ସୁଶାସନ ସୂଚକାଙ୍କ: ୧୪ତମ ସ୍ଥାନରେ ଓଡ଼ିଶା

Advertisment
ସୁଶାସନ ସୂଚକାଙ୍କ: ୧୪ତମ ସ୍ଥାନରେ ଓଡ଼ିଶା

ddnews.gov.in

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପ୍ରଥମଥର ପାଇଁ ସୁଶାସନ ସୂଚକାଙ୍କ ଜାରି କରିଛନ୍ତି। କୃଷି ଓ ସମ୍ବନ୍ଧିତ କ୍ଷେତ୍ର, ମାନବସମ୍ବଳ ବିକାଶ, ଜନସ୍ବାସ୍ଥ୍ୟ , ସାର୍ବଜନିକ ଭିତ୍ତିଭୂମି ଓ ଉପଯୋଗ, ଆର୍ଥିକ ଶାସନ, ସାମାଜିକ କଲ୍ୟାଣ ବିକାଶ, ନ୍ୟାୟିକ ଓ ସାର୍ବଜନିକ ସୁରକ୍ଷା, ପରିବେଶ ଭଳି ୧୦ ‌କ୍ଷେତ୍ର ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଦର୍ଶନର ମୂଲ୍ୟାଙ୍କନ କରାଯାଇଛି। ଏହି ସୂଚକାଙ୍କରେ ଓଡ଼ିଶା ତଳ ଆଡ଼ୁ ପଞ୍ଚମ ଅର୍ଥାତ୍‌ ଚତୁର୍ଦ୍ଦଶ ସ୍ଥାନରେ ରହିଛି।

ସୁଶାସନ ସୂଚକାଙ୍କରେ ସ୍ଥାନିତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତିନୋଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା। ୧୮ଟି ବଡ଼ ରାଜ୍ୟ, ୧୧ଟି ପୂର୍ବୋତ୍ତର ଓ ପାର୍ବତ୍ୟ ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଅଲଗା ଅଲଗା ଭାବେ ରୢାଙ୍କିଂ କରାଯାଇଥିଲା। ସୂଚକାଙ୍କ ତାଲିକାରେ ତାମିଲନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ଗୁଜରାଟ ପ୍ରଥମ ୬ଟି ସ୍ଥାନରେ ରହିଥିବାବେଳେ ଓଡ଼ିଶା, ବିହାର, ଗୋଆ, ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ତାଲିକାର କ୍ରମରେ ନିମ୍ନରେ ରହିଛନ୍ତି। ୧୮ଟି ବଡ଼ ରାଜ୍ୟମାନଙ୍କ ତାଲିକାରେ ଓଡ଼ିଶା ପ୍ରଥମ ୧୦ଟି ରାଜ୍ୟର ତାଲିକାରେ ସ୍ଥାନ ପାଇବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି। ପୂ‌େର୍ବାତ୍ତର ଓ ପାର୍ବତ୍ୟ ରାଜ୍ୟମାନଙ୍କ ତାଲିକାରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ତ୍ରିପୁରା କ୍ରମାନୁସାରେ ଶୀର୍ଷରେ ଥିବାବେଳେ ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶ ତାଲିକାର ସବାତଳେ ରହିଛନ୍ତି। ସେହିଭଳି କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ ପୁଡ଼ୁଚେରୀ, ଚଣ୍ଡୀଗଡ଼ ଶୀର୍ଷରେ ଥିବାବେଳେ ଲା‌କ୍ଷାଦ୍ବୀପ ନିମ୍ନରେ ରହିଛି।

ବିଭିନ୍ନ ୫୦ଟି ସୂଚକାଙ୍କ ଅନ୍ତର୍ଗତ ରାଜ୍ୟମାନଙ୍କ ସ୍ଥିତି ଆକଳନ ସୁଶାସନ ସୂଚକାଙ୍କରେ କରାଯାଇଛି। କ୍ଷେତ୍ରଵାରି ଆକଳନରେ ସାର୍ବଜନିକ ଭିତ୍ତିଭୂମି ଓ ଉପଯୋଗରେ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିବା ଜଣାପଡ଼ିଛି। ଏଥିରେ ଓଡ଼ିଶା ସର୍ବନିମ୍ନ ୧୮ତମ ସ୍ଥାନରେ ରହିଛି। ସାର୍ବଜନିକ ଭିତ୍ତିଭୂମି ଓ ଉପଯୋଗ ସୂଚକାଙ୍କରେ ପାନୀୟ ଜଳ ଉପଲବ୍ଧତା, ଖୋଲାରେ ଶୌଚମୁକ୍ତ ସହର ଗୁଡ଼ିକ, ମଳମୁକ୍ତ ଘୋଷିତ ଗାଁ, ଗ୍ରାମୀଣ ପରିବାର ମାନଙ୍କ ପାଇଁ ଯୋଗାଯୋଗ, ଏଲ୍‌ପିଜି ଓ ପିଏନଜିର ଉପଲବ୍ଧତା, ଦିନରାତି ୨୪ ଘଣ୍ଟା ବିଦ୍ୟୁତ ଯୋଗାଣର ଉପଲବ୍ଧତା, ମୁଣ୍ଡପିଛା ପାଵାର ବ୍ୟବହାର ଆକଳନରେ ଓଡ଼ିଶାର ସ୍କୋର୍‌ ହେଉଛି ୦.୫୦। ଜନସ୍ବାସ୍ଥ୍ୟରେ ଓଡ଼ିଶାର ସ୍ଥାନ ୧୮ରେ ରହିଛି। ଜନସ୍ବାସ୍ଥ୍ୟ ସୂଚକାଙ୍କରେ ଶିଶୁ ମୃତ୍ୟୁ ହାର, ମାତୃ ମୃତ୍ୟୁ ହାର, ସମୁଦାୟ ମୃତ୍ୟୁ ହାର, ଟୀକାକରଣର ସଫଳତା, ସର୍ବସାଧାରଣ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ର ଉପଲବ୍ଧତା ତଥା ସର୍ବସାଧାରଣ ସ୍ବାସ୍ଥ୍ୟକେନ୍ଦ୍ରରେ ୨୪ ଘଣ୍ଟିଆ କାର୍ଯ୍ୟକାରିତାରେ ଓଡ଼ିଶାର ସ୍କୋରିଂ ରହିଛି ୧୬ । ବାଣିଜ୍ୟ ଓ ଶିଳ୍ପ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୧୩, ନ୍ୟାୟିକ ଓ ସର୍ବସାଧାରଣଙ୍କ ସୁରକ୍ଷା ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୧୩, ମାନବ ସମ୍ବଳ ବିକାଶର ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୧୨, କୃଷି ଓ ସମ୍ବନ୍ଧିତ କ୍ଷେତ୍ର ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୧୦, ଆର୍ଥିକ ଶାସନ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୯, ସାମାଜିକ କଲ୍ୟାଣ ବିକାଶ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୬ ଓ ପର୍ଯ୍ୟାବରଣ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୫ ରହିଛି। ସାମଗ୍ରିକ ପ୍ରଦର୍ଶନକୁ ବିଚାରକୁ ନେଇ ଓଡ଼ିଶା ଓଡ଼ିଶା ଚତୁର୍ଦ୍ଦଶ ସ୍ଥାନରେ ରହିଥିବା ଦର୍ଶାଯାଇଛି।

ସୁଶାସନ ଇଣ୍ଡେକ୍ସ ବା ସୂଚକାଙ୍କ ପ୍ରସ୍ତୁତ କରିବା ପାଇଁ ମୋଦୀ ସରକାରଙ୍କର ପ୍ରଥମ ପାଳିରେ ପରିକଳ୍ପନା କରାଯାଇଥିଲା। ଶାସନକୁ ବଳିଷ୍ଠ କରିବା ପାଇଁ ନୀତି ଗୁଡ଼ିକୁ ପ୍ରସ୍ତୁତ କରିବା ତଥା ଉପଯୁକ୍ତ ରଣନୀତି ପାଇଁ ଏହାର ଆବଶ୍ୟକତା ରହିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଶେଷରେ, ମୋଦୀ ସରକାରଙ୍କ ଦ୍ବିତୀୟ ପାଳିରେ ଏହା ସମ୍ପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe