Image Courtesy of Hindustan Times
ନୂଆଦିଲ୍ଲୀ: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍ର ପ୍ରଭାବକୁ ନିୟନ୍ତ୍ରଣ କରିବା ଲାଗି ଜର୍ମାନି କରିଥିବା ଯୋଜନାର ଅଂଶ ଭାବେ ଭାରତ ମହାସାଗରରେ ଏକ ଜର୍ମାନି ଯୁଦ୍ଧପୋତ ପାଟ୍ରୋଲିଙ୍ଗ୍ କରିବ ବୋଲି, ସେଠାକାର ପ୍ରତିରକ୍ଷା ମନ୍ତ୍ରୀ ଆନିଗ୍ରେଟ୍ କ୍ରାମ୍ପ୍-କାରେନ୍ବାୱାର୍ କହିଛନ୍ତି।
‘ସିଡ୍ନି ମର୍ଣ୍ଣିଂ ହେରାଲ୍ଡ୍’ ସହ ସାକ୍ଷାତ୍କାରରେ ସେ କହିଛନ୍ତି, ଆସନ୍ତା ବର୍ଷରୁ ଏହି ଯୁଦ୍ଧପୋତ ମୁତୟନ କରାଯିବ ବୋଲି ଆଶା କରାଯାଉଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଜର୍ମାନି ନୌସେନାର ଉପସ୍ଥିତି ଆନ୍ତର୍ଜାତିକ ସମ୍ପର୍କ ସୁରକ୍ଷିତ ରଖିବାରେ ସହାୟକ ହେବ। ସେ ଅଞ୍ଚଳରେ ଜର୍ମାନିର ଉପସ୍ଥିତି ଆବଶ୍ୟକ ବୋଲି ଆମେ ଚିନ୍ତା କରୁଛୁ।
ଆସନ୍ତାବର୍ଷ ଆମେ ସେଠାରେ ଯୁଦ୍ଧପୋତ ମୁତୟନ କରିବାରେ ସମର୍ଥ ହେବୁ। କୋଭିଡ୍-୧୯ ମହାମାରୀ ଆମ ବଜେଟ୍କୁ ପ୍ରଭାବିତ କରିଥିଲେ ସୁଦ୍ଧା ୨୦୨୦ ଠାରୁ ୨୦୨୧ରେ ଆମେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିବୁ।
Image Courtesy of The Hinduକିନ୍ତୁ, ନିଜର ବୋଲି ଚୀନ୍ ଦାବି କରୁଥିବା ବିବାଦୀୟ ଦକ୍ଷିଣ ଚୀନ୍ ସାଗରରେ ଜର୍ମାନିର ଏହି ଯୁଦ୍ଧପୋତ ଅବାଧ ନୌସମରାଭ୍ୟାସ କରାଇବ କି ନାହିଁ, ସେ ବିଷୟରେ କ୍ରାମ୍ପ୍-କାରେନ୍ବାୱାର୍ ନିର୍ଦ୍ଦିଷ୍ଟ କୌଣସି ମନ୍ତବ୍ୟ ଦେଇନାହାନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ବର ନିରାପତ୍ତା ନିମନ୍ତେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସେଠାରେ ଚୀନ୍ର କେତେକ କାର୍ଯ୍ୟକଳାପକୁ ଜର୍ମାନି ଉପେକ୍ଷା କରିପାରିବ ନାହିଁ।
ଜର୍ମାନିର ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ବୈଶ୍ବିକ ଯୋଗାଣ ଶୃଙ୍ଖଳରେ ୟୁରୋପ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅର୍ଥନୀତି ନିବିଡ଼ଭାବେ ସଂଯୁକ୍ତ ହୋଇଥିବାରୁ ଭାରତ ମହାସାଗର, ଦକ୍ଷିଣ ଚୀନ୍ ସାଗର ଏବଂ ପ୍ରଶାନ୍ତ ମହାସାଗର ମଧ୍ୟ ଦେଇ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟ ପଥ ପରିଚାଳିତ ହେଉଛି। ସେ ଅଞ୍ଚଳରେ ଉପୁଜୁଥିବା ବିବାଦ ଯଦି ସେଠାକାର ନିରାପତ୍ତା ଓ ସ୍ଥିରତା ଉପରେ ପ୍ରତିକୂଳ ପ୍ରଭାବ ପକାଏ, ଜର୍ମାନି ମଧ୍ୟ ପ୍ରଭାବିତ ହେବ।
Follow Us