୫୨ ଜଣ ଅମରନାଥ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବା ଡ୍ରାଇଭରଙ୍କୁ ସାହସିକତା ପୁରସ୍କାର

୫୨ ଜଣ ଅମରନାଥ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବା ଡ୍ରାଇଭରଙ୍କୁ ସାହସିକତା ପୁରସ୍କାର

Image Courtesy of TOI

ସୁରତ: ଗୁଜରାଟର ଡ୍ରାଇଭର୍‌ ସଲିମ ଗଫୁର ଶେଖ୍‌ଙ୍କୁ ବୁଧବାର ଦିନ ‘ଉତ୍ତମ ଜୀବନ ରକ୍ଷକ ପଦକ’ ଦିଆ ଯାଇ ସମ୍ମାନିତ କରାଯାଇଛି। ଏହା ହେଉଛି ବେସାମରିକ କ୍ଷେତ୍ରରେ ଦିଆଯାଉଥିବା ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାହସିକତା ପୁରସ୍କାର। ଗତବର୍ଷ ଜୁଲାଇ ମାସରେ ତାଙ୍କ ବସ୍‌ରେ ଥିବା ୫୨ ଜଣ ଅମରନାଥ ଯାତ୍ରୀଙ୍କୁ ଉପସ୍ଥିତି ବୁଦ୍ଧି ଖଟାଇ ସେ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିଥିଲେ।

୨୦୧୭ ମସିହା ଜୁଲାଇ ୧୦ ତାରିଖ ସନ୍ଧ୍ୟାରେ ବସ୍‌ରେ ୬୦ ଜଣ ଯାତ୍ରୀଙ୍କୁ ନେଇ ଅମରନାଥରୁ ଫେରୁଥିବା ବେଳେ ଆତଙ୍କବାଦୀମାନେ ସେ ବସ୍‌ ଉପରକୁ ଗୁଳି ବର୍ଷଣ କରିଥିଲେ। ଗୁଳି ଖାଇ ବସ୍‌ର ଟାୟାର ପଙ୍କଚର୍‌ ହୋଇଯାଇଥିଲେ ବି ଅନ୍ଧକାର ବିପଜ୍ଜନକ ପାହାଡ଼ିଆ ରାସ୍ତାରେ ଅତି ଦ୍ରୁତ ବେଗରେ ସେ ଦୁଇ କିଲୋମିଟର୍‌ ବାଟ ବସ୍‌ ଚଳାଇ ନେଇଥିଲେ।

publive-image Image Courtesy of Rediff

ଗୋଟାଏ ସିକ୍ୟୁରିଟି ପୋଷ୍ଟ୍‍ ନିକଟରେ ବସ୍‌କୁ ପହଞ୍ଚାଇ ଅଟକି ଥିଲେ ଶେଖ୍‌। ଅନନ୍ତନାଗର ବାତେନ୍‌ଗୁ ଠାରେ ହୋଇଥିବା ଏହି ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ଆଠ ଜଣ ଯାତ୍ରୀ ନିହତ ହୋଇଥିଲେ ଏବଂ ଅନ୍ୟ ସାତ ଜଣ ଆହତ ହୋଇଥିଲେ।

ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ବୋଲି ତାଙ୍କୁ କୁହାଯିବା ପରେ ସେ କହିଥିଲେ: ଯଦି ନିହତ ଆଠ ଯାତ୍ରୀଙ୍କର ଜୀବନ ରକ୍ଷା କରି ପାରିଥାଆନ୍ତି ମୁଁ ଆହୁରି ଖୁସି ହୋଇ ଥାଆନ୍ତି।

ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ୨୦୧୭ ମସିହା ପାଇଁ ଅପୂର୍ବ ସାହସିକତା ପ୍ରଦର୍ଶନ କରିଥିବା ଦେଶର ଅନ୍ୟ ୪୩ ଜଣଙ୍କ ମଧ୍ୟରେ ବାଲସଦ୍‌ବାସୀ ୩୭ ବର୍ଷିୟ ଶେଖ୍‌ ମଧ୍ୟ ଜନରାଜ୍ୟ ଦିବସର ଅବ୍ୟବହିତ ପୂର୍ବରୁ ‘ଜୀବନ ରକ୍ଷକ ପଦକ’ ସିରିଜ୍‌ ପାଇବାକୁ ମନୋନୀତ ହୋଇଥିଲେ। ସାହସିକତା ପୁରସ୍କାର ପାଇଁ ତାଙ୍କର ନାମ ସୁପାରିସ କରାଯିବ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଗତବର୍ଷ ଘୋଷଣା କରିଥିଲେ। ତିନୋଟି ପିଲାର ବାପା ଶେଖ୍‌ ସପରିବାର ବାଲସାଦର ଅବ୍ରାମାଠାରେ ବସବାସ କରନ୍ତି।

publive-image
ବୁଧବାର ଦିନ ପୁରସ୍କାର ଘୋଷିତ ହୋଇଥିଲା। ଏଥର ୭ ଜଣ ମରଣୋତ୍ତର ‘ସର୍ବୋତ୍ତମ ଜୀବନ ରକ୍ଷା ପଦକ’, ୧୩ ଜଣ ଉତ୍ତମ ଜୀବନ ରକ୍ଷକ ପଦକ’ ଏବଂ ୨୪ ଜଣ ‘ଜୀବନ ରକ୍ଷକ ପଦକ’ ପାଉଛନ୍ତି। ‘ସର୍ବୋତ୍ତମ ଜୀବନ ରକ୍ଷା ପଦକ’ ପାଇଁ ଏକ ପ୍ରଶସ୍ତିପତ୍ର ସହ ୧ ଲକ୍ଷ ଟଙ୍କା, ‘ଉତ୍ତମ ଜୀବନ ରକ୍ଷା ପଦକ’ ବାବଦରେ ୬୦ ହଜାର ଟଙ୍କା ଓ ‘ଜୀବନ ରକ୍ଷା ପଦକ’ ପାଇଁ ୪୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ଦିଆ ଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe