Image Courtesy of India Today
ଗାଜା: ଗତ ଶନିବାର ଦିନ ହମାସ୍ ଆତଙ୍କବାଦୀମାନେ ଖୋଲା ପିକ୍-ଅପ୍ ଭ୍ୟାନ୍ରେ ଶାନି ଲୌକ୍ ନାମ୍ନୀ ଯେଉଁ ଜର୍ମାନ୍ ତରୁଣୀଙ୍କର ଅର୍ଦ୍ଧନଗ୍ନା ଶବ ସହର ପରିକ୍ରମା କରାଇଥିଲେ, ସେ ମୃତା ନୁହନ୍ତି, ଜୀବିତା ବୋଲି ତାଙ୍କ ମାଆ କହିଛନ୍ତି।
ମଙ୍ଗଳବାର ଦିନ ଜାରି କରିଥିବା ଭିଡିଓ ବାର୍ତ୍ତାରେ ଶାନିଙ୍କର ମାଆ ରିକାର୍ଡା ଲୌକ୍ କହିଛନ୍ତି ଯେ, ତାଙ୍କ ଝିଅ ଏବେ ବି ଜୀବିତା ଓ ସେ ଗାଜା ଷ୍ଟ୍ରିପ୍ରେ ଥିବା ଏକ ହମାସ୍ ହସ୍ପିଟାଲ୍ରେ ଚିକିତ୍ସାଧୀନା ଥିବା କଥା ପାଲେଷ୍ଟେନୀୟସୂତ୍ରରୁ ସୂଚନା ପାଇଛନ୍ତି। ଶାନିକୁ ନିରାପଦରେ ଫେରାଇ ଆଣିବା ଲାଗି ସେ ଜର୍ମାନ୍ ସରକାରଙ୍କୁ ନିବେଦନ କରିଛନ୍ତି।
ଭିଡିଓ ବାର୍ତ୍ତାରେ ରିକାର୍ଡ କହୁଥିବା ଶୁଣାଯାଉଛି: ଶାନି ଜୀବିତା। ମୁଣ୍ଡରେ ସାଙ୍ଘାତିକ ଆଘାତ ଲାଗିଥିବାରୁ ତା’ର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ପ୍ରତିଟି ମୁହୂର୍ତ୍ତ ଗୁରୁତ୍ବପୂର୍ଣ୍ଣ। ଆମେ ଜର୍ମାନ୍ ସରକାରଙ୍କୁ କହୁଛୁ, କହୁଛୁ ନୁହେଁ ଦାବି କରୁଛୁ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଅଞ୍ଚଳ ପ୍ରସଙ୍ଗ ନେଇ କେହି ଯୁକ୍ତି କରିବା ଅନୁଚିତ। ଶାନିକୁ ଗାଜା ଷ୍ଟ୍ରିପ୍ରୁ ମୁକୁଳାଇ ଆଣିବା ପାଇଁ ତୁରନ୍ତ ବ୍ୟବସ୍ଥା କରିବା ଉଚିତ। ଭଲରେ ଭଲରେ ମୋ ଶାନିକୁ ସ୍ବଦେଶ ଫେରାଇ ଆଣିବାକୁ ସମଗ୍ର ଜର୍ମାନି ଦେଶକୁ ମୋର ଆକୁଳ ନିବେଦନ।
Image Courtesy of India Todayସୂଚନାଯୋଗ୍ୟ, ଶନିବାର ପ୍ରତ୍ୟୁଷରେ ହମାସ୍ ଆତଙ୍କବାଦୀମାନେ ଇସ୍ରାଏଲ୍ ଆକ୍ରମଣ ଓ ଅନୁପ୍ରବେଶ କରିବା ବେଳେ ‘ଟାଟୁ’ ଶିଳ୍ପୀ ଶାନି ଲୌକ୍ ଗାଜା ଷ୍ଟ୍ରିପ୍ ସନ୍ନିକଟ ଉରିମ୍ ପାଖ ନେଗେଭ୍ ମରୁଭୂମିର ସମତଳ ଅଞ୍ଚଳରେ ଆୟୋଜିତ ‘ଟ୍ରାଇବ୍ ଅଫ୍ ସୁପେରୋଭା’ ସଙ୍ଗୀତ ମହୋତ୍ସବସ୍ଥଳରେ ଉପସ୍ଥିତ ଥିଲେ। ହମାସ୍ ଆତଙ୍କବାଦୀମାନେ ତାଙ୍କୁ ଧରି ନେଇ ଗୋଟାଏ ‘ପିକ୍-ଅପ୍’ ଟ୍ରକ୍ ପଛରେ ରଖି ନଗରୀ ରାସ୍ତା ପରିକ୍ରମା କରାଇଥିଲେ।
ଶନିବାର ଦିନ ଏହି ପରିକ୍ରମଣ ଦୃଶ୍ୟର ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା। ଭିଡିଓରେ ଦେଖାଯାଉଥିଲା, ଅନ୍ୟୂନ ଦୁଇଜଣ ହମାସ୍ ଆତଙ୍କବାଦୀ ସେ ଅର୍ଦ୍ଧନଗ୍ନା ତରୁଣୀଙ୍କ ଶବ ଧରି ପିକ୍-ଅପ୍ ଟ୍ରକ୍ରେ ବସିଛନ୍ତି। ଜଣେ ମୃତା ତରୁଣୀଙ୍କ ଦେହ ଧରିଥିବା ବେଳେ ଆଉ ଜଣେ ତା’ର ପାଦ ଯୋଡ଼ିକ ଧରିଛନ୍ତି। ମହିଳାଙ୍କ ହାତ ବନ୍ଧା ଯାଇଛି। ମୁହଁ ତଳକୁ କରି ରଖାଯାଇଛି। ଆଉ କେତେ ଜଣ ଆତଙ୍କବାଦୀ ସେ ତରୁଣୀଙ୍କ ଶବ ସହିତ କଦର୍ଯ୍ୟ ଆଚରଣ କରୁଛନ୍ତି। ଛେପ ପକାଇବା ସହିତ ଚାପୁଡ଼ା ମାରୁଛନ୍ତି।
Follow Us