ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ନୃଶଂସ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଭାରତ ସୀମାପାର ଆତଙ୍କବାଦକୁ ସମର୍ଥନ କରିବା ପାଇଁ ଦାୟୀ ପାକିସ୍ତାନ ବିରୋଧରେ ଅନେକ ଦୃଢ଼ କୂଟନୈତିକ ଓ ରଣନୈତିକ ପ୍ରତିଶୋଧ ଆରମ୍ଭ କରିଛି। ଏହି ହତ୍ୟାକାଣ୍ଡକୁ ଭାରତର ଶାନ୍ତି ଓ ପ୍ରଗତି ଉପରେ ସିଧାସଳଖ ଆକ୍ରମଣ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକଙ୍କୁ ଖୋଜି ବାହାର କରି ଦଣ୍ଡିତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (ସିସିଏସ୍)ର ଉଚ୍ଚସ୍ତରୀୟ ସମୀକ୍ଷା ପରେ ଭାରତ ଏହି ଆକ୍ରମଣର ସୀମାପାର ଲିଙ୍କ୍ର ଜବାବରେ ଏ ପର୍ଯ୍ୟନ୍ତ ଘୋଷଣା କରିଥିବା ବିଭିନ୍ନ ପଦକ୍ଷେପ...
ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ
ଭାରତ ତୁରନ୍ତ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛି। ସୀମାପାର ଆତଙ୍କବାଦକୁ ପାକିସ୍ତାନ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ଏହି ନିଲମ୍ବନ ବଳବତ୍ତର ରହିବ ବୋଲି ସରକାର କହିଛନ୍ତି। ଆଜି ମଧ୍ୟ ସରକାର ଏ ବାବଦରେ ବିସ୍ତୃତ ସମୀକ୍ଷା କରି ପାକିସ୍ତାନ ଯେଭଳି ଭବିଷ୍ୟତରେ ବୁନ୍ଦାଏ ବି ସିନ୍ଧୁ ଜଳ ପାଇବ ନାହିଁ ସେଥିପାଇଁ ତିନି ସୂତ୍ରୀ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅଟାରିରେ ସମନ୍ୱିତ ଚେକ୍ ପୋଷ୍ଟ ବନ୍ଦ
ଭାରତ ଅଟାରିରେ ଥିବା ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟକୁ ବନ୍ଦ କରି ଦେଇଛି, ଯାହାଦ୍ୱାରା ଦ୍ୱିପାକ୍ଷିକ ଗମନାଗମନ ବନ୍ଦ ହୋଇଯାଇଛି। ଯେଉଁମାନେ ବୈଧ କାଗଜପତ୍ର ସହ ପୂର୍ବରୁ ଆସିଛନ୍ତି ସେମାନଙ୍କୁ ମେ ୧ ପୂର୍ବରୁ ଫେରିବାକୁ ଅନୁମତି ଦିଆଯାଇଛି।
ପାକିସ୍ତାନ ପାଇଁ ସାର୍କ ଭିସା ଛାଡ଼ ବାତିଲ
ପାକ୍ ନାଗରିକଙ୍କ ପାଇଁ ସାର୍କ ଭିସା ଛାଡ଼ ଯୋଜନା (ଏସ୍ଭିଇଏସ୍) ପ୍ରତ୍ୟାହାର କରିଛି ଭାରତ। ଏସ୍ଭିଇଏସ୍ ଭିସାରେ ଭାରତରେ ଥିବା ଲୋକଙ୍କୁ ଦେଶ ଛାଡ଼ିବାକୁ ୪୮ ଘଣ୍ଟା ସମୟ ଦିଆଯାଇଛି।
ସାମରିକ ପରାମର୍ଶଦାତାମାନଙ୍କୁ ‘ଅଲୋଡ଼ା’ ଘୋଷଣା
ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନରେ ଥିବା ପ୍ରତିରକ୍ଷା, ନୌସେନା ଓ ବାୟୁସେନା ପରାମର୍ଶଦାତାଙ୍କୁ ‘ଅଲୋଡ଼ା’ (ପର୍ସନା ନନ୍ ଗ୍ରାଟା) ଘୋଷଣା କରାଯାଇ ଦେଶ ଛାଡିବାକୁ ଏକ ସପ୍ତାହ ସମୟ ଦିଆଯାଇଛି। ଇସଲାମାବାଦରୁ ମଧ୍ୟ ନିଜ ପ୍ରତିରକ୍ଷା କର୍ମଚାରୀଙ୍କୁ ପ୍ରତ୍ୟାହାର କରିବାକୁ ମଧ୍ୟ ଭାରତ ଘୋଷଣା କରିଛି।
କୂଟନୈତିକ କର୍ମଚାରୀ ହ୍ରାସ
ପାରସ୍ପରିକ କୂଟନୈତିକ ହ୍ରାସର ଏକ ଅଂଶ ଭାବରେ ମେ ୧ ସୁଦ୍ଧା ଉଭୟ ଭାରତୀୟ ଓ ପାକିସ୍ତାନ ହାଇକମିସନର କର୍ମଚାରୀ ସଂଖ୍ୟା ୫୫ରୁ ୩୦କୁ ହ୍ରାସ କରାଯିବ।
ପାକ୍ ନାଗରିକଙ୍କ ପାଇଁ ସମସ୍ତ ଭିସା ସେବା ବନ୍ଦ
ପାକିସ୍ତାନୀ ନାଗରିକଙ୍କୁ ସମସ୍ତ ଭିସା ସେବାକୁ ଭାରତ ତୁରନ୍ତ ବନ୍ଦ କରିଦେଇଛି। ମେଡିକାଲ ଭିସା ଥିବା ନାଗରିକଙ୍କୁ ଛାଡ଼ି ଦେଲେ ଏପ୍ରିଲ ୨୭ ସୁଦ୍ଧା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅଟାରୀରେ ରିଟ୍ରିଟ୍ ସମାରୋହ ହ୍ରାସ
ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ପଞ୍ଜାବର ଅଟାରି, ହୁସେନିୱାଲା ଓ ସଡକିଠାରେ ନିଜର ଆନୁଷ୍ଠାନିକ ରିଟ୍ରିଟ୍ ପ୍ରଦର୍ଶନକୁ ହ୍ରାସ କରିଛି। ବିଏସ୍ଏଫ୍ କହିଛି ଯେ ଏହି ପଦକ୍ଷେପ ସୀମାପାର ଶତ୍ରୁତାକୁ ନେଇ ଭାରତର ଗମ୍ଭୀର ଚିନ୍ତାକୁ ପ୍ରତିଫଳିତ କରୁଛି ଏବଂ ଶାନ୍ତି ଓ ଉତ୍ତେଜନା ଏକାଠି ରହିପାରିବ ନାହିଁ।
Follow Us