ପରଲୋକରେ ଗିରୀଶ କନ୍ନଡ଼

Advertisment
ପରଲୋକରେ ଗିରୀଶ କନ୍ନଡ଼

Hindustan

ବେଙ୍ଗାଲୁରୁ : ଭାରତୀୟ ସିନେମା, ସାହିତ୍ୟ ଓ ଥିଏଟର ଜଗତର କିମ୍ବଦନ୍ତୀ ପୁରୁଷ ଗିରୀଶ କନ୍ନଡ଼ଙ୍କର ଆଜି ସକାେଳ ବେଙ୍ଗାଲୁରୁଠାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ଏହି ପ୍ରତିଭାବାନ ବ୍ୟକ୍ତିଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିଲେ। ତାଙ୍କର ଶେଷକୃତ୍ୟ ଆଜି ସ୍ଥାନୀୟ ବ୍ୟାପାନାହାଲି ସ୍ଥିତ କଲପାଲି ଇଲେକ୍ଟ୍ରିକ ଚୁଲ୍ଲାରେ ସମ୍ପନ୍ନ ହୋଇଛି। ଜ୍ଞାନପୀଠ ପୁରସ୍କାର ବିଜେତା ଗିରୀଶ ଉଭୟ ସିନେମା ଏବଂ ଥିଏଟର ଜଗତରେ ଅତ୍ୟନ୍ତ ଲୋକପ୍ରିୟ ଥିଲେ।

୧୯୩୮ ମସିହାରେ ସେ ମହାରାଷ୍ଟ୍ରରେ ଜନ୍ମ ଗ୍ରହଣ କରିଥିଲେ। ଚେନ୍ନାଇର ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସରେ ସେ ୭ ବର୍ଷ ଧରି ଚାକିରି କରିଥିଲେ। ଏହାପରେ ଆମେରିକାର ଚିକାଗୋ ବିଶ୍ବବିଦ୍ୟାଳୟରେ ସେ ପ୍ରଫେସର ଭାବେ ଯୋଗ ଦେଇଥିଲେ। କିନ୍ତୁ ସେଠାରୁ ସେ ଚାକିରି ଛାଡ଼ି ଭାରତ ଫେରି ଆସି ସିନେମା ଜଗତରେ ପାଦ ଥାପିଥିଲେ। ୧୯୭୦ ମସିହାରେ କନ୍ନଡ ଚଳଚ୍ଚିତ୍ର ସଂସ୍କାରରୁ ସେ ତାଙ୍କ ଅଭିନୟ ଜୀବନ ଏବଂ ଚିତ୍ରନାଟ୍ୟ ରଚନା ଆରମ୍ଭ କରିଥିଲେ। ୧୯୭୪ରେ ତାଙ୍କୁ ପଦ୍ମଶ୍ରୀ ଏବଂ ୧୯୯୨ରେ ପଦ୍ମ ବିଭୂଷଣ ଉପାଧି ପ୍ରଦାନ କରାଯାଇଥିଲା। କନ୍ନଡ଼ରେ ଲିଖିତ ତାଙ୍କ ନାଟକଗୁଡ଼ିକ ଇଂରାଜୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାଗୁଡ଼ିକରେ ଅନୁଦିତ ହୋଇ ବେଶ୍ ଲୋକପ୍ରିୟତା ହାସଲ କରିଥିଲା। ସାହିତ୍ୟ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୯୮ ମସିହାରେ ତାଙ୍କୁ ଜ୍ଞାନପୀଠ ପୁରସ୍କାର ମିଳିଥିଲା। ମନ୍ଥନ, ପୁକାର, ଇକବଲ, ଏକ୍ ଥା ଟାଇଗର ଏବଂ ଟାଇଗର ଜିନ୍ଦା ହୈ ଭଳି ହିନ୍ଦୀ ସିନେମାରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ସଂଳାପ ଲେଖି ସେ ବିଶେଷ ପ୍ରସିଦ୍ଧି ଅର୍ଜନ କରିଥିଲେ। ଏଥିସହିତ ଦକ୍ଷିଣ ଭାରତୀୟ ଭାଷା ତାମିଲ, ତେଲୁଗୁ ଏବଂ କନ୍ନଡ଼ ଭାଷାରେ ନିର୍ମିତ ଅନେକ ସିନେମାରେ ସେ ନିଖୁଣ ଅଭିୟନ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ୨୦୧୮ରେ ଶେଷଥର ପାଇଁ ସେ ନିନିଲାଡ଼ା ମାଲେ ନାମକ ଏକ କନ୍ନଡ଼ ସିନେମାରେ ଅଭିନୟ କରିଥିଲେ। ଏଥିସହିତ ଟିଭିରେ ପ୍ରସାରିତ ଧାରାବାହିକ ମାଲାଗୁଡ଼ି ଡେଜ୍‌ରେ ବାପା ଚରିତ୍ରରେ ତାଙ୍କର ଅଭିନୟ ବେଶ୍ ପ୍ରଶଂସନୀୟ ହୋଇଥିଲା। ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe