ସରକାର-ନ୍ୟାୟପାଳିକା ବିବାଦ ଗଣତନ୍ତ୍ର ପାଇଁ ଘାତକ

Advertisment

ପୂର୍ବତନ ବିଚାରପତି ଫଲି ନରିମନଙ୍କ ବୟାନ

ପୂର୍ବତନ ବିଚାରପତି ଫଲି ନରିମନଙ୍କ ବୟାନ

ସରକାର-ନ୍ୟାୟପାଳିକା ବିବାଦ ଗଣତନ୍ତ୍ର ପାଇଁ ଘାତକ

The Indian Express

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ନେଇ ସରକାର ଓ ନ୍ୟାୟପାଳିକା ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଏହି ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ରୋହିଂଟନ ଫଲି ନରିମନ ସରକାରକୁ ଟାର୍ଗେଟ୍‌ କରିଛନ୍ତି। କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ କଲେଜିୟମ ବ୍ୟବସ୍ଥାକୁ ଲଗାତାର ସମାଲୋଚନା କରୁଥିବାରୁ ଏହାକୁ ନେଇ ସେ ବର୍ଷିଛନ୍ତି। ଏଭଳି କାର୍ଯ୍ୟ ଆଦୌ ଠିକ୍‌ ନୁହେଁ ଏବଂ କେନ୍ଦ୍ର ସରକାର କଲେଜିୟମ ଦ୍ବାରା ପ୍ରସ୍ତାବିତ ନାମକୁ ଅଟକାଇବା ଗଣତନ୍ତ୍ର ପାଇଁ ଘାତକ ବୋଲି ନରିମନ କହିଛନ୍ତି।

କଲେଜିୟମ ବ୍ୟବସ୍ଥାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ମତ ଠିକ୍‌ ହେଉ କିମ୍ବା ଭୁଲ୍‌ ତାହା ସରକାରକୁ ଗ୍ରହଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ସମ୍ବିଧାନର ସଂରଚନା ନୀତିକୁ ନେଇ ପ୍ରଶ୍ନ ଉଠାଇଥିବା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବୟାନକୁ ମଧ୍ୟ ନରିମନ ସମାଲୋଚନା କରିଛନ୍ତି। ଉପରାଷ୍ଟ୍ରପତିଙ୍କ ନାମ ନନେଇ ସେ କହିଛନ୍ତି ଯେ ସମ୍ବିଧାନର ମୂଳ ଢାଞ୍ଚାରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ନ୍ୟାୟପାଳିକା ଦ୍ବାରା ସଂସଦର ଅଧିକାର ଉଲ୍ଲଂଘନ ହେଲା ଭଳି କୌଣସି କାର୍ଯ୍ୟ ହୋଇନାହିଁ। ଯେତେବେଳେ ବି କାର୍ଯ୍ୟପାଳିକା ସମ୍ବିଧାନର ନୀତି ବାହାରକୁ ଯାଇ କାମ କରେ ସେତେବେଳେ ନ୍ୟାୟପାଳିକା ସନ୍ତୁଳନ ରକ୍ଷା ପାଇଁ ପଦକ୍ଷେପ ନେଇଥାଏ।

ସମ୍ବିଧାନର କୌଣସି ସିଦ୍ଧାନ୍ତ ବଦଳିନାହିଁ ଏବଂ ପୂର୍ବର କୌଣସି ମାମଲାକୁ ଉତ୍‌ଥାପନ କରି ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ପ୍ରୟାସ କରାଗଲେ ଆମେ ଏକ ନୂଆ ରସାତଳରେ ପ୍ରବେଶ କରିବା ବୋଲି ନରିମନ ଚେତାଇ ଦେଇଛନ୍ତି। ବିଚାରପତି ନିଯୁକ୍ତି ନେଇ ବର୍ତ୍ତମାନର ବ୍ୟବସ୍ଥାରେ ସରକାର ଯଦି ସିଧାସଳଖ ହସ୍ତକ୍ଷେପ କରିବେ ତା’ହେଲେ ଏହା ପ୍ରଚଳିତ ବ୍ୟବସ୍ଥାକୁ ଅନ୍ଧକାର ଆଡ଼କୁ ନେଇଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ବିଚାରପତି ନିଯୁକ୍ତି ନେଇ କଲେଜିୟମର କେତେକ ସୁପାରିସକୁ କେନ୍ଦ୍ର ସରକାର ଗୁଇନ୍ଦା ରିପୋର୍ଟ ଆଧାରରେ ପ୍ରତ୍ୟାଖ୍ୟାନ କରିବା ପରେ ମଧ୍ୟ କଲେଜିୟମ ଉକ୍ତ ନାମକୁ ପୁନଃ ସୁପାରିସ କରିବାରୁ ବିବାଦ ବଢ଼ିଛି। ଏହା ସହିତ କଲେଜିୟମ ବିରୋଧରେ କେନ୍ଦ୍ର ଆଇନମନ୍ତ୍ରୀ ଲଗାତାର ସାର୍ବଜନୀନ ବୟାନ ଦେବା ସହ ବିଚାରପତି ନିଯୁକ୍ତି କ୍ଷେତ୍ରରେ କଲେଜିୟମର କାର୍ଯ୍ୟକୁ ଏକଚାଟିଆ ବୋଲି ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe