ଟ୍ରମ୍ପ୍‌ଙ୍କ ବିଦେଶୀ କାର୍ଯ୍ୟ ଭିସା ରଦ୍ଦ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ନାପସନ୍ଦ, ସୁନ୍ଦର ପିଚାଇଙ୍କ ସମେତ ମାଇକ୍ରୋସଫ୍ଟ ଓ ଟ୍ବିଟ୍‌ର ପକ୍ଷରୁ ଅସନ୍ତୋଷ ବ୍ୟକ୍ତ

ଟ୍ରମ୍ପ୍‌ଙ୍କ ବିଦେଶୀ କାର୍ଯ୍ୟ ଭିସା ରଦ୍ଦ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ନାପସନ୍ଦ, ସୁନ୍ଦର ପିଚାଇଙ୍କ ସମେତ ମାଇକ୍ରୋସଫ୍ଟ ଓ ଟ୍ବିଟ୍‌ର ପକ୍ଷରୁ ଅସନ୍ତୋଷ ବ୍ୟକ୍ତ

The Economic Times

ୱାଶିଂଟନ୍‌: ଏଚ୍-୧ବି ଭିସା ସମେତ ଚାକିରି କରୁଥିବା ପ୍ରବାସୀମାନଙ୍କ ପାଇଁ ଲାଗୁ ହୋଇଥିବା  ଅନ୍ୟ କିଛି ଚାକିରି ଅନୁମତିପତ୍ର ରଦ୍ଦ କରିବା ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନେଇଥିବା ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ। ସୋମବାର ରା‌ଷ୍ଟ୍ରପତି ଟ୍ରମ୍ପ୍‌ ମହାମାରୀ କୋଭିଡ୍-୧୯ ଯୋଗୁଁ ଆମେରିକାରେ ଦେଖାଦେଇଥିବା ବେକାରି ସମସ୍ୟାକୁ ଦୃଷ୍ଟିରେ ରଖି ସେଠାରେ ଚାକିରି କରୁଥିବା ପ୍ରବାସୀମାନଙ୍କ ପାଇଁ ଲାଗୁ ହୋଇଥିବା ଏହି ଭିସାକୁ ରଦ୍ଦ କରିବା ନିଷ୍ପତ୍ତି ନେଇଥିଲେ।

ଟ୍ରମ୍ପ୍‌ ତାଙ୍କର ଘୋଷଣା କରିବାର କିଛି ସମୟ ପରେ ପିଚାଇ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ର ସହାୟତା ନେଇ ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ସେ ଲେଖିଛନ୍ତି, ‘ଆମେରିକାର ଆର୍ଥିକ ସଫଳତାରେ ପ୍ରବାସୀମାନଙ୍କର ବହୁତ ଯୋଗଦାନ ରହିଛି। ସେମାନଙ୍କ ପାଇଁ ଟେକ୍‌ନୋଲୋଜି କ୍ଷେତ୍ରରେ ବିଶ୍ବରେ ନେତୃତ୍ବ ନେଇପାରୁଛି ଆମରେିକା। ସେହି ଅଗ୍ରଣୀ କମ୍ପାନିଗୁଡ଼ିକ ଭିତରୁ ଗୁଗୁଲ୍‌ ଅନ୍ୟତମ। ମାତ୍ର ଆଜିର ଘୋଷଣା ନୈରାଶ୍ୟଜନକ। ଆମେ ପ୍ରବାସୀଙ୍କ ସମର୍ଥନରେ ରହିବୁ ଓ ସମସ୍ତଙ୍କ ପାଇଁ ସୁଯୋଗ ତିଆରି କରିବୁ।’

publive-image Image Courtesy of Bloomberg

କେବଳ ପିଚାଇ ନୁହନ୍ତି ଟ୍ରମ୍ପ୍‌ଙ୍କର ଏହି ନିଷ୍ପତ୍ତିରେ ମାଇକ୍ରୋସଫ୍‌ଟ ଓ ଟ୍ବିଟର୍‌ ପକ୍ଷରୁ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ମାଇକ୍ରୋସଫ୍‌ଟର ପ୍ରେସିଡେଣ୍ଟ୍‌ ବ୍ରାଡ୍‌ ସ୍ମିଥ୍‌ କହିଛନ୍ତି କି ଆମେରିକା ଏବେ ଅଧିକ ପ୍ରବାସୀଙ୍କୁ ଆବଶ୍ୟକ କରୁଛି। ସେହିପରି ଟ୍ବିଟର୍‌ ପକ୍ଷରୁ ମଧ୍ୟ ସିରିଜ୍‌ ଟ୍ବିଟ୍‌ କରାଯାଇ ଟ୍ରମ୍ପ୍‌ଙ୍କ ଏହି ନିଷ୍ପତ୍ତିକୁ ଅସ୍ବୀକାର କରାଯାଇଛି।

ଉଲ୍ଲେଖଯୋଗ୍ୟ, ଟ୍ରମ୍ପ୍‌ଙ୍କ ଏହି ନିଷ୍ପତ୍ତିରେ ଆମେରିକାର ସୂଚନା ପ୍ରଯୁକ୍ତି, ଅର୍ଥନୀତି ଏବଂ ଆତିଥେୟତା ଆଦି କ୍ଷେତ୍ରରେ କାମ କରିବାକୁ ଆଶାୟୀ ଥିବା ପାଖାପାଖି ଅଢ଼େଇ ଲକ୍ଷ ପ୍ରବାସୀଙ୍କ ଆଶା ସ୍ବପ୍ନରେ ରହିଯିବ ବୋଲି ଆଶଙ୍କା କରାଯାଉଛି। ବିଶେଷ କରି ଭାରତୀୟ ସୂଚନା ପ୍ରଯୁକ୍ତି ବୃତ୍ତିଧାରୀମାନେ ଭୀଷଣ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe