ଚଳିତ ମାସଠାରୁ ‘ଗଗନଯାନ’ ମହାକାଶଚାରୀଙ୍କ ପ୍ରଶିକ୍ଷଣ

୧୧ ମାସ ଧରି ରୁଷ୍‌ରେ ତାଲିମ ନେବେ ୪ ଭାରତୀୟ ମହାକାଶଚାରୀ, “ବାହୁବଳୀ” ଜିଏସଏଲଭି ମାର୍କ-ଥ୍ରୀରେ କରିବେ ମହାକାଶକୁ ଯାତ୍ରା

ଚଳିତ ମାସଠାରୁ ‘ଗଗନଯାନ’ ମହାକାଶଚାରୀଙ୍କ ପ୍ରଶିକ୍ଷଣ

english.newstracklive.com

ନୂଆଦିଲ୍ଲୀ : ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ “ଗଗନଯାନ”ର ମହାକାଶଚାରୀମାନେ ଚଳିତ ମାସ ଠାରୁ ସେମାନଙ୍କ ପ୍ରଶିକ୍ଷଣ ଆରମ୍ଭ କରିବେ। ସମ୍ଭବତଃ ଏହି ପ୍ରଶିକ୍ଷଣ ଜାନୁଆରି ତୃତୀୟ ସପ୍ତାହ ଠାରୁ ଆରମ୍ଭ ହୋଇପାରେ। ଆଜି ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଆଣବିକ ଶକ୍ତି ଓ ମହାକାଶ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଡ. ଜିତେନ୍ଦ୍ର ସିଂ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ପ୍ରଥମ ମହାକାଶ ଅଭିଯାନରେ ସାମିଲ ହେବାକୁ ଥିବା ମହାକାଶଚାରୀଙ୍କ ପ୍ରଶିକ୍ଷଣ ରୁଷ୍‌ରେ ହେବ। ଏହି ଅଭିଯାନ ପାଇଁ ୪ ଜଣ ମହାକାଶଚାରୀଙ୍କୁ ଚୟନ କରାଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, ୧୧ ମାସ ଧରି ଏହି ୪ ଜଣ ମହାକାଶଚାରୀ ପ୍ରଶିକ୍ଷଣ ନେବେ। ତେବେ, ସେମାନଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ।

ରୁଷ୍‌ରେ ୧୧ ମାସ ଧରି ତାଲିମ ନେବା ପରେ ଏହି ମହାକାଶଚାରୀମାନେ ଭାରତରେ ସ୍ବତନ୍ତ୍ର ମଡ୍ୟୁଲ ତାଲିମ ନେବେ। ଏଥିରେ ସେମାନେ ଇସ୍ରୋ ଦ୍ବାରା ଡିଜାଇନ ହୋଇଥିବା କ୍ରିଉ ଓ ସର୍ଭିସ୍‌ ମଡ୍ୟୁଲ ସମ୍ପର୍କରେ ପ୍ରଶିକ୍ଷଣ ନେବେ। ଇସ୍ରୋ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତର ସବୁଠୁ ଭାରୀ ମହାକାଶ ଉତ୍‌କ୍ଷେପଣ ଯାନ “ବାହୁବଳୀ” ଜିଏସ୍‌ଏଲ୍‌ଭି ମାର୍କ–ଥ୍ରୀ ଜରିଆରେ ମହାକାଶଚାରୀମାନେ ମହାକାଶକୁ ଯିବେ।

ଗଗନଯାନ ପ୍ରକଳ୍ପ ଲାଗି କେନ୍ଦ୍ର କ୍ୟାବିନେଟ ପୂର୍ବରୁ ୧୦ ହଜାର କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି। ଗତବର୍ଷ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ଘୋଷଣା କରିଥିଲେ। ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଗଗନଯାନ ଅଭିଯାନ ଆରମ୍ଭ କରାଯିବ। ୧୯୮୪ରେ ପ୍ରଥମ ଭାରତୀୟ ଭାବେ ରାକେଶ ଶର୍ମା ମହାକାଶ ଯାତ୍ରା କରିଥିଲେ। ତେବେ ଯେଉଁ ମହାକାଶଯାନରେ ସେ ମହାକାଶକୁ ଯାଇଥିଲେ ତାହା ଭାରତର ନଥିଲା। ତେଣୁ ପ୍ରଧାନମନ୍ତ୍ରୀଙ୍କ “ମେକ ଇନ ଇଣ୍ତିଆ” ସ୍ବପ୍ନକୁ ବାସ୍ତବରେ ପ୍ରତିଫଳିତ କରୁଥିବା “ଗଗନଯାନ” ହେବ ଭାରତ ଦ୍ବାରା କଳ୍ପିତ ଏବଂ ବିକଶିତ ପ୍ରଥମ ମାନବ ମହାକାଶ ଅଭିଯାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe