Representation image
ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରୁ ୨୩୦ କିମି ଦୂର ମାହୋବା ଗ୍ରାମରେ ଜଣେ ଦଳିତ ନାବାଳିକା ଛାତ୍ରୀଙ୍କୁ(୧୬ ବର୍ଷ) ତିନି ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏପରିକି ପୂର୍ବରୁ ସଂପୃକ୍ତ ନାବାଳିକାଙ୍କୁ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ଦେଇ ଆସୁଥିବା ଏହି ଦୁଷ୍କର୍ମକାରୀମାନେ ପୀଡ଼ିତାଙ୍କ ଶବକୁ ଅତି ବୀଭତ୍ସ ଭାବେ ଏକ ଗଛରେ ଟାଙ୍ଗିଦେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ଦ୍ବାଦଶ ଶ୍ରେଣୀରେ ପଢୁଥିବା ସଂପୃକ୍ତ ନାବାଳିକା ଜଣକ ଗତ ଶନିବାର ତେଜରାତି ସାମଗ୍ରୀ କିଣିବା ଲାଗି ବାହାରକୁ ଯାଇ ଆଉ ଘରକୁ ଫେରି ନଥିଲେ।
ପରିବାର ଲୋକେ ଯେତେ ଖୋଜାକୋଜି କରିଥିଲେ ହେଁ ପତ୍ତା ମିଳିନଥିଲା। ତେବେ ରବିବାର ସକାଳେ ତାଙ୍କ ଶବ ଗାଁ ପାଖ ଏକ ଗଛରେ ଝୁଲୁଥିବା ଦେଖାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଜଣେ ସ୍ଥାନୀୟ ଯୁବକ ପୀଡ଼ିତାଙ୍କୁ ବାରମ୍ବାର ମାନସିକ ନିର୍ଯାତନା ଦେଇ ଆସୁଥିଲେ। ତେବେ ସେ ଏଥିରେ ପ୍ରତିବାଦ କରିବାରୁ ଯୁବକ ଜଣକ ଉତ୍କ୍ଷିପ୍ତ ହୋଇ ଅନ୍ୟମାନଙ୍କ ସହ ମିଶି ତାଙ୍କୁ ଏପରି ଗଣବଳାତ୍କାର ପରେ ହତ୍ୟା କରିଛନ୍ତି। ଏହି ଜଘନ୍ୟ କାଣ୍ଡରେ ମଧ୍ୟ ସାମିଲ ଥିବା ଅନ୍ୟ ଦୁଇ ଜଣ ଯୁବକଙ୍କ ନାଁ ମଧ୍ୟ ପୀଡ଼ିତାଙ୍କ ମାଆ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଥିଲେ। ତେବେ ପୁଲିସ ତଦନ୍ତ କରି ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ସ୍ଥାନୀୟ ଅଞ୍ଚଳରେ ଛାନ୍ଭିନ୍ କରି ଅଭିଯୁକ୍ତ ତ୍ରୟଙ୍କୁ ଗିରଫ କରିଛି।
Follow Us