ୍ତ୍ର ଚାଲିଛି ବୋଲି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜୋଁ କାସ୍ତେକ୍ସ କହିଛନ୍ତି। ଫ୍ରାନ୍ସର ବିଭିନ୍ନ ସହରରେ ଧାର୍ମିକ ସ୍ଥଳଗୁଡ଼ିକ ଉପରେ ଆକ୍ରମଣ ପାଇଁ ଇସ୍‌ଲାମିକ ଆତଙ୍କବାଦୀ ସକ୍ରିୟ ଥିବାରୁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦକ୍ଷିଣ ଫ୍ରାନ୍ସରେ କରୋନାର ଦ୍ବିତୀୟ ଲହର ‌ଯୋଗୁଁ ଆଜିଠାରୁ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏହି ଲକ୍‌ଡାଉନ୍‌ରେ ସରକାରୀ କାର୍ଯ୍ୟାଳୟ, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଏବଂ କେତେକ କାରଖାନା ଖୋଲା ରହିବ ଏବଂ ଅନ୍ୟ ସବୁକିଛି ବନ୍ଦ ରହିବ। ରାତିରେ ମଧ୍ୟ କର୍ଫ୍ୟୁ ବଳବତ୍ତର ରହିବ। ଲକ୍‌ଡାଉନ୍‌ ସମୟରେ ଧାର୍ମିକ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି।

ଅନ୍ୟପକ୍ଷରେ ଫ୍ରାନ୍ସ ବିରୋଧୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିବା ଇସ୍‌ଲାମିକ ଚରମପନ୍ଥୀଙ୍କୁ କେତେକ ରାଷ୍ଟ୍ରର ସମର୍ଥନ ଏବେ ମାମଲାକୁ ଜଟିଳ କରିଛି। ଫ୍ରାନ୍ସ ସାମଗ୍ରୀ ବର୍ଜନ ପାଇଁ ପାକିସ୍ତାନ, ତୁର୍କୀ ଭଳି ମୁସ୍‌ଲିମ ରାଷ୍ଟ୍ରମାନଙ୍କ ଆହ୍ବାନକୁ ନେଇ ମୁସ୍‌ଲିମ ଜଗତରେ ଦ୍ବନ୍ଦ୍ବ ଉପୁଜୁଛି। ସାଉଦି ଆରବ ଏଭଳି ପଦକ୍ଷେପକୁ ବିରୋଧ କରିଛି। ଫ୍ରାନ୍ସ ଇସ୍‌ଲାମକୁ ଅସମ୍ମାନ କରୁଥିବା ଅଭିଯୋଗ ଆଣି ଅନେକ ଗୋଷ୍ଠୀ ଉଗ୍ର ଆନ୍ଦୋଳନ ଆରମ୍ଭ କରିଥିବ ବେଳେ ଫ୍ରାନ୍ସ କିନ୍ତୁ ଏ ସବୁ ଅଭିଯୋଗକୁ ଖଣ୍ଡନ କରିଛି। ଫ୍ରାନ୍ସ ସବୁ ଧର୍ମକୁ ସମ୍ମାନ ଦେଉଛି ଏବଂ ଏହା ଲୋକଙ୍କ ଅଭିବ୍ୟକ୍ତିର ଅଧିକାରକୁ ମଧ୍ୟ ସୁରକ୍ଷିତ ରଖିବାକୁ ପ୍ରୟାସ କରୁଛି ବୋଲି ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe