Image Courtesy of India Today
ଜୟପୁର: ରାଜ୍ୟ ଅମଲାତନ୍ତ୍ର ଉପରେ କ୍ରୋଧ ପ୍ରକାଶ କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କର ଘନିଷ୍ଠ ସହଯୋଗୀ ତଥା ମନ୍ତ୍ରୀ ଅଶୋକ ଚାନ୍ଦନା ଇସ୍ତଫା ଦେବା ପାଇଁ ଚାହିଁଛନ୍ତି।
ଏ ସଂକ୍ରାନ୍ତରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କୁ ଟୁଇଟ୍ କରି ମନ୍ତ୍ରୀ ଅଶୋକ ଚାନ୍ଦନା ନିବେଦନ କରିଛନ୍ତି ଯେ, ତାଙ୍କୁ ସମସ୍ତ ମନ୍ତ୍ରୀ ପଦବୀରୁ ମୁକ୍ତ କରି ସମସ୍ତ ବିଭାଗ ଗେହଲଟ୍ଙ୍କ ପ୍ରମୁଖ ସଚିବ କୁଳଦୀପ ରାଙ୍କାଙ୍କୁ ଦିଆଯାଉ।
ହିନ୍ଦୀ ଭାଷାରେ ଟୁଇଟ୍ କରି ଚାନ୍ଦନା ଲେଖିଛନ୍ତି: ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ, ଆପଣଙ୍କୁ ବ୍ୟକ୍ତିଗତ ଅନୁରୋଧ କରେ କି, ମତେ ଏହି ଲଜ୍ଜାଜନକ ମନ୍ତ୍ରୀ ପଦରୁ ମୁକ୍ତ କରି ମୋର ସମସ୍ତ ବିଭାଗର ଦାୟିତ୍ବ କୁଳଦୀପ ରାଙ୍କାଙ୍କୁ ଦେଇ ଦିଆଯାଉ। କାରଣ, ସେମିତିରେ ବି ସେ ସବୁ ବିଭାଗର ମନ୍ତ୍ରୀ ଅଟନ୍ତି।
ସୂଚନାଯୋଗ୍ୟ, ବୁନ୍ଦିର ବିଧାୟକ ଚାନ୍ଦନା ରାଜସ୍ଥାନର କ୍ରୀଡ଼ା ଓ ଯୁବ ବ୍ୟାପାର, ଦକ୍ଷତା ବିକାଶ, କର୍ମସଂସ୍ଥାନ, ଉଦ୍ୟୋଗିତା ଏବଂ ବିପର୍ଯ୍ୟୟ ପରିଚାଳନା ଏବଂ ରିଲିଫ୍ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି।
Image Courtesy of NDTVଚାନ୍ଦନାଙ୍କ ଟୁଇଟ୍ରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି, ଏଭଳି କଥା ପ୍ରତି ଗୁରୁତ୍ବ ଦିଆଯିବା ଅନୁଚିତ।
ଆଜି ସକାଳେ ସାମ୍ବାଦିକମାନଙ୍କୁ ଗେହଲଟ୍ କହିଛନ୍ତି, ଅଶୋକ ଚାନ୍ଦନା ଅତି ଉତ୍ତମ ମନ୍ତ୍ରୀ। ନିକଟ ଅତୀତରେ ସେ ଗୋଟାଏ ବଡ଼ କ୍ରୀଡ଼ା ପ୍ରତିଯୋଗିତା କରାଇଥିଲେ। ତାଙ୍କ ଉପରେ ଗୁଡ଼ାଏ ଦାୟିତ୍ବ ରହିଛି। କୌଣସି କାରଣରୁ ବିବ୍ରତ ହୋଇ ହୁଏ ତ ସେ କିଛି କହି ଦେଇଛନ୍ତି। ଏ କଥା ପ୍ରତି ଗୁରୁତ୍ବ ଦିଆ ନ ଯିବା ଉଚିତ।
ଏ ବିଷୟରେ ମୁଁ ତାଙ୍କ ସହିତ ଖୁବ୍ ଶୀଘ୍ର କଥାବାର୍ତ୍ତା କରିବି। ତାଙ୍କ ସହିତ କଥାବାର୍ତ୍ତା କରି ନ ଥିବାରୁ ମୁଁ ଘଟଣା ବିଷୟରେ କିଛି ଜାଣିନାହିଁ ବୋଲି ଗେହଲଟ୍ କହିଛନ୍ତି।
Follow Us