କାଠମାଣ୍ଡୁ: ନେପାଳର ‘ଜେନ୍ ଜେଡ୍’ ଯୁବଗୋଷ୍ଠୀ ଏବେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ସରକାରର ପତନ ଘଟାଇଥିବା ଏହି ଆନ୍ଦୋଳନ ଏବେ ପୁଣି ମୁଣ୍ଡ ଟେକିଥିବାରୁ ଅନ୍ତରୀଣ ସରକାରର ଚିନ୍ତା ବଢ଼ିଯାଇଛି। ଭାରତୀୟ ସୀମା ନିକଟବର୍ତ୍ତୀ ବାରା ଜିଲ୍ଲାର ସିମରା ଅଞ୍ଚଳରେ ଆଜି ଛାତ୍ର ଗୋଷ୍ଠୀଙ୍କ ସହ ପୂର୍ବ ସରକାରର ସମର୍ଥକ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଓଲିଙ୍କ ସିପିଏନ୍-ୟୁଏମ୍ଏଲ୍ ଦଳର କ୍ୟାଡର୍ମାନଙ୍କ ସହ ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ମୁହାଁମୁହିଁ ହେବାପରେ ହିଂସା ଉପୁଜିଥିଲା। ପୁଲିସ ଲାଠିମାଡ଼ କରିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରି ସ୍ଥିତି ନିୟନ୍ତ୍ରଣ କରିଛି। ସିମରା ଓ ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି ଏବଂ ସିମରା ବିମାନବନ୍ଦରରୁ ସମସ୍ତ ଉଡ଼ାଣ ବନ୍ଦ ରହିଛି।
ସିମରାରେ ହିଂସା, କର୍ଫ୍ୟୁ ଜାରି
ପରିସ୍ଥିତି ଉପରେ ଭାରତର ନଜର
ଗତକାଲି ସିମରା ବିମାନବନ୍ଦର ନିକଟରେ ୟୁଏମ୍ଏଲ୍ ନେତାଙ୍କ ଆଗମନ ରୋକିବାକୁ ଯାଇଥିବା ଯୁବକମାନଙ୍କୁ ସିପିଏନ୍ କର୍ମୀମାନେ ଆକ୍ରମଣ କରିଥିଲେ। ଏଥିରେ ଛଅ ଜଣ ଜେନ୍ ଜେଡ୍ ସଦସ୍ୟ ଆହତ ହୋଇଥିବା ବେଳେ ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ପୂର୍ବାହ୍ନ ୧୧ଟାରୁ ସିମରା ଚୌକ୍ରେ ହଜାର ହଜାର ଯୁବକ ଏକତ୍ରିତ ହୋଇ ‘ଓଲି ଆଉ ଫେରିବେ ନାହିଁ’, ‘ହତ୍ୟାକାରୀଙ୍କୁ ଗିରଫ କର’ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପୁଲିସ ସହ ସଂଘର୍ଷରେ ଅନେକ ବିକ୍ଷୋଭକାରୀ ଆହତ ହୋଇଥିବା ଜଣାପଡ଼ିଛି। କେତେକ ଛାତ୍ର ଗୁରୁତର ଆହତ ହୋଇଥିବା ରିପୋର୍ଟ ମିଳିଛି। ଏହି ମାମଲାରେ ଦୁଇ ଜଣ ସ୍ଥାନୀୟ ପଞ୍ଚାୟତ ମୁଖ୍ୟଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବରରେ ସରକାର ପରିବର୍ତ୍ତନ ପାଇଁ ହୋଇଥିବା ‘ଜେନ୍ ଜେଡ୍’ ଆନ୍ଦୋଳନରେ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସୋସିଆଲ୍ ମିଡିଆ ବ୍ୟାନ୍ ଓ ରାଜନେତାଙ୍କ ଦୁର୍ନୀତି ବିରୋଧରେ ହୋଇଥିବା ଏହି ଆନ୍ଦୋଳନ ସମୟରେ ପୁଲିସ ଓ ସେନା ବର୍ବରତା ଦେଖାଇଥିବା ଅଭିଯୋଗ ହୋଇଛି। ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କୀ ଏକ ବୟାନରେ ଶାନ୍ତିର ଆହ୍ୱାନ ଦେଇଛନ୍ତି ଏବଂ ‘ଅନାବଶ୍ୟକ ରାଜନୈତିକ ଉତ୍ତେଜନା’ ଏଡ଼ାଇବାକୁ ନେତାମାନଙ୍କୁ ସତର୍କ କରାଇଛନ୍ତି। ସୁରକ୍ଷା ବାହିନୀ ସଂଯମ ରକ୍ଷା କରି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଭାରତର ବିଦେଶ ମନ୍ତ୍ରଣାଳୟ ପରିସ୍ଥିତି ଉପରେ ନଜର ରଖିଛି ଏବଂ ନେପାଳରେ ଭାରତୀୟ ନାଗରିକମାନଙ୍କୁ କର୍ଫ୍ୟୁ ଆଇନ ମାନିବାକୁ ପରାମର୍ଶ ଦେଇଛି। ‘ଜେନ୍ ଜେଡ୍’ ନେତାମାନେ କହିଛନ୍ତି ଯେ ପୂର୍ବ ଆନ୍ଦୋଳନ ସମୟରେ ଛାତ୍ରମାନଙ୍କ ପ୍ରତି ଯେଉଁଭଳି ଅତ୍ୟାଚାର ହୋଇଥିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜରୁରି। ଅନ୍ୟଥା ଆଗକୁ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
Follow Us