ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରଭୁ ଶ୍ରୀଗଣେଶଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଅନେକ ସ୍ଥାନରୁ ଦୁର୍ଘଟଣାର ଖବର ଆସିଛି। ରବିବାର ବଡ଼ ଆକାରରେ ପ୍ରଭୁ ଶ୍ରୀଗଣେଶଙ୍କ ବିସର୍ଜନ କରାଯାଇଥିବା ବେଳେ ମହାରାଷ୍ଟ୍ରରୁ ୨୨ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ଶାହପୁରରେ ୫ ଜଣ ଯୁବକ ବୁଡ଼ି ଯାଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ଉତ୍ତର ମହାରାଷ୍ଟ୍ରରେ ୫ଜଣ ପ୍ରାଣ ହରାଇଛନ୍ତି। ପୁଣେରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ବିଦର୍ଭ ଅଞ୍ଚଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି।
ସୂଚନା ମିଳିଛି ଯେ, ଭସାଣି ବେଳେ ସାକିନାକାରେ ୨ଜଣ, ଭୟନ୍ଦରରେ ଜଣେ ଓ ଲାଲବାଗରେ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ଅନ୍ଧେରୀରେ ଗୁରୁତର ଭାବରେ ପୋଡ଼ି ହୋଇ ୫ଜଣଙ୍କ ଜୀବନ ଯାଇଛି। ଚଳିତ ବର୍ଷ ମଧ୍ୟ ଗଣେଶୋତ୍ସବର ସବୁଠାରୁ ବଡ଼ ଏବଂ ଲୋକପ୍ରିୟ ଶୋଭାଯାତ୍ରା ଲାଲବାଗଚା ରାଜାଙ୍କ ବିସର୍ଜନ ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମିଥିଲା। ପ୍ରାୟ ୩୨ରୁ ୩୫ଘଣ୍ଟା ଧରି ଚାଲିଥିବା ଏହି ମହାନ ଶୋଭାଯାତ୍ରାରେ, ଭକ୍ତମାନେ ସେମାନଙ୍କର ପ୍ରିୟ ଗଣପତିଙ୍କ ଶେଷ ଦର୍ଶନ ପାଇଁ ଲାଲବାଗରୁ ଗିରଗାଓଁ ଚୌପାଟି ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ। କିନ୍ତୁ ବିଶ୍ୱାସ ଏବଂ ଭକ୍ତିର ଏହି ପରିବେଶରେ ପକେଟମାର ଏବଂ ଛିନତାଇକାରୀମାନଙ୍କ ଉପଦ୍ରବ ଦେଖିବାକୁ ମିଳିଥିଲା। ଭିଡ଼ର ସୁଯୋଗ ନେଇ ପକେଟମାର ଏବଂ ଛିନତାଇକାରୀମାନେ ବହୁ ସଂଖ୍ୟକ ଭକ୍ତଙ୍କଠାରୁ ମୂଲ୍ୟବାନ ଜିନିଷ ଚୋରି କରିନେଇଥିଲେ। ଚଳିତ ବର୍ଷ ଶୋଭାଯାତ୍ରା ସମୟରେ ୧୦୦ରୁ ଅଧିକ ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି।
Follow Us