‘ନାଲି ଡାଏରି’ ଖୋଲିବ କଂଗ୍ରେସର କଳା ରହସ୍ୟ: ମୋଦୀ

Advertisment
‘ନାଲି ଡାଏରି’ ଖୋଲିବ କଂଗ୍ରେସର କଳା ରହସ୍ୟ: ମୋଦୀ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ୍ କରି କହିଛନ୍ତି, ନାଲି ଡାଏରି କଂଗ୍ରେସର କଳା କାରନାମାର ରହସ୍ୟ ଉଦ୍‌ଘାଟନ କରିବ। ଆଗକୁ ନିର୍ବାଚନ ଥିବା ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିବା ଏହି ଡାଏରିରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିଷୟରେ ସାଂଘାତିକ ତଥ୍ୟ ରହିଛି ବୋଲି କଂଗ୍ରେସ ବିଧାୟକ ତଥା ବହିଷ୍କୃତ ମନ୍ତ୍ରୀ ରାଜେନ୍ଦ୍ର ଗୁଧା ଦାବି କରିଥିଲେ।

ରାଜସ୍ଥାନର ସୀକରରେ ଏକ ରୢାଲିରେ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଲେ, ନାଲି ଡାଏରିରେ କଂଗ୍ରେସ ସରକାରର କଳା କାରନାମାର ରେକର୍ଡ ରହିଛି ବୋଲି କୁହାଯାଉଛି। ଲୋକ କହୁଛନ୍ତି ଏହି ଡାଏରିର ପୃଷ୍ଠା ଯଦି ଖୋଲାଯିବ ତେବେ ‘ଅଛେ ଅଛେ ନିପଟ ଯାଏଙ୍ଗେ’ (ବଡ଼ ବଡ଼ ନେତା ଆଇନର କାଠଗଡ଼ାକୁ ଆସିଯିବେ)। ନାଲି ଡାଏରି କଥା ଉଠିବା ପରେ ବଡ଼ ବଡ଼ କଂଗ୍ରେସ ନେତାଙ୍କ ମୁହଁ ବନ୍ଦ ହୋଇଯାଇଛି। ଏହି ଲୋକମାନେ ନିଜ ମୁହଁ ବନ୍ଦ କରି ରଖିଲେ ମଧ୍ୟ ନାଲି ଡାଏରି ନିର୍ବାଚନରେ କଂଗ୍ରେସ ପାଇଁ ଏକ ବଡ଼ ଧକ୍କା ସଦୃଶ ହେବ। କଂଗ୍ରେସର ‘ଝୁଠ କୀ ଦୁକାନ’ର ଏକ ନୂଆ ପ୍ରକଳ୍ପ ହେଉଛି ନାଲି ଡାଏରି। ଅଶୋକ ଗେହଲଟ ସରକାର ରାଜସ୍ଥାନରେ ଉନ୍ନୟନ କାର୍ଯ୍ୟ ବନ୍ଦ କରିଦେଇଛନ୍ତି। ଆଜି ରାଜସ୍ଥାନରେ ଗୋଟିଏ ସ୍ବର ଉଠିଛି ‘ପଦ୍ମ ଜିତିବ, ପଦ୍ମ ଫୁଟିବ’। ରାଜସ୍ଥାନବାସୀ ଜଳ ପାଇଁ ଡହଳବିକଳ ହୁଅନ୍ତୁ ବୋଲି କଂଗ୍ରେସ ସରକାର ଚାହୁଛି। ଭଉଣୀ ଓ ଝିଅମାନଙ୍କ ଉପରେ ଅତ୍ୟାଚାର ଆଉ ରାଜସ୍ଥାନ ସହିବ ନାହିଁ ବୋଲି ମୋଦୀ କହିଥିଲେ।

ନାଲି ଡାଏରିକୁ ନେଇ ମୋଦୀଙ୍କ ଆକ୍ରମଣର ପ୍ରତ୍ୟୁତ୍ତର ଦେଇ ଗେହଲଟ କହିଛନ୍ତି, ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନାଲି ପତାକା ଦେଖାଯିବ। ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ଦଳ ଆମକୁ ଭୟ କରୁଛନ୍ତି। ସେମାନେ ରାଜେନ୍ଦ୍ର ଗୁଧାଙ୍କୁ ବଳିବୋଦା ବନାଇଛନ୍ତି। ବିଜେପି ଭିତ୍ତିହୀନ ଅଭିଯୋଗ କରୁଛି। ନାଲି ଡାଏରି ଏକ ମନଗଢ଼ା କାହାଣୀ। ଏପରି କୌଣସି ଡାଏରି ନାହିଁ। ନାଲି ଡାଏରି ବଦଳରେ ସେମାନେ ନାଲି ସିଲିଣ୍ଡର, ନାଲି ଟମୋଟୋ କଥା କୁହନ୍ତୁ। ଦେଶରେ ବର୍ତ୍ତମାନ ଗ୍ୟାସ୍ ଦର ଆକାଶଛୁଆଁ ବୋଲି ଗେହଲଟ କହିଥିଲେ।

ସୂଚନାଯୋଗ୍ୟ, ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ରାଜେନ୍ଦ୍ର ଗୁଧା ନାଲି ଡାଏରି ପ୍ରସଙ୍ଗ ଉଠାଇ ବିଧାନସଭାରେ ଝଡ଼ ସୃଷ୍ଟି କରିଥିଲେ। ଏହି ଡାଏରିରେ ଗେହଲଟ ଓ ତାଙ୍କ ବିଧାୟକମାନେ ରାଜସ୍ଥାନ ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଧର୍ମେନ୍ଦ୍ର ରାଠୋଡ଼ଙ୍କଠାରୁ ବିପୁଳ ଟଙ୍କା ନେଇଥିବାର ପ୍ରମାଣ ରହିଛି। ସେ ମୁଖ୍ୟମନ୍ତ୍ରୀଙ୍କ ଏହି ସତ ଲୁଚାଇ ତାଙ୍କୁ ରକ୍ଷା କରିଆସିଥିଲେ। ସେ ତାହା କରି ନ ଥିଲେ ଗେହଲଟ ଆଜି ଜେଲରେ ଥାନ୍ତେ ବୋଲି ଗୁଧା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe