ଦୁବାଇ: ଦକ୍ଷିଣ ଏସିଆର ଯୁଦ୍ଧ ସ୍ଥିତି ଅନେକ ସମସ୍ୟା ସୃଷ୍ଟି କରିଛି। ସେଥିରୁ ଗୋଟିଏ ହେଉଛି ସୁନା କା‌ରବାରରେ ସମସ୍ୟା। କିଛି ବର୍ଷ ମଧ୍ୟରେ ଦୁବାଇ ସୁନା କାରବାର ଏକ ପ୍ରମୁଖ ହବ୍‌ରେ ପରିଣତ ହୋଇଛି। ସେହି ବାଟ ଦେଇ ବିଶ୍ବର ବିଭିନ୍ନ ପ୍ରାନ୍ତକୁ ସୁହା ଯୋଗାଣ ହେଉଥିଲା। ଇରାନ ସହ ଆମେରିକା ଓ ଇସ୍ରାଏଲ ଯୁଦ୍ଧ କରୁଥିବାରୁ ଟନ୍‌ ଟନ୍‌ ସୁନା ଦୁବାଇରେ ଫସିରହିଛି। ଯୁଦ୍ଧ ପ୍ରଭାବରେ ବିମାନ ଉଡ଼ାଣ ପ୍ରଭାବିତ ହେବା ପରେ ସୁନାକୁ ଅନ୍ୟତ୍ର ନେବା ସମ୍ଭବ ହେଉନାହିଁ। ସେଥିପାଇଁ ଟ୍ରେଡର୍‌ମାନେ ସେହି ସୁନାକୁ ବିପୁଳ ରିହାତିରେ ବିକ୍ରି କରୁଛନ୍ତି। ସୁନା ବରାଦ ଦେଉଥିବା ଅଧିକାଂଶ ଗ୍ରାହକ ଯୁଦ୍ଧକୁ ଭୟ କରି ନୂଆ ବରାଦ ଦେଉନାହାନ୍ତି। କାରଣ ସୁନା ସୁବିଧାରେ ପହଞ୍ଚିବାର କୌଣସି ଗ୍ୟାରେଣ୍ଟି ବିକ୍ରେତା ଦେଉନାହାନ୍ତି।

Advertisment

ଅଧିକପଢ଼ନ୍ତୁ:ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ପରୀକ୍ଷାଫଳ: ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଏଭଳି ପରିସ୍ଥିତିରେ ମୋଟା ଅଙ୍କର ଜାହାଜ ପରିବହନ ଓ ବୀମା ଖର୍ଚ୍ଚ ମୁଣ୍ଡାଇବାକୁ ଗ୍ରାହକମାନେ ଚାହୁନାହାନ୍ତି। କ୍ରେତାମାନଙ୍କୁ ଆକର୍ଷିତ କରିବା ଲାଗି ଟ୍ରେଡର୍‌ମାନେ ଏବେ ଆଉନ୍ସ ପିଛା ୫୦ ଡଲାର ପର୍ଯ୍ୟନ୍ତ ରିହାତି ଦେଉଛନ୍ତି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ୫୦୦୦ ଡଲାର ପାଖାପାଖି ରହିଛି। ଦୁବାଇ ହେଉଛି ସୁନା ବିଶୋଧନ ଓ ରପ୍ତାନିର ଏକ ପ୍ରମୁଖ ହବ୍‌। ଏହି ସହରରୁ ଏସିଆର ବିଭିନ୍ନ ପ୍ରାନ୍ତକୁ ସୁନା ପଠାଯାଏ।

ଏହାବ୍ୟତୀତ ସ୍ବିଜରଲ୍ୟାଣ୍ଡ, ବ୍ରିଟେନ ଓ ଆଫ୍ରିକାର ବିଭିନ୍ନ ଦେଶରୁ ମଧ୍ୟ ସୁନା ଅଣାଯାଏ ଓ ପଠାଯାଇଥାଏ। ଇରାନ ସହ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ସପ୍ତମ ଦିନରେ ପହଞ୍ଚିଛି। ଇରାନ କ୍ଷେପଣାସ୍ତ୍ର ମାଡ଼ କରୁଥିବାରୁ ଦୁବାଇ ଆକାଶମାର୍ଗକୁ ବନ୍ଦ କରିଦିଆଯାଇଛି। ତେଣୁ ବିମାନ ଉଡ଼ାଣ ସମ୍ଭବ ହେଉନାହିଁ। କିଛି ବିମାନରେ ସୁନା ଭର୍ତି କରାଯାଇଥିଲେ ମଧ୍ୟ ତାହାକୁ ଉଡ଼ାଣ ଅନୁମତି ମିଳୁନାହିଁ। ସୁନାକୁ ସାଧାରଣତଃ ଯାତ୍ରୀବାହୀ ବିମାନର ପଣ୍ୟ ସ୍ଥାନରେ ପରିବହନ କରାଯାଏ। ଦୁବାଇରୁ ସୁନାକୁ ଅନ୍ୟ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଯଥା ସାଉଦିଆରବ ଓ ଓମାନକୁ ପଠାଇବାକୁ ମଧ୍ୟ ବ୍ୟବସାୟୀମାନେ ଚାହୁନାହାନ୍ତି। କାରଣ ସେଠାରୁ ସଡ଼କ ପଥ ଦେଇ ସୁନା ଅନ୍ୟତ୍ର ନେବାକୁ ହେଲେ ବ୍ୟାପକ କାଗଜପତ୍ର କାମ କରିବାକୁ ପଡ଼ିଥାଏ। ସେଭଳି ଜଟିଳ ବ୍ୟାପାରର ଚିନ୍ତା ମୁଣ୍ଡାଇବାକୁ କେହି ଚାହୁନାହାନ୍ତି।

ଗତ ଜାନୁଆରିରେ ଦେଶକୁ ବିପୁଳ ପରିମାଣର ସୁନା ଆମଦାନୀ ହୋଇଥିଲା

ଦୁବାଇରୁ ସୁନା ଆସିପାରୁନଥିବାରୁ ଭାରତରେ ସୁନାର ଅଭାବ ପରିଲକ୍ଷିତ ହୋଇଥିବା ଅଗମୋଣ୍ଟ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ର ଗବେଷଣା ମୁଖ୍ୟ ରେନିଦର ଚାଇନାନି କହିଛନ୍ତି। ତେବେ ନିକଟ ଭବିଷ୍ୟତରେ ସୁନାକୁ ନେଇ ସେଭଳି କୌଣସି ଅସୁବିଧା ହେବାର ନାହିଁ। କାରଣ ଗତ ଜାନୁଆରିରେ ଦେଶକୁ ବିପୁଳ ପରିମାଣର ସୁନା ଆମଦାନୀ ହୋଇଥିଲା। ଏମିତିରେ ସୁନା ଦର ଆକାଶଛୁଆଁ ସ୍ତରରେ ଥିବାରୁ ଗ୍ରାହକ ଚାହିଦା ଏତେଟା ଉତ୍ସାହଜନକ ନାହିଁ। ବର୍ତ୍ତମାନର ଆବଶ୍ୟକତା ପୂରଣ ହେବା ଭଳି ସୁନା ଦେଶରେ ରହିଛି ବୋଳି ମେଟାଲ୍‌ସ ଫୋକ୍‌ସର ପ୍ରମୁଖ ପରାମର୍ଶଦାତା ଚିରାଗ ସେଠ୍‌ କହିଛନ୍ତି।

ଅଧିକପଢ଼ନ୍ତୁ:ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ପରୀକ୍ଷାଫଳ: ଅନୁଜ ଅଗ୍ନିହୋତ୍ରୀ ଟପ୍ପର