ଜର୍ମାନୀରେ ସିରିଏଲ୍‌ ହତ୍ୟାକାଣ୍ଡ: ୩୦୦ ରୋଗୀଙ୍କୁ ହତ୍ୟା କରିଛି ନର୍ସ

ଜର୍ମାନୀରେ ସିରିଏଲ୍‌ ହତ୍ୟାକାଣ୍ଡ: ୩୦୦ ରୋଗୀଙ୍କୁ ହତ୍ୟା କରିଛି ନର୍ସ

ଓଲ୍‌ଡେନ୍‌ବର୍ଗ: ଏକବିଂଶ ଶତାବ୍ଦୀରେ ଜର୍ମାନୀରେ ଏମିତି ଏକ ସିରିଏଲ୍‌ ହତ୍ୟାକାଣ୍ଡ ଘଟିଛି ଯାହା ବିଂଶ ଶତାବ୍ଦୀର ନାଜି ଶାସନବେଳର ନରସଂହାର କଥା ମନେ ପକାଇଦେଉଛି। ନୀଲ୍‌ ହଜେଲ୍‌ ନାମକ ନର୍ସ ୫ ବର୍ଷ ମଧ୍ୟରେ ୩୦୦ ରୋଗୀଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା, ନର୍ସ ଜଣକ ଏତେ ଲୋକଙ୍କୁ ହତ୍ୟା କରିଥିଲେ ମଧ୍ୟ ଏହାକୁ କିଭଳି ରୋକାଯାଇପାରିଲା ନାହିଁ ତାହା ସମସ୍ତଙ୍କୁ ଚକିତ କରିଦେଇଛି।

୪୨ ବର୍ଷୀୟ ହଜେଲ୍‌ ୪୩ ଜଣକୁ ହତ୍ୟା କରିଥିବା ସ୍ୱୀକାର କରିଥିବା ବେଳେ ଅନ୍ୟ ୫ ଜଣଙ୍କ ହତ୍ୟାକୁ ଅସ୍ୱୀକାର କରିଛି। ଅନ୍ୟ ମାମଲାଗୁଡ଼ିକର ବିଚାର ପ୍ରକ୍ରିୟା ଜାରି ରହିଛି। ତେବେ ୨୦୦୦ ମସିହାରୁ ହତ୍ୟାକାଣ୍ଡ ଆରମ୍ଭ ହୋଇଥିବା ବେଳେ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୩୦୦ ଜଣଙ୍କୁ ହତ୍ୟା କରାଯାଇଥିବା ଅନୁସନ୍ଧାନକାରୀ ଅଧିକାରୀମାନେ ସନ୍ଦେହ କରିଛନ୍ତି। ହଜେଲ୍‌ ବର୍ତ୍ତମାନ ୨ ରୋଗୀଙ୍କୁ ହତ୍ୟା କରିଥିବା ଏବଂ ଅନ୍ୟ ୪ ଜଣଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଅପରାଧରେ ଆଜୀବନ କାରାଦଣ୍ଡ ଭୋଗୁଛି। ସୂଚନା ଅନୁଯାୟୀ, ହଜେଲ୍‌ ପ୍ରଥମେ ଓଲ୍‌ଡେନ୍‌ବର୍ଗର ଗୋଟିଏ ହସ୍‌ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲା। ତେବେ ସେଠାରେ ବହୁତ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁ ହେବା ପରେ ତାକୁ ସେଠାରୁ ବିଦା କରିଦିଆଯାଇଥିଲା। ପରେ ସେ ଡେଲ୍‌ମେନହର୍ସ୍ତ ହସ୍‌ପିଟାଲରେ ଯୋଗ ଦେଇଥିଲା। ତେବେ ସେ ପୂର୍ବରୁ କାର୍ଯ୍ୟ କରୁଥିବା ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ଆଡ଼ୁ କୌଣସି ଆପତ୍ତି କରାଯାଇନଥିଲା କି ହଜେଲ୍‌ର ସନ୍ଦେହେଜନକ କାର୍ଯ୍ୟକଳାପ ଉପରେ କୌଣସି ସୂଚନା ଦିଆଯାଇନଥିଲା। ତେଣୁ ସେଠାରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ତଦନ୍ତ ପରିସରକୁ ଆସିଛନ୍ତି। ତଥ୍ୟ ଲୁଚାଇବା ଯୋଗୁଁ ୨ ଜଣ ଡାକ୍ତର ଏବଂ ୨ ଜଣ ମୁଖ୍ୟ ନର୍ସଙ୍କ ବିରୋଧରେ ନରସଂହାର ମାମଲା ରୁଜୁ ହୋଇଛି। କ୍ରମାଗତ ହତ୍ୟାକାଣ୍ଡର ତଦନ୍ତ ପାଇଁ ଜର୍ମାନୀ, ପୋଲାଣ୍ଡ ଏବଂ ତୁର୍କୀରେ ୧୩୦ ଜଣଙ୍କ ଶବକୁ ଶ୍ମଶାନରୁ ବାହାର କରାଯାଇ ଅନୁସନ୍ଧାନ କରାଯାଇଛି। ଏଥିପାଇଁ ପ୍ରାୟ ୧୦ ବର୍ଷ ସମୟ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe