ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ

Advertisment
ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ

ପ୍ୟାରିସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ୍‌ କ୍ରସ ଅଫ୍‌ ଦି ଲିଜିଅନ୍ ଅଫ୍‌ ଅନର’ ପ୍ରଦାନ କରାଯାଇଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଫ୍ରାନ୍ସର ଏହି ସମ୍ମାନ ପାଇଛନ୍ତି। ଅତୀତରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲା, ୱେଲ୍ସର ତତ୍କାଳୀନ ପ୍ରିନ୍ସ କିଙ୍ଗ ଚାର୍ଲସ, ଜର୍ମାନୀର ପୂର୍ବତନ ଚାନସେଲର ଆଞ୍ଜେଲା ମର୍କେଲ, ଜାତିସଂଘର ପୂର୍ବତନ ମହାସଚିବ ବୁଟ୍ରସ ଘାଲି ପ୍ରମୁଖ ଖ୍ୟାତନାମା ବ୍ୟକ୍ତିଙ୍କୁ ଉକ୍ତ ସମ୍ମାନ ମିଳିଛି।

ଉକ୍ତ ସମ୍ମାନ ପାଇବା ଫଳରେ ମୋଦୀଙ୍କ ଅନ୍ତର୍ଜାତୀୟ ସମ୍ମାନ ତାଲିକାରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ି ହୋଇଛି। ଚଳିତବର୍ଷ ଜୁନରେ ମୋଦୀ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ ଦି ନାଇଲ, ମେ’ ରେ ପପୁଆ ନ୍ୟୁ ଗିନିର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ ଲୋଗୋହୁ ଏବଂ ଫିଜିର କମ୍ପାନିଅନ ଅଫ ଦି ଅର୍ଡର, ପଲାଉର ଇବାକଲ ଆୱାର୍ଡ ପାଇଛନ୍ତି। ପୂର୍ବରୁ ୨୦୨୧ରେ ଭୁଟାନର ଡ୍ରକ ଗ୍ୟାଲପୋ, ୨୦୨୦ରେ ଆମେରିକାର ଲିଜିଅନ ଅଫ୍ ମେରିଟ, ୨୦୧୯ରେ ବାହାରିନର କିଙ୍ଗ୍‌ ହମାଦ ଅର୍ଡର ଅଫ୍‌ ଦି ରେନେସାଁ ସମ୍ମାନରେ ମୋଦୀ ସମ୍ମାନିତ ହୋଇଥିଲେ। ଏହାବ୍ୟତୀତ ଅନ୍ୟାନ୍ୟ ପୁରସ୍କାର ମଧ୍ୟ ପାଇଛନ୍ତି। ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଥିବା ମୋଦୀ ‌ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ବାସ୍ତିଲ ଡେ ପରେଡ (ଫ୍ରାନ୍ସର ଜାତୀୟ ଦିବସ)ରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇଛନ୍ତି।

ଏଥିସହ ପ୍ରଧାନମନ୍ତ୍ରୀ ଏହି ଦୁଇଦିନରେ ଫ୍ରାନ୍ସର ଅନ୍ୟାନ୍ୟ ନେତୃବୃନ୍ଦ, ଭାରତୀୟ ସମୁଦାୟ, ପ୍ରମୁଖ କମ୍ପାନିର ସିଇଓ ଏବଂ ଖ୍ୟାତନାମା ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଫ୍ରାନ୍ସ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଦ୍ବିପାକ୍ଷିକ ସହଯୋଗିତାକୁ ଏହା ନୂଆ ବଳ ଯୋଗାଇବ। ମାକ୍ରନଙ୍କ ସହିତ ଆଲୋଚନା ବେଳେ ଦ୍ବିପାକ୍ଷିକ ପ୍ରତିରକ୍ଷା ସଂପର୍କ ଉପରେ ଦୁଇ ନେତା ସର୍ବାଧିକ ଗୁରୁତ୍ବ ଦେବେ ବୋଲି ଆଶା ରହିଛି। ଚଳିତବର୍ଷ ଭାରତ-ଫ୍ରାନ୍ସ ରଣନୈତିକ ସହଯୋଗିତାକୁ ୨୫ ବର୍ଷ ପୂରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe