‘ଭାରତ କି ଝାଙ୍କୀ’‌ରେ ଗୀତ ଗୋବିନ୍ଦ, ପଞ୍ଚସଖା, ସାରଳା ଦାସଙ୍କୁ ସ୍ଥାନ ଦିଆଯାଉ

Advertisment

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ପ୍ରସ୍ତାବ ଦେଲେ ସାଂସଦ ଭର୍ତ୍ତୃହରି

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ପ୍ରସ୍ତାବ ଦେଲେ ସାଂସଦ ଭର୍ତ୍ତୃହରି

‘ଭାରତ କି ଝାଙ୍କୀ’‌ରେ ଗୀତ ଗୋବିନ୍ଦ, ପଞ୍ଚସଖା, ସାରଳା ଦାସଙ୍କୁ ସ୍ଥାନ ଦିଆଯାଉ

ଭୁବନେଶ୍ବର : ନୂଆ ସଂସଦ ଭବନରେ ‘ଭାରତ କି ଝାଙ୍କୀ’ ନାଁରେ ପୁରାତନ ଭାରତର ବିଭିନ୍ନ ବୃତ୍ତ ଚିତ୍ର ସ୍ଥାନ ପାଇବାକୁ ଯାଉଛି। ଏଥିରେ ଓଡ଼ିଆ ଭାଷାରେ ମହାଭାରତ ରଚନା କରିଥିବା ସାରଳା ଦାସ, ପଞ୍ଚସଖା, ମହିମା ଧର୍ମ, ଭୀମ ଭୋଇଙ୍କ କୃତିକୁ ସ୍ଥାନ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ପ୍ରସ୍ତାବ ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।

ସାଂସଦ ଶ୍ରୀ ମହତାବ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନୂଆ ସଂସଦ ଭବନରେ ‘ଭାରତ କି ଝାଙ୍କୀ’ କାର୍ଯ୍ୟକ୍ରମର ଆରମ୍ଭ ହୋଇସାରିଛି। ଏଥିରେ ବେଦ, ଉପନିଷଦ, ଯୋଗ ଭକ୍ତି ଆନ୍ଦୋଳନ, ସୁଫି ଏବଂ କବୀରପନ୍ଥୀ, ଶିଖ ଗୁରୁମାନଙ୍କ ବଳିବାନ ଓ ଲୋକ ପରମ୍ପରା ସମ୍ବନ୍ଧୀୟ ବୃତ୍ତି ଚିତ୍ର ସ୍ଥାପନ ପାଇବ। ଯାହାକି ସଂସଦର ଗରିମା ଓ ଭାରତୀୟ ମୂଲ୍ୟବୋଧକୁ ଦର୍ଶାଇବ। ତେବେ ଓଡ଼ିଶାରେ ଜନ୍ମଲାଭ କରି ସମାଜକୁ ସମୃଦ୍ଧ କରିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏଥିରେ ସ୍ଥାନ ଦିଆଯାଉ।

ଜୟଦେବଙ୍କ ଗୀତ ଗୋବିନ୍ଦ ଦେଶର ସବୁ ପ୍ରାନ୍ତରେ ପରିଚିତ। ଜୟଦେବ ଏହାକୁ ସଂସ୍କୃତରେ ରଚନା କରିଥିଲେ। ଯାହାକୁ ଏବେ ବି ଶ୍ରୀଜଗନ୍ନାଥଙ୍କ ନିକଟରେ ଅତ୍ୟନ୍ତ ଭକ୍ତିଭାବର ସହିତ ଗାନ କରାଯାଉଛି। ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀରେ ମଧ୍ୟ ଗୀତ ଗୋବିନ୍ଦର ପଙ୍‌ତି ଦେଖିବାକୁ ମିଳିଥାଏ। ସେହିପରି ୧୪ତମ ଶତାବ୍ଦୀରେ ଓଡ଼ିଶାରେ ଜନ୍ମଲାଭ କରିଥିବା ସାରଳା ଦାସ ଓଡ଼ିଆ ଭାଷାରେ ମହାଭାରତ ଓ ଚଣ୍ଡୀ ପୁରାଣ ରଚନା କରିଥିଲେ। ଯାହାଫଳରେ ଓଡ଼ିଆ ଭାଷା ଭଣ୍ଡାରରେ ହଜାର ହଜାର ଶବ୍ଦ ସାମିଲ ହୋଇଥିଲା। ତାଙ୍କୁ ଓଡ଼ିଶାରେ ଆଦିକବି ଭାବେ ବିବେଚନା କରାଯାଇଥାଏ।

୧୫ତମ ଶତାବ୍ଦୀରେ ମୁସଲମାନ ଆକ୍ରମଣକାରୀମାନଙ୍କ ଦ୍ବାରା ଭାରତୀୟ ସମାଜ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଭାରତୀୟ ସଂସ୍କୃତି ଏକପ୍ରକାର ଶେଷ ହେବାକୁ ବସିଥିଲା। ଏହି ସମୟରେ ପଞ୍ଚଶଖାଙ୍କ ଆବିର୍ଭାବ ହୋଇଥିଲା। ଜଗନ୍ନାଥ ଦାସ ଓଡ଼ିଆରେ ଭାଗବତ ଲେଖିଥିଲେ, ଅଚ୍ୟୁତାନନ୍ଦ ଦାସ ଭବିଷ୍ୟ ପୁରାଣ ଲେଖିଥିଲେ। ହରିବଂଶର ଅନୁବାଦ କରିବା ସହିତ ଶୂନ୍ୟ ସଂହିତା ରଚନା କରିଥିଲେ। ବଳରାମ ଦାସ ଜଗମୋହନ ରାମାୟଣ ଲେଖିଥିଲେ ଯାହାକି ଦାଣ୍ଡି ରାମାୟଣ ଭାବେ ପରିଚିତ। ଯଶୋବନ୍ତ ଦାସ ଓଡ଼ିଆ ସଂସ୍କୃତି ଓ ଜଗନ୍ନାଥଙ୍କ ଭକ୍ତିପ୍ରେମକୁ ଉଜାଗର କରିଥିଲେ। ତାଙ୍କ ଦ୍ବାରା ରଚିତ ଗୋବିନ୍ଦ ଚନ୍ଦ୍ର ଆସାମ, ପଶ୍ଚିମବଙ୍ଗ ଓ ଉତ୍ତର ଭାରତରେ ‌ଲୋକପ୍ରିୟ। ଶିଶୁ ଅନନ୍ଦ ଦାସ ଭକ୍ତି ମୁକ୍ତି ଦୟା ଗୀତା ରଚନା କରିଥିଲେ। ଆକ୍ରମଣକାରୀଙ୍କ ଦ୍ବାରା ଖଣ୍ଡ ବିଖଣ୍ଡିତ ହେବାକୁ ବସିଥିବା ଓଡ଼ିଶାକୁ ବଞ୍ଚାଇବା ସହିତ ପରିବର୍ତନ ଆଣିବାରେ ଏହି ୫ ସନ୍ଥ ସକ୍ଷମ ହୋଇଥିଲେ।
ଅପରପକ୍ଷରେ ଓଡ଼ିଶାର ଏକ ନିଜସ୍ବ ଧର୍ମ ରହିଛି, ଯାହାକି ମହିମା ଧର୍ମ ନାଁରେ ପରିଚିତ। ଏହି ଧର୍ମକୁ ଅନୁକରଣ କରୁଥିବା ଲୋକମାନେ ଶୂନ୍ୟ ବ୍ରହ୍ମକୁ ପୂଜନ କରିଥାନ୍ତି। ସୂର୍ଯ୍ୟାସ୍ତ ପରେ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣ କରି ନ ଥାନ୍ତି। ଏ‌ହି ଧର୍ମାବଲମ୍ବୀ ଭୀମ ଭୋଇ ଅନେକ କବିତା ଓ ଭଜନ ଲେଖିଛନ୍ତି। ତେଣୁ ଏହି ମହାତ୍ମାମାନଙ୍କ ବୃତ୍ତ ଚିତ୍ର ସଂସଦ ଭବନରେ ସ୍ଥାନ ଦେବାକୁ ନିର୍ଦେଶ ଦେବାକୁ ଶ୍ରୀ ମହାପାତ୍ର ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe