ଜରିମାନା ବିରୋଧରେ ସୁପ୍ରିମକୋର୍ଟ ଯିବ ଗୁଗୁଲ୍

Advertisment
ଜରିମାନା ବିରୋଧରେ ସୁପ୍ରିମକୋର୍ଟ ଯିବ ଗୁଗୁଲ୍

ନୂଆଦିଲ୍ଲୀ : ବିଶ୍ବର ବୃହତ ଇଣ୍ଟରନେଟ୍ କଂପାନି ଗୁଗୁଲ୍‌ ଓ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ)ଙ୍କ ମଧ୍ୟରେ ଲମ୍ବା ଆଇନ ଲଢ଼େଇ ଚାଲିବାର ସଙ୍କେତ ମିଳିଛି। ଆଣ୍ଡ୍ରଏଡ୍‌‌ରେ ଆଧିପତ୍ୟର ଅପବ୍ୟବହାର କରୁଥିବା ଅଭିଯୋଗରେ କମିସନ ଗୁଗୁଲ୍ ଉପରେ ୧୩୩୧ କୋଟି ଟଙ୍କାର ଜରିମାନା ଲାଗୁ କରିଛନ୍ତି। ସେହି ଜରିମାନା ନଦେବା ଲାଗି କଂପାନି କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଏହି ମାମଲାରେ ନ୍ୟାସନାଲ୍ କଂପାନି ଲ’ ଆପିଲିଟ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଏଟି)ରୁ କୌଣସି ଆଶ୍ବସ୍ତି ପାଇବାରେ ବିଫଳ ହେବା ପରେ କଂପାନି ସୁପ୍ରିମ୍‌କୋର୍ଟ ଯିବାକୁ ଚାହୁଛି।

ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌ରେ ରହିଥିବା ଆଧିପତ୍ୟକୁ ଅପବ୍ୟବହାର କରୁଥିବା ଅଭିଯୋଗ କରି ଗୁଗୁଲ୍‌ ଉପରେ ସିସିଆଇ ଗତବର୍ଷ ଜରିମାନା ଲାଗୁ କରିଥିଲେ। ତେବେ ଏଥିରେ କମିସନ ଯେଉଁ ନିର୍ଦେଶ ଜାରି କରିଛନ୍ତି ତାହା ୨୦୧୮ରେ ୟୁରୋପୀୟ ସଂଘ ଆଣ୍ଡ୍ରଏଡ୍‌ ସମ୍ପର୍କରେ ଦେଇଥିବା ରାୟର ଏକ ନକଲ ବୋଲି ଗୁଗୁଲ୍ ଅଭିଯୋଗ କରିଛି। ସ୍ବାଧୀନ ଭାବେ କୌଣସି ବିଷୟରେ କମିସନ ତଦନ୍ତ କରିନଥିବା କଂପାନି କହିଛି। ଏଥି ସହିତ ଜରିମାନାକୁ କଂପାନି କୋର୍ଟ‌ରେ ଚ୍ୟା‌ଲେଞ୍ଜ୍‌ କରିଛି। କଂପାନି କହୁଛି ଯେ ଯଦି କମିସନଙ୍କ ନିର୍ଦେଶକୁ ଏହା ପାଳନ କରିବ ତେବେ ଭାରତରେ ଏହାର ଦୀର୍ଘଦିନରୁ ରହିଥିବା ବ୍ୟବସାୟ ମଡେଲ୍‌ ଓ ଗ୍ରାହକ ସ୍ବାର୍ଥ ପ୍ରଭାବିତ ହେବ। କମିସନଙ୍କ କିଛି ନିଷ୍ପତ୍ତି ଆଦୌ ପାଳନ କରାଯାଇପାରିବ ନାହିଁ ବୋଲି କଂପାନି ଭାବୁଛି। ସେଥିପାଇଁ ଏହା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଚାହୁଛି।

ଗୁଗୁଲ୍‌ ବିରୋଧରେ ଅଭିଯୋଗ ରହିଛି ଯେ ଏହା ନିଜ ଅପରେଟିଂ ସିଷ୍ଟମ୍ ଆଣ୍ଡ୍ରଏଡ୍‌କୁ ବ୍ୟବହାର କରିବା ଲାଗି ସ୍ମାର୍ଟଫୋନ୍ ନିର୍ମାଣ କରୁଥିବା ସଂସ୍ଥାଙ୍କୁ ଲାଇସେନ୍ସ ଦେଉଛି। ସେଥିରେ କିନ୍ତୁ ନିଜର କିଛି ଆପ୍‌କୁ ବାଧ୍ୟତାମୂଳକ ଭାବେ ଆଗୁଆ ଇନଷ୍ଟଲ୍‌ କରିବା ଲାଗି ସର୍ତ୍ତ ରଖୁଛି। ଏହା ପ୍ରତିଯୋଗିତା ନିୟମର ବିରୋଧାଚରଣ କରୁଛି। ଗୁଗୁଲ୍‌ର ଯୁକ୍ତି ହେଉଛି ଯେ ଏହି ବ୍ୟବସ୍ଥା ଚାଲିଥିବାରୁ କଂପାନି ମାଗଣାରେ ଏହାର ଅପରେଟିଂ ସିଷ୍ଟମ୍‌କୁ ବ୍ୟବହାର କରିବା ଲାଗି ଉପଲବ୍ଧ କରିପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe