ଅମିତ ଶାହାଙ୍କୁ ଭେଟିଲେ ଗମ୍ଭୀର

Advertisment
ଅମିତ ଶାହାଙ୍କୁ ଭେଟିଲେ ଗମ୍ଭୀର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର ତଥା ଆଇପିଏଲ୍‌ ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସର ପରାମର୍ଶଦାତା ଗୌତମ ଗମ୍ଭୀର ସୋମବାର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବ ଦିଲ୍ଲୀରୁ ଶାସକ ଦଳର ସାଂସଦ ଥିବା ଗମ୍ଭୀର ସଂପ୍ରତି ସକ୍ରିୟ ରାଜନୀତିରୁ ବିରତି ନେଇ ନିଜ କ୍ରିକେଟ୍‌ କୋଚିଂ କ୍ୟାରିୟର ଉପରେ ଧ୍ୟାନ ଦେଇଛନ୍ତି।

ନିକଟରେ ସମାପ୍ତ ସାଧାରଣ ନିର୍ବାଚନରେ ସଫଳତା ପାଇଁ ଗୃହମନ୍ତ୍ରୀ ଶ୍ରୀ ଶାହଙ୍କୁ ଭେଟି ସେ ଅଭିନନ୍ଦନ ଜଣାଇଛନ୍ତି। ଗୃହମନ୍ତ୍ରୀ ଭାବରେ ତାଙ୍କ ନେତୃତ୍ୱ ଆମ ଦେଶର ସୁରକ୍ଷା ଏବଂ ସ୍ଥିରତାକୁ ଆହୁରି ସୁଦୃଢ଼ କରିବ ବୋଲି ଗମ୍ଭୀର କହିଛନ୍ତି।

ଟି-୨୦ ବିଶ୍ୱକପ୍‌ ପରେ ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ତୁଲାଇବା ପାଇଁ ଦୃଢ଼ ପ୍ରାର୍ଥୀ। ଚଳିତ ପ୍ରତିଯୋଗିତା ପରେ ସେ ପଦରୁ ଇସ୍ତଫା ଦେବେ ବୋଲି ଦ୍ରାବିଡ଼ ନିଶ୍ଚିତ କରିଛନ୍ତି।

ବିସିସିଆଇ ସମ୍ପାଦକ ଜୟ ଶାହା ସମ୍ଭାବ୍ୟ ନୂତନ ନିଯୁକ୍ତି ଉପରେ କୌଣସି ଆନୁଷ୍ଠାନିକ ମନ୍ତବ୍ୟ ଦେଇନାହାଁନ୍ତି। ଅନ୍ୟପକ୍ଷରେ ଅଶୋକ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ କ୍ରିକେଟ ପରାମର୍ଶଦାତା କମିଟି (ସିଏସି) ଏପର୍ଯ୍ୟନ୍ତ କୌଣସି ଆଗ୍ରହୀ ଖେଳାଳିଙ୍କ ସାକ୍ଷାତକାର କରି ନଥିବା ଜଣାପଡ଼ିଛି।

ବିସିସିଆଇ ନିକଟସ୍ଥ ଲୋକମାନେ ବିଶ୍ୱାସ କରୁଛନ୍ତି ଯେ ଗମ୍ଭୀରଙ୍କ ନିଯୁକ୍ତି କେବଳ ଏକ ଔପଚାରିକତା। କାରଣ କୌଣସି ଉପଯୁକ୍ତ ଭାରତୀୟ ପ୍ରାର୍ଥୀ ଦିଲ୍ଲୀ ବାମହାତୀଙ୍କ ବିରୋଧ କରିିବାକୁ ନାହାନ୍ତି।

ଗମ୍ଭୀର କେକେଆର୍‌କୁ ବିଜୟୀ କରାଇବା ପରେ ତାଙ୍କୁ କୋଚ୍‌ କରିବା ପାଇଁ ଦାବି ଜୋର ଧରିଛି। ଗମ୍ଭୀର ନିକଟରେ ଦୁବାଇରେ ଏକ ପ୍ରମୋସନାଲ ଇଭେଣ୍ଟରେ ଜାତୀୟ ଦଳର ପ୍ରଶିକ୍ଷକ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe