ଦାୟିତ୍ୱ ନେଲେ ଭାରତର ୨୮ତମ ସେନାମୁଖ୍ୟ ନରବଣେ

ପ୍ରଥମ ଦିନରେ ପାକିସ୍ତାନକୁ କଡ଼ା ଚେତାବନୀ

ଦାୟିତ୍ୱ ନେଲେ ଭାରତର ୨୮ତମ ସେନାମୁଖ୍ୟ ନରବଣେ

ThePrint

ନୂଆଦିଲ୍ଲୀ : ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଭାରତର ୨୮ତମ ସେନାମୁଖ୍ୟ ଭାବ‌େ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଜେନେରାଲ ବିପିନ ରାୱତ ଆଜି ସେନାମୁଖ୍ୟ ପଦରୁ ଅବସର ନେବାପରେ ନରବଣେ ନୂଆ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ ସେନାବାହିନୀରେ ଉପମୁଖ୍ୟ ଥିଲେ ନରବଣେ। ତେବେ ରାୱତ ଆଜି ସେନାମୁଖ୍ୟ ଭାବେ ଅବସର ନେବାପରେ କହିଛନ୍ତି ଯେ, ଜେନେରାଲ୍‌ ନରବଣେ ସେନାକୁ ଆହୁରି ଅଧିକ ଊର୍ଦ୍ଧ୍ବକୁ ନେବେ ବୋଲି ତାଙ୍କର ଦୃଢ଼ ବିଶ୍ବାସ ରହିଛି। ମନୋଜ ମୁକୁନ୍ଦ ନରବଣେ ଆଜି ଦାୟିତ୍ବ ଗ୍ରହଣ କରିବାପରେ ପ୍ରଥମ ଦିନରେ ହିଁ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ଆତଙ୍କବାଦ ଏବଂ ଅସ୍ତ୍ରବିରତି ଉଲ୍ଲଂଘନ ପ୍ରସଙ୍ଗରେ ନରବଣେ ପାକିସ୍ତାନକୁ ଟାର୍ଗେଟ୍‌ କରିଛନ୍ତି। ପାକିସ୍ତାନକୁ ଚେତାଇ ଦେଇ ନରବଣେ କହିଛନ୍ତି ଯେ କୌଣସି ପ୍ରକାର ବିପଦର ମୁକାବିଲା କରିବାପାଇଁ ଭାରତ ପ୍ରସ୍ତୁତ ଅଛି। ପାକିସ୍ତାନର ନାଁ ନନେଇ ନରବଣେ କହିଛନ୍ତି, ଆମ ପଡ଼ୋଶୀ ଆତଙ୍କବାଦକୁ ରାଷ୍ଟ୍ରନୀତି ଭାବେ ବ୍ୟବହାର କରୁଛନ୍ତି। କିନ୍ତୁ ଏହା ବେଶୀଦିନ ତିଷ୍ଠିବନି। ଭାରର ଯେକୌଣସି ପ୍ରକାର ବିପଦର ମୁକାବିଲା ପାଇଁ ପ୍ରସ୍ତୁତ। ସୀମାପାର ଆତଙ୍କବାଦ ବିରୋଧ‌ରେ ବଳିଷ୍ଠ କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ରଣନୀତି ପ୍ରସ୍ତୁତ ହୋଇଛି ବୋଲି ନରବଣେ କହିଛନ୍ତି।

ନରବଣେ ଚଳିତ ବର୍ଷ ସେପ୍ଟେମ୍ବର ୧ରେ ସେନାର ଉପମୁଖ୍ୟ ନିଯୁକ୍ତ ହୋଇଥିଲେ। ଏନ୍‌ଡିଏ (ନ୍ୟାସନାଲ ଡିଫେନ୍ସ ଏକାଡେମି) ଏବଂ ଇଣ୍ଡିଆନ ମିଲିଟାରି ଏକାଡେମିର ପୂର୍ବତନ ଛାତ୍ର ନରବଣେ ସେନାର ଉପମୁଖ୍ୟ ହେବା ପୂର୍ବରୁ ସେନାର ପୂର୍ବ କମାଣ୍ଡ୍‌ ମୁଖ୍ୟ ଥିଲେ। ଦୀର୍ଘ ୩୭ ବର୍ଷର କ୍ୟାରିୟର ମଧ୍ୟରେ ନରବଣେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି। ୧୯୮୦ ଜୁନ୍‌ରେ ‌ସେ ସପ୍ତମ ବାଟାଲିଅନ୍‌ରେ ଯୋଗ ଦେଇଥିଲେ। ଡିସେମ୍ବର ୧, ୨୦୧୭ରୁ ସେପ୍ଟେମ୍ବର ୩୦, ୨୦୧୮ ପର୍ଯ୍ୟନ୍ତ ସେ ଆର୍ମି ଟ୍ରେନିଙ୍ଗ କମାଣ୍ଡ୍‌ର ଜେନେରାଲ ଅଫିସର କମାଣ୍ଡିଙ୍ଗ ଇନ୍‌ ଚିଫ୍‌ ଥିଲେ। ଅକ୍ଟୋବର ୧, ୨୦୧୮‌ରେ ଇଷ୍ଟର୍ଣ୍ଣ କମାଣ୍ଡ୍‌ର ଜେନେରାଲ ଅଫିସର କମାଣ୍ଡିଙ୍ଗ ଇନ୍‌ ଚିଫ୍‌ ଭାବେ ଦାୟିତ୍ବ ଗ୍ରହଣ କଲେ। ସେପ୍ଟେମ୍ବର ୧, ୨୦୧୯ରେ ତାଙ୍କୁ ସେନାର ଉପମୁଖ୍ୟ ନିଯୁକ୍ତ କରାଗଲା। ନରବଣେଙ୍କୁ ସେନା ମେଡାଲ ଏବଂ ବିଶିଷ୍ଟ ସେବା ମେଡାଲ (୨୦୧୫), ଅତି ବିଶିଷ୍ଟ ସେବା ମେଡାଲ (୨୦୧୭) ଏବଂ ପରମ ବିଶିଷ୍ଟ ସେବା ମେଡାଲ୍‌ (୨୦୧୯) ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe