Business Today
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନସାଧାରଣଙ୍କୁ ଭୋଟ୍ ପାଇଁ ମାଗଣା ପ୍ରଲୋଭନ ସଂସ୍କୃତି ବିରୋଧରେ ସତର୍କ କରାଇ ଦେଇଛନ୍ତି। ଭୋଟ୍ ପାଇଁ ଯେଉଁ ରାଜନୈତିକ ଦଳମାନେ ବିଭିନ୍ନ ମାଗଣା ଲୋଭ ଦେଖାଇ ଭୋଟ୍ ହାସଲ ନିମନ୍ତେ ଚେଷ୍ଟା କରୁଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଟାର୍ଗେଟ୍ କରିଛନ୍ତି। ଏଭଳି ମାଗଣା ସଂସ୍କୃତିକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଆହ୍ବାନ ଦେଇଛନ୍ତି। ଆଜି ଉତ୍ତରପ୍ରଦେଶରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍ୱେ ଉଦ୍ଘାଟନ କରିବା ଅବସରରେ ମୋଦୀ କହିଛନ୍ତି, ଲୋକଙ୍କୁ ମାଗଣା ସଂସ୍କୃତିରେ ଫସାଇବା ଦେଶର ବିକାଶ ପାଇଁ ବିପଦ। ଏହି ପ୍ରଲୋଭନରେ ନ ପଡ଼ିବାପାଇଁ ମୋଦୀ ଜନସାଧାରଣଙ୍କୁ ସତର୍କ କରିଛନ୍ତି। ବିଭିନ୍ନ ରାଜନୈତିକ ଦଳ ଭୋଟ୍ ହାତେଇବା ପାଇଁ ମାଗଣା ସାମଗ୍ରୀର ଲାଳସା ଦେଖାଉଛନ୍ତି। ମୋଦୀ କହିଛନ୍ତି, ଜନସାଧାରଣ ଏବଂ ବିଶେଷ କରି ଯୁବଗୋଷ୍ଠୀ ଏ ନେଇ ସତର୍କ ରହିବା ଉଚିତ। ଆଜି ଉଦ୍ଘାଟନ ହୋଇଥିବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଦ୍ବାରା ଚିତ୍ରକୁଟରୁ ଦିଲ୍ଲୀକୁ ଦୂରତା ୩-୪ ଘଣ୍ଟା କମିଯିବ। ଏହି ଏକ୍ସପ୍ରେସୱେ ସମଗ୍ର ବୁନ୍ଦେଲଖଣ୍ଡରେ ଦ୍ରୁତ ଶିଳ୍ପ ବିକାଶ ଆଣିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମାଗଣା ସଂସ୍କୃତି ବୟାନକୁ କେଜ୍ରିୱାଲଙ୍କ ବିରୋଧ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଗଣା ସଂସ୍କୃତି ଟିପ୍ପଣୀକୁ ବିରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତତ୍କ୍ଷଣାତ ବୟାନ ଜାରି କରିବା ବେଶ୍ ଚର୍ଚ୍ଚାରେ ରହିଛି। ନିର୍ବାଚନ ସମୟରେ ତତ୍କାଳ ଫାଇଦା ପାଇଁ ବିଭିନ୍ନ ‘ମାଗଣା’ ପ୍ରଲୋଭନକୁ ବିରୋଧ କରି ପ୍ରଧାନମନ୍ତ୍ରୀ ବୟାନ ଦେଇଥିବା ବେଳେ କେଜ୍ରିୱାଲ ଏହାକୁ ମାଗଣା ଶିକ୍ଷା ଓ ସ୍ବାସ୍ଥ୍ୟସେବା ସହ ଯୋଡ଼ିଛନ୍ତି। କେଜ୍ରିୱାଲ କହିଛନ୍ତି, ‘ମୋ ବିରୋଧରେ ଅଭିଯୋଗ ଅଣାଯାଉଛି, କିନ୍ତୁ ମୁଁ ପଚାରିବାକୁ ଚାହୁଛି ମୋର ଭୁଲ୍ କେଉଁଠି। ଦିଲ୍ଲୀ ସରକାରୀ ସ୍କୁଲରେ ୧୮ ଲକ୍ଷ ଛାତ୍ର ପାଠ ପଢ଼ୁଛନ୍ତି। ଆାମେ ସେମାନଙ୍କୁ ମାଗଣା ଶିକ୍ଷା ଦେଉଛୁ। ତେବେ ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେଇ ମୁଁ କ’ଣ ଅପରାଧ କରୁଛି କି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ୧୯୪୭ ଏବଂ ୧୯୫୦ରେ ଏହା ହେବାର ଥିଲା। ଆମେ ଦେଶର ମୁଳଦୁଆ ଗଢ଼ୁଛୁ ବୋଲି କେଜ୍ରିୱାଲ କହିଛନ୍ତି।
Follow Us