ଲକ୍‌ଡାଉନ୍‌ ବେଳେ ଅନୁମତି ଦେବାରେ ଦୁର୍ନୀତି, ବାଧ୍ୟତାମୂଳକ ଛୁଟିରେ ମହାରାଷ୍ଟ୍ର ପ୍ରମୁଖ ସଚିବ ଅମିତାଭ ଗୁପ୍ତା

Advertisment
ଲକ୍‌ଡାଉନ୍‌ ବେଳେ ଅନୁମତି ଦେବାରେ ଦୁର୍ନୀତି, ବାଧ୍ୟତାମୂଳକ ଛୁଟିରେ ମହାରାଷ୍ଟ୍ର ପ୍ରମୁଖ ସଚିବ ଅମିତାଭ ଗୁପ୍ତା

ମୁମ୍ବାଇ,: ଲକ୍‌ଡାଉନ୍‌ରେ ମସ୍ତି କରିବାକୁ ଅନୁମତି ଦେଇଥିବାରୁ ମହାରାଷ୍ଟ୍ର ଗୃହବିଭାଗର ସ୍ୱତନ୍ତ୍ର ପ୍ରମୁଖ ସଚିବ ତଥା ଆଇପିଏସ୍‌ ଅଧିକାରୀ ଅମିତାଭ ଗୁପ୍ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଦେଇଛି ଉଦ୍ଧବ ଠାକ୍‌ରେ ସରକାର। ବିଶ୍ୱମହାମାରୀ କୋଭିଡ୍‌-୧୯ କବଳରୁ ବର୍ତ୍ତିଯିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଥିବା ବେଳେ ଡିଏଚ୍‌ଏଫ୍‌ଏଲ୍‌ ଗ୍ରୁପ୍‌ର ମାଲିକ ୱାଧୱାନ୍‌ ପରିବାରକୁ ବଣଭୋଜି ଓ ମଉଜମସ୍ତି କରିବା ପାଇଁ ଏହି ଅଧିକାରୀ ଅନୁମତି ଦେଇଥିଲେ। ୱାଧୱାନ ପରିବାର ଖଣ୍ଡାଲାରୁ ମହାବଳେଶ୍ୱର ଯିବାକୁ ଅନୁମତି ପାଇ ଅଗ୍ରସର ହେଉଥିବା ବେଳେ ଧରାପଡିଥିଲେ। ମାମଲାର ତଦନ୍ତ ତଥା ଶୁଣାଣି ସରିବା ପର୍ଯ୍ୟନ୍ତ ଶ୍ରୀ ଗୁପ୍ତା ଛୁଟିରେ ରହିବେ। ଏ କଥା ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ଶୁକ୍ରବାର ଟ୍ୱିଟ୍‌ କରି ଜଣାଇଛନ୍ତି। ୨୩ ଜଣିଆ ୱାଧ୍‌ୱାନ୍‌ ପରିବାରକୁ ଲକ୍‌ଡାଉନ୍‌ ଅବମାନନା ଦୋଷ ପାଇଁ ଆନୁଷ୍ଠାନିକ ସଙ୍ଗରୋଧରେ ରଖିଦେଇଛି ମହାବଳେଶ୍ୱର ପୁଲିସ୍‌। ଏନ୍‌ସିପି ମୁମ୍ବାଇର ମୁଖ୍ୟ ନୱାବ ମାଲିକ୍‌ ଶୁକ୍ରବାର କହିଛନ୍ତି ଯେ ଏ ଘଟଣାର ସରଜମିନ୍‌ ତଦନ୍ତ ହେବ ଏବଂ ଏକଥା ମୁଖ୍ୟମନ୍ତ୍ରୀଙ୍କୁ ଗୃହମନ୍ତ୍ରୀ ଜଣାଇ ସାରିଛନ୍ତି।

ଏ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନଭିସ୍‌ ଟ୍ୱିଟ୍‌ କରି କହିଛନ୍ତି, ‘‘ପ୍ରଭାବଶାଳୀ ଓ ଧନଶାଳୀ ଲୋକଙ୍କ ପାଇଁ କ’ଣ ଲକ୍‌ଡାଉନ୍‌ ଲାଗୁ ନୁହେଁ? ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଛୁଟି କଟାଇବା ପାଇଁ ଏକ ବିତ୍ତଶାଳୀ ପରିବାରକୁ ସରକାରୀ ଅନୁମତି ଦେବାର ବଡ ଭୁଲ୍‌ ପାଇଁ ପରିଣତି ଭୋଗିବେ।’’ ଅନ୍ୟ ଏକ ଟ୍ୱିଟ୍‌ରେ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଠାରୁ ଏକ ସ୍ଫଷ୍ଟୀକରଣ ମାଗିଛନ୍ତି। ମୁଖ୍ୟ ଶାସନସଚିବ ଅଜୟ ମେହତା ମଧ୍ୟ ଏହି କାଣ୍ଡକୁ ଏକ ଦୋଷ ବୋଲି ଦର୍ଶାଇଛନ୍ତି। ଦଣ୍ଡିତ ଅଧିକାରୀ ଅମିତାଭ ଗୁପ୍ତା କହିଛନ୍ତି ଯେ ଏହା ତାଙ୍କର ଏକ ଭୁଲ୍‌ ଥିଲା। ତେବେ ସେହି ଅନୁମତିପତ୍ର ଉପର ମହଲର ଇସାରାରେ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe