ରୋମ୍‌ରେ ସାକ୍ଷାତ୍‌ ପରେ ହିନ୍ଦୀରେ ଟୁଇଟ୍‌ କଲେ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି; ଫରାସୀରେ ଟୁଇଟ୍‌ କଲେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ

ରୋମ୍‌ରେ ସାକ୍ଷାତ୍‌ ପରେ ହିନ୍ଦୀରେ ଟୁଇଟ୍‌ କଲେ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି; ଫରାସୀରେ ଟୁଇଟ୍‌ କଲେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of India Today

ନୂଆଦିଲ୍ଲୀ: ରୋମ୍‌ରେ ଚାଲିଥିବା ‘ଜି୨୦ ଶିଖର ସମ୍ମିଳନୀ’ ଅବସରରେ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ ହିନ୍ଦୀ ଭାଷାରେ ଟୁଇଟ୍‌ କରି ଭାରତ-ଫ୍ରାନ୍‌ସ୍‌ ସମ୍ପର୍କର ମହତ୍ତ୍ୱ ଦର୍ଶାଇଥିଲେ। ଏହାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଫରାସୀ ଭାଷାରେ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ।

ହିନ୍ଦୀ ଭାଷାରେ ଟୁଇଟ୍‌ କରି ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ମାକ୍ରୋନ୍‌ ଲେଖିଥିଲେ, ଭାରତ ସହିତ ପରିବେଶ, ସ୍ୱାସ୍ଥ୍ୟ ଏବଂ ନୂତନ ପରିବର୍ତ୍ତନ ଭଳି କ୍ଷେତ୍ରରେ ଆମର ଉଦ୍ଦେଶ୍ୟ ପ୍ରସଙ୍ଗରେ ଆଲୋଚନା କଲୁ। ଏସବୁର ସଫଳ ପରିଣାମ, ବିଶେଷକରି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ନିମନ୍ତେ ଆମେ ଏକତ୍ର କାର୍ଯ୍ୟ କରିବୁ।

ଅନ୍ୟ ପକ୍ଷରେ, ଅନେକ କ୍ଷେତ୍ରରେ ଭାରତ ଓ ଫ୍ରାନ୍‌ସ୍‌ ମଧ୍ୟରେ ସହଯୋଗିତା ସୁଦୃଢ଼ କରିବା ପ୍ରସଙ୍ଗରେ କରିଥିବା ଆଲୋଚନା କଥା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଫରାସୀ ଭାଷାରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ରୋମ୍‌ରେ ବନ୍ଧୁ ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ଙ୍କୁ ଭେଟି ଆନନ୍ଦିତ ହେଲି। ବିଭିନ୍ନ କ୍ଷେତ୍ରରେ ସହଯୋଗିତା ସୁଦୃଢ଼ କରିବା ଏବଂ ଜନତାଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧି ଥିଲା ଆମ ଆଲୋଚନାର ମୁଖ୍ୟ ପ୍ରସଙ୍ଗ।


ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ସୂଚନା ଦେଇ କହିଛି ଯେ, ‘ଜି୨୦ ଶିଖର ସମ୍ମିଳନୀ’ ଅବସରରେ ଦୁଇ ନେତାଙ୍କ ଆଲୋଚନା ଫଳପ୍ରସୂ ହୋଇଛି। ବିଭିନ୍ନ କ୍ଷେତ୍ରରେ ଭାରତ ଓ ଫ୍ରାନ୍‌ସ୍‌ ବ୍ୟାପକ ସହଯୋଗ କରୁଛନ୍ତି। ଆଜିର ଆଲୋଚନା ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ତ୍ୱରାନ୍ଵିତ କରିବ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଓ ଫ୍ରାନ୍‌ସ୍‌ ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ ବିଭିନ୍ନ କ୍ଷେତ୍ରରେ ଭାରତ-ଫ୍ରାନ୍‌ସ୍‌ ସହଯୋଗିତା ପ୍ରସଙ୍ଗରେ ଆଲୋଚନା କରିବା ସହ ସାମରିକ ଅଂଶୀଦାରିତା କ୍ଷେତ୍ରରେ ହୋଇଥିବା ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇଥିଲେ।

ଇଟାଲିର ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘିଙ୍କ ଆମନ୍ତ୍ରଣକ୍ରମେ ରୋମ୍‌ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ଙ୍କୁ ଭେଟିବା ବେଳେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ।

ଭାରତ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ମାକ୍ରୋନ୍‌ଙ୍କୁ ନିମନ୍ତ୍ରଣ କରିଥିବା କଥା ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗ୍‌ଲା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe