ପୁଣେ: ଜାଲିଆତି, କ୍ଷମତାର ଅପବ୍ୟବହାର ଆଦିକୁ ନେଇ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଦକର ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି) ପରୀକ୍ଷା ପାଇଁ ଦାଖଲ କରିଥିବା ଜାତିଗତ ପ୍ରମାଣପତ୍ରରେ ମଧ୍ୟ ଜାଲିଆତି କରି ନିଜକୁ ‘ଗରିବବର୍ଗ’ ବୋଲି ଦର୍ଶାଇଥିବା ଜଣାଯିବା ପରେ ପୂଜାଙ୍କ ନାମରେ ସଂରକ୍ଷଣ ନିମନ୍ତେ ଦାଖଲ ହୋଇଥିବା ଓବିସି ଓ ଭିନ୍ନକ୍ଷମ ପ୍ରମାଣପତ୍ର ଜାଲିଆତି ଅଭିଯୋଗର ତଦନ୍ତ ଜାରି ରହିଛି। ପୂର୍ବରୁ ଏମ୍ବିବିଏସ୍ ନିମନ୍ତେ ମଧ୍ୟ ପୂଜା ନିଜକୁ ଗରିବ ଦର୍ଶାଇ ପ୍ରମାଣପତ୍ର ଦାଖଲ କରିଥିଲେ ବୋଲି ଜଣାପଡ଼ିଛି।
ମହାରାଷ୍ଟ୍ର ଆସୋସିଏସନ୍ ଅଫ୍ ମ୍ୟାନେଜ୍ମେଣ୍ଟ ଅଫ୍ ଅନ୍ଏଇଡେଡ୍ ପ୍ରାଇଭେଟ୍ ମେଡିକାଲ୍ ଆଣ୍ଡ୍ ଡେଣ୍ଟାଲ୍ କଲେଜ (ଏଏମ୍ୟୁପିଏମ୍ଡିସି) ଦ୍ବାରା ଆୟୋଜିତ ପ୍ରବେଶିକା ପରୀକ୍ଷାରେ ପୂଜା ୨୦୦ରୁ ୧୪୬ ନମ୍ବର ରଖିଥିଲେ। ଏହାପରେ ପୁଣେର ଏକ ମେଡିକାଲ କଲେଜରେ ୨୦୦୭ରେ ସେ ନାମ ଲେଖାଇଥିଲେ। ଏହି ସମୟରେ ଦାଖଲ କରିଥିବା ଜାତିଗତ ପ୍ରମାଣପତ୍ରରେ ନିଜକୁ ସଂରକ୍ଷିତ ଯାଯାବର(ବଞ୍ଜାରା) ଅନୁସୂଚିତ ଜନଜାତି- ପର୍ଯ୍ୟାୟ-୩ ବର୍ଗର ଗରିବ ବୋଲି ଦର୍ଶାଇଥିଲେ। ଏନେଇ ସୂଚନା ଦେଇ ମେଡିକାଲ୍ କଲେଜର ନିର୍ଦ୍ଦେଶକ ଅରବିନ୍ଦ ଭୋରେ କହିଛନ୍ତି, ପୂଜା ଉକ୍ତ ମେଡିକାଲ୍ କଲେଜର ପ୍ରଥମ ବ୍ୟାଚ୍ର ଛାତ୍ରୀଥିଲେ।
Follow Us