ଗାଜା ବାହ୍ୟ ଜଗତରୁ ବିଚ୍ଛିନ୍ନ; ଇସ୍ରାଏଲ କହିଲା- ସେନା ଏବେ ବି ମଇଦାନ୍‌ରେ...

Advertisment
ଗାଜା ବାହ୍ୟ ଜଗତରୁ ବିଚ୍ଛିନ୍ନ; ଇସ୍ରାଏଲ କହିଲା- ସେନା ଏବେ ବି ମଇଦାନ୍‌ରେ...

ନୂଆଦିଲ୍ଲୀ: ପାଲେଷ୍ଟାଇନ୍‌ ଅଞ୍ଚଳକୁ ନିୟନ୍ତ୍ରଣ କରୁଥିବା ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ ପକ୍ଷରୁ ସ୍ଥଳଆକ୍ରମଣ ଆରମ୍ଭ ହୋଇଛି ଏବଂ ଏହାର ସେନା ଏବେ ବି ମଇଦାନରେ ‘ଆକ୍ସନ ମୋଡ୍‌’ରେ ରହିଛି ବୋଲି ଇସ୍ରାଏଲ ଶନିବାର କହିଛି। ଇସ୍ରାଏଲୀ ସେନା ସ୍ଥଳ ଆକ୍ରମଣକୁ ବିସ୍ତାର କରିଥିବାରୁ ଗାଜା ବାହ୍ୟ ଜଗତରୁ ଅନେକାଂଶରେ ବିଚ୍ଛିନ୍ନ ହୋଇଯାଇଛି।

ଇସ୍ରାଏଲ ସେନା କହିଛି ଯେ ସେମାନେ ଗାଜାରେ ନିଜର ସ୍ଥଳ ଅପରେସନକୁ ବ୍ୟାପକ କରୁଛନ୍ତି ଏବଂ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଗାଜା ଉପତ୍ୟକାର ଉତ୍ତର ଭାଗରେ ହୋଇଥିବା ଚଢ଼ାଉ ତୁଳନାରେ ଏହି ଅନୁପ୍ରବେଶ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଥିଲା। ଅନ୍ୟପକ୍ଷରେ ଗାଜାରେ ଥିବା ତା’ର ଯୋଦ୍ଧା ଇସ୍ରାଏଲର ଆକ୍ରମଣର ପୂରା ଶକ୍ତି ସହ ଜବାବ ଦେବେ ବୋଲି ହମାସ ଦୃଢ଼ୋକ୍ତି ପ୍ରକାଶ କରିଛି।

ରିୟର ଆଡମିରାଲ ଡାନିଏଲ ହାଗରି କହିଛନ୍ତି, ସେନା ଏବେ ବି ମଇଦାନ୍‌ରେ ରହିଛି ଏବଂ ଯୁଦ୍ଧ ଜାରି ରଖିଛି। ଯୁଦ୍ଧ ସମୟରେ ଇସ୍ରାଏଲ ଗାଜାରେ ନିଜର ସାମରିକ ଅଭିଯାନକୁ ଜୋରଦାର କରିବାରୁ ସେଠାରେ ଇଣ୍ଟରନେଟ୍‌ ଏବଂ ଫୋନ୍‌ ସେବା ବନ୍ଦ ହୋଇଯାଇଥିଲା। ଇସ୍ରାଏଲର ରିପୋର୍ଟ ଅନୁଯାୟୀ, ବ୍ଲାକ୍‌ ଆଉଟ୍‌ ଯୋଗୁଁ ୨୩ ଲକ୍ଷ ଲୋକ ବାହ୍ୟ ଜଗତ ଓ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯାଇଛନ୍ତି।

ଶୁକ୍ରବାର ରାତିରେ ଉତ୍ତର ଗାଜା ଉପତ୍ୟକାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ ଯୋଗୁଁ ସୃଷ୍ଟି ହୋଇଥିବା ଧୂଆଁ ଦେଖିବାକୁ ମିଳିଥିଲା। ଶନିବାର ସକାଳ ସୁଦ୍ଧା ୧୨ ଘଣ୍ଟାରୁ ଅଧିକ ସମୟ ଧରି ଇଣ୍ଟରନେଟ୍‌ ଓ ଫୋନ୍‌ ସେବା ବନ୍ଦ ରହିଥିବାରୁ ଗାଜାରେ ଯୋଗାଯୋଗ ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ପାଲେଷ୍ଟାଇନ ରେଡ୍‌ କ୍ରିସେଣ୍ଟ କହିଛି ଯେ ଇସ୍ରାଏଲ ସମସ୍ତ ଯୋଗାଯୋଗ କାଟି ଦେଇଛି।

ଇସ୍ରାଏଲ ସେନା ପ୍ରକାଶ କରିଛି ଯେ, ଗାଜାରେ ଗ୍ରାଉଣ୍ଡ୍ ଅପରେସନକୁ ବିସ୍ତାର କରାଯାଇଛି। ରିୟର ଆଡମିରାଲ ଡାନିଏଲ ହାଗରି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସେନା ଏବେ ବି ମଇଦାନରେ ରହିଛି ଏବଂ ଯୁଦ୍ଧ ଜାରି ରଖିଛି। ହାଗରୀ ପୂର୍ବରୁ କହିଥିଲେ ଯେ ଇସ୍ରାଏଲର ଲଢୁଆ ବିମାନ ହମାସ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଦ୍ୱାରା ଖୋଳା ଯାଇଥିବା ସୁଡ଼ଙ୍ଗ ଉପରେ ଲଗାତାର ଆକ୍ରମଣ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe