ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅଦାଲତରେ ଗ୍ୟାଙ୍ଗଷ୍ଟର ଜିତେନ୍ଦର ଗୋଗିକୁ ଦୁଇ ଅପରାଧୀ ଓକିଲ ବେଶରେ ଯାଇ ଗୁଳି ଚଳାଇ ହତ୍ୟା କରିବା ଏବଂ ପରେ ପୁଲିସ ସେହି ଅପରାଧୀ ଦ୍ବୟଙ୍କୁ ନିପାତ କରିବା ଘଟଣାରେ ଦିଲ୍ଲୀ ପୁଲିସ ଆଜି ଦୁଇଜଣ ଅପରାଧୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଉମଙ୍ଗ ଯାଦବ ଏବଂ ବିନୟ। ଉମଙ୍ଗ ଏଲଏଲବି ପଢ଼ୁଥିଲା ଏବଂ ଅଧାରୁ ପାଠ ଛାଡ଼ି ଦେଇଥିଲା। ଏଲଏଲବି ପଢ଼ିବା ସମୟରେ ତା’ର ଓକିଲ ପୋଷାକ ରହିଥିଲା। ଏହି ଅପରାଧର ନକ୍ସା ଗୋଗିର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ତଥା ଅପରାଧୀ ତିଲୁ ତେଜପୁରିୟା ଜେଲ୍ ପରିସରରୁ ପ୍ରସ୍ତୁତ କରିଥିଲା। ତିଲୁ ଏବେ ମଣ୍ଡୋଲି ଜେଲ୍ରେ ବନ୍ଦୀ ଜୀବନ କାଟୁଛି। ଜିତେନ୍ଦର ଗୋଗି ସମେତ ଅନ୍ୟ ଦୁଇଜଣଙ୍କୁ ତିଲୁ ନିପାତ କରିବାକୁ ଯୋଜନା କରିଥିଲା। ପୁଲିସ ଗୁଳିରେ ଅପରାଧୀ ଦ୍ବୟ ନିପାତ ହେବା ପରେ ଅଭିଯୁକ୍ତ ବିନୟ ଘଟଣା ସ୍ଥଳରୁ ସେମାନଙ୍କ ପୋଷାକ ଓ ମୋବାଇଲ ଫୋନ ନେଇଯାଇଥିଲା। ପୁଲିସ ଦ୍ବାରା ସେହି ପୋଷାକ ଏବଂ ମୋବାଇଲ ଫୋନକୁ ଜବତ କରାଯାଇଛି।
ଗୋଗିକୁ ହଟାଇବା ପାଇଁ ତିଲୁ ଜେଲ ପରିସରରୁ ଫୋନରେ ନିର୍ଦ୍ଦେଶ ଦେଉଥିଲା। ପୁଲିସ ଗୁଳିରେ ନିପାତ ହୋଇଥିବା ଅଭିଯୁକ୍ତ ଦ୍ବୟ ରୋହିଣୀ କୋର୍ଟଠାରୁ ପ୍ରାୟ ୩ କିମି ଦୂରରେ ହାଇଦରପୁର ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ଉକ୍ତ ଫ୍ଲାଟଟି ଉମଙ୍ଗ ଯାଦବର। ଜେରାବେଳେ ଉମଙ୍ଗ ମାନିଛି ଯେ ସେ ତିଲୁ ପାଇଁ ଗତ ଦୁଇବର୍ଷ ହେଲା କାମ କରୁଥିଲା। ତିଲୁ ତାକୁ ଫୋନ କରି କହିଥିଲା ତା ଘରକୁ ଦୁଇଜଣ ପିଲାଯିବେ। ଗୋଗି ସମେତ ଅନ୍ୟ ଦୁଇଜଣଙ୍କୁ ହତ୍ୟା କରିବା ପାଇଁ ତିଲୁ ନିର୍ଦ୍ଦେଶ ଦେଇଥିଲା। ସେପ୍ଟେମ୍ବର ୨୪ ତାରିଖରେ ସେମାନେ ତିନିଜଣ ମିଶି ରୋହିଣୀ କୋର୍ଟ ନିକଟ ଏକ ମଲ୍କୁ ଯାଇଥିଲେ। ସେଠାରେ ଓକିଲ ପୋଷାକ ପିନ୍ଧିଥିଲେ। ଗୋଗିକୁ ହତ୍ୟା କରିବା ପରେ ସେମାନେ ଫେରାର ହୋଇଯିବା ଯୋଜନା କରିଥିଲେ। କିନ୍ତୁ ଏହି ଯୋଜନା ଯେତେବେଳେ ବିଫଳ ହେଲା ସେତେବେଳେ ଉମଙ୍ଗ ଅପରାଧ ସ୍ଥଳ ଛାଡ଼ି ପଳାଇଥିଲା।
ଗିରଫ ଅଭିଯୁକ୍ତ ଦ୍ବୟଙ୍କୁ ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିବ। ପୁଲିସ ଗୁଳିରେ ନିହତ ହୋଇଥିବା ଦୁଇ ଅଭିଯୁକ୍ତ ଘଟଣା ଘଟିବାର ଦୁଇ ଦିନ ପୂର୍ବରୁ ରୋହିଣୀ ଅଦାଲତକୁ ଯାଇଥିଲେ। ଗୋଗିକୁ ହତ୍ୟା ପାଇଁ ନିପାତ ଅପରାଧୀ ଦ୍ବୟଙ୍କୁ ତିଲୁ ଓ ତା’ର ସହଯୋଗୀ ସୁନିଲ ରଥୀ ଓ ନବୀନ ବାଲି ନିୟୋଜିତ କରିଥିଲେ। ସୁନିଲ ରଥୀ ତିଲୁର ସାଙ୍ଗ ଏବଂ ସେ ଏବେ ବାଘପତ୍ ଜେଲରେ ରହୁଛି। ନିପାତ ଅପରାଧୀ ଦ୍ବୟ ଭିତରୁ ଜଣେ ହେଉଛି ରାହୁଲ ଓରଫ ନିତିନ। ତାର ଘର ବାଘପୁରିଆ ଅଞ୍ଚଳରେ। ଗୋଗିକୁ ହତ୍ୟା ପାଇଁ ସୁନିଲ ତାକୁ ଆଣିଥିଲା। ସେହିଭଳି ଅନ୍ୟ ଜଣେ ନିପାତ ଅପରାଧୀକୁ ନବୀନ ବାଲି ଆଣିଥିଲା। ନବୀନ ବାଲି ମଧ୍ୟ ତିଲୁ ଗ୍ୟାଙ୍ଗର ଜଣେ ସଦସ୍ୟ।
Follow Us