DNA India
ନୂଆଦିଲ୍ଲୀ: ଗାର୍ଗୀ ମହିଳା ମହାବିଦ୍ୟାଳୟରେ ହୋଇଥିବା ଛାତ୍ରୀ ଅସଦାଚରଣ ମାମଲାର ଦୃଢ ବିରୋଧ କରି ଗତକାଲିଠାରୁ କଲେଜ କ୍ୟାମ୍ପସରେ ଛାତ୍ର ଆନ୍ଦୋଳନ ଜାରି ରହିଛି। ଅସଦାଚରଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଗତକାଲି ଓ ଆଜି ଶତାଧିକ ଛାତ୍ରୀ କ୍ୟାମ୍ପସ ପରିସରରେ ଆନ୍ଦୋଳନ ଜାରି ରଖିଛନ୍ତି। ଗତକାଲି ରାତିରେ କ୍ୟାମ୍ପସରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ହଠାତ୍ କଲେଜ କ୍ୟାମ୍ପସ ମଧ୍ୟକୁ କିଛି ବାହାର ଲୋକେ ପଶି ଯାଇଥିଲେ। ଏହି ମଦ୍ୟପ ଲୋକମାନେ ଛାତ୍ରୀମାନଙ୍କ ପ୍ରତି ଅସଦାଚରଣ କରିଥିଲେ। କ୍ୟାମ୍ପସରେ ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଏ ନେଇ ଦିଲ୍ଲୀ ପୁଲିସ ନିକଟରେ କୌଣସି ଅଭିଯୋଗ ପହଞ୍ଚି ନଥିଲେ ମଧ୍ୟ ପୁଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି। ଏ ଘଟଣା ସମ୍ପର୍କରେ କେତେଜଣ ଛାତ୍ରୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡ଼ିଆରେ ସେମାନେ କରିଥିବା ପୋଷ୍ଟ ଅନୁସାରେ, ଗତ ରବିବାର ସନ୍ଧ୍ୟା ୬ଟା ୩୦ରେ ଦଳେ ମଦ୍ୟପ ବ୍ୟକ୍ତି କଲେଜ ମଧ୍ୟକୁ ପଶିଆସି ଛାତ୍ରୀଙ୍କ ପ୍ରତି ଅସଦାଚରଣ କରିଥିଲେ। କଲେଜ ଫାଟକରେ ରାପିଡ୍ ଆକ୍ସନ ଫୋର୍ସ ଏବଂ ଦିଲ୍ଲୀ ପୁଲିସ ମୁତୟନ ଥିଲାବେଳେ କିଭଳି ମଦ୍ୟପ ବ୍ୟକ୍ତିମାନେ କଲେଜ ମଧ୍ୟକୁ ପଶିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ କଲେଜ ପରିସରରେ ଛାତ୍ରୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଜାରି ରହିଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ଦିଲ୍ଲୀ ମହିଳା କମିସନ ମୁଖ୍ୟ ସ୍ବାତୀ ମାଲିୱାଲ କଲେଜରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅପରପକ୍ଷେ, ଏହି ଘଟଣାର ଅନୁସନ୍ଧାନ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ଡିସିପି (ଦକ୍ଷିଣ) ଅତୁଲ କୁମାର ଠାକୁର କହିଛନ୍ତି। କୌଣସି ଛାତ୍ରୀଙ୍କ ପକ୍ଷରୁ ଅଭିଯୋଗ ଆସି ନଥିଲେ ମଧ୍ୟ ପୁଲିସ ନିଜ ତରଫରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ଡିସିପି ଅତୁଲ କୁମାର କହିଛନ୍ତି। ଅତିରିକ୍ତ ଡିସିପି ଗୀତାଞ୍ଜଳି ଖଣ୍ଡେଲୱାଲ ଏହି ମାମଲାର ତଦନ୍ତ କରୁଛନ୍ତି ବୋଲି ଡିସିପି ଅତୁଲ କୁମାର ସୂଚନା ଦେଇଛନ୍ତି। ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ତେବେ ଆଜି ସଂସଦରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ କହିଛନ୍ତି ଯେ, ବାହାର ଲୋକେ ଏଭଳି କାଣ୍ଡ ଘଟାଇଛନ୍ତି। ତେବେ କେମିତି ବାହାର ଲୋକେ କଲେଜ ମଧ୍ୟକୁ ପ୍ରବେଶ କଲେ ସେଥିନେଇ କଲେଜ କର୍ତ୍ତୃପକ୍ଷଙ୍କ ସହ ସେ କଥା ହୋଇଛନ୍ତି ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ସଂସଦରେ କହିଛନ୍ତି। ତେବେ କଲେଜ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି ଯୋଗୁଁ କ୍ୟାମ୍ପସ ମଧ୍ୟକୁ ବାହାର ଲୋକେ ପଶୁଛନ୍ତି ବୋଲି ଛାତ୍ରୀମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଲେଜର ଅଧ୍ୟକ୍ଷ ପ୍ରମିଳା କୁମାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଛାତ୍ରୀମାନେ ଦାବି କରିଛନ୍ତି। ଏହି ମାମଲାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି। କଲେଜ କ୍ୟାମ୍ପସରେ ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି।
Follow Us