Gold Loot Photograph: (sambad.in)
ଟରଣ୍ଟୋ: କାନାଡା ପୁଲିସ ଦେଶର ସବୁଠାରୁ ବଡ ସୁନା ଚୋରି ମାମଲାରେ ଏକ ବଡ ସଫଳତା ପାଇଛି। "ପ୍ରୋଜେକ୍ଟ ୨୪କେ"ର ଏକ ଅଂଶ ଭାବରେ, ୪୩ ବର୍ଷୀୟ ଅର୍ସଲାନ ଚୌଧୁରୀଙ୍କୁ ଟୋରଣ୍ଟୋ ପିଅର୍ସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ କରାଯାଇଛି । ସେ ଦୁବାଇରୁ କାନାଡା ଫେରୁଥିଲେ । ପୁଲିସ ଅନୁସାରେ, ଚୌଧୁରୀଙ୍କର କୌଣସି ସ୍ଥାୟୀ ଠିକଣା ନାହିଁ।ଏପ୍ରିଲ ୨୦୨୩ ରେ ବିମାନବନ୍ଦରରୁ ୪୦୦ କିଲୋଗ୍ରାମ ଖାଣ୍ଟି ସୁନା (ପ୍ରାୟ ୬,୦୦୦ବାର୍) ଓ ୨.୫ ନିୟୁତ ଡଲାର ବିଦେଶୀ ମୁଦ୍ରା ଚୋରି ହୋଇଥିଲା। ଏହା ଜୁରିଚ୍ରୁ ଆସିଥିଲା ​​ଏବଂ ରହସ୍ୟମୟ ଭାବରେ ବିମାନବନ୍ଦର ପରିସରରୁ ଗାଏବ ହୋଇଯାଇଥିଲା।
ଚୌଧୁରୀଙ୍କ ବିରୋଧରେ ୫,୦୦୦ ଡଲାରରୁ ଅଧିକ ଚୋରି, ଅପରାଧ ଦ୍ଵାରା ପ୍ରାପ୍ତ ସମ୍ପତ୍ତି ଦଖଲ ଏବଂ ଷଡ଼ଯନ୍ତ୍ର ଅଭିଯୋଗ ରହିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କ ବିରୋଧରେ ଅଭିଯୋଗ କରାଯାଇ ୱାରେଣ୍ଟ ଜାରି ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଅନ୍ୟ ଜଣକ ଏୟାର କାନାଡାର ପୂର୍ବତନ କର୍ମଚାରୀ ସିମରନ ପ୍ରୀତ ପାନେସର। ସେ ଭାରତରେ ଲୁଚି ରହିଛନ୍ତି। ସେ ଏୟାରଲାଇନ୍ସର ସିଷ୍ଟମକୁ ହେରଫେର କରି ଚାଲାଣକୁ ଅନ୍ୟତ୍ର ପଠାଇବାରେ ସାହାଯ୍ୟ କରିଥିଲେ। ଗତ ବର୍ଷ, ସେ ଚଣ୍ଡିଗଡ଼ର ଉପକଣ୍ଠରେ ଏକ ଭଡା ଘରେ ରହୁଥିବାରୁ ସନ୍ଧାନ ମିଳିଥିଲା। ତାଙ୍କ ବିରୋଧରେ କାନାଡାରେ ୱାରେଣ୍ଟ ଜାରି କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ, ବ୍ରାମ୍ପଟନ୍ ନିବାସୀ ଅର୍ଚ୍ଚିତ ଗ୍ରୋଭରଙ୍କୁ ଭାରତରୁ ଆସିବା ସମୟରେ ମେ’ ୨୦୨୪ରେ ପିଅର୍ସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ କରାଯାଇଥିଲା।
ଏପର୍ଯ୍ୟନ୍ତ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଏୟାର କାନାଡାର ପୂର୍ବତନ କର୍ମଚାରୀ ପରମପାଲ ସିଦ୍ଧୁ (୫୪) ଅଣ୍ଟାରିୟ ବାସିନ୍ଦା ଅମିତ ଜଲୋଟା (୪୦)। ଏହି ମାମଲାରେ ବ୍ରାମ୍ପଟନର ୩୬ ବର୍ଷୀୟ ପ୍ରସାଦ ପାରାମାଲିଙ୍ଗମ ଏବଂ ଟୋରଣ୍ଟୋର ୩୭ ବର୍ଷୀୟ ଅଲି ରାଜାଙ୍କୁ ମଧ୍ୟ ଗିରଫ କରାଯାଇଛି।ବ୍ରାମ୍ପଟନ୍ ବାସିନ୍ଦା ୪୩ ବର୍ଷୀୟ ଅମ୍ମାଦ ଚୌଧୁରୀ ଏବଂ ୨୭ ବର୍ଷୀୟ ଡୁରାଣ୍ଟେ କିଙ୍ଗ-ମ୍ୟାକଲିନ୍ଙ୍କୁ ମଧ୍ୟ ଗିରଫ କରାଯାଇଛି। ଅସ୍ତ୍ରଶସ୍ତ୍ର ଚାଲାଣ ସହ ଜଡିତ ଅଭିଯୋଗରେ କିଙ୍ଗ-ମ୍ୟାକଲିନ୍ ବର୍ତ୍ତମାନ ଆମେରିକାରେ ଅଟକ ଅଛନ୍ତି।ପୁଲିସ ମୁଖ୍ୟ ନିଶାନ ଦୁରାଇଆପ୍ପା କହିଛନ୍ତି, ଏହି ତଦନ୍ତରୁ ଜଣାପଡିଛି ଯେ, ଆମ ଦଳ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇପାରିଛି। ଅପରାଧି ଯେଉଁଠାରେ ମଧ୍ୟ ଲୁଚି ରୂହନ୍ତୁ ଆମେ ସେମାନଙ୍କୁ ଖୋଜି ବାହାର କରିବୁ।
Follow Us