Image Courtesy of the Indian Express
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅନୁମୋଦନ ପାଇଥିବା ‘ଭାରତ ବାୟୋଟେକ୍’ ନିର୍ମିତ ‘ନାଜାଲ୍ ଭ୍ୟାକ୍ସିନ୍’କୁ (ନାକରେ ପଡୁଥିବା ଟିକା) ‘କୋୱିନ୍ ଆପ୍’ରେ ସାମିଲ କରାଯିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।
ସଂଗୃହୀତ ସୂଚନା ଅନୁସାରେ, ଏହି ‘ନାଜାଲ୍ ଭ୍ୟାକ୍ସିନ୍’କୁ ସରକାର ଅନୁମୋଦନ କରିଛନ୍ତି। ‘ହେଟେରୋଲୋଜସ୍ ବୁଷ୍ଟର୍’ ଭାବେ ବ୍ୟବହାର ହେବାକୁ ଉପଯୁକ୍ତ ଏହି ଟିକା ପ୍ରଥମେ ଘରୋଇ ଡାକ୍ତରଖାନାଗୁଡ଼ିକରେ ଉପଲବ୍ଧ ହେବ। ଆଜିଠାରୁ ଏହି ଟିକାକୁ ‘କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ’ରେ ସାମିଲ କରାଯିବ।
ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ମଧ୍ୟ ରିପୋର୍ଟ କରିଛି, ‘ଭାରତ ବାୟୋଟେକ୍’ର ଅର୍ନ୍ତନାସିକା କୋଭିଡ୍ ଟିକା ଘରୋଇ ଡାକ୍ତରଖାନାରେ ମଳିବ ଏବଂ ଶୁକ୍ରବାର ସନ୍ଧ୍ୟାରେ ‘କୋୱିନ୍’ରେ ସାମିଲ କରାଯିବ।
Image Courtesy of Yahoo News Singaporeଉଲ୍ଲେଖଯୋଗ୍ୟ, ‘ବିବିଭି୧୫୪’ ନାମକ ଏହି ‘ନାଜାଲ୍ ଭ୍ୟାକ୍ସିନ୍’ ଗତ ନଭେମ୍ବର ମାସରେ ‘ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ଙ୍କ ଅନୁମୋଦନ ପାଇଥିଲା। ଏହି ଟିକାକୁ ‘ହେଟେରୋଲୋଗସ୍’ ବୁଷ୍ଟର୍ ଡୋଜ୍ ଭାବେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ କ୍ଷେତ୍ରରେ କେବଳ ଜରୁରୀକାଳୀନ ପରିସ୍ଥିତିରେ ଉପଯୋଗ କରାଯିବ ବୋଲି ଅନୁମତି ଦିଆଯାଇଥିଲା।
ସରକାରୀ ଅଧିକାରୀଙ୍କସୂତ୍ରରୁ ପ୍ରକାଶ, କୋଭିସିଲ୍ଡ୍ ଓ କୋଭାକ୍ସିନ୍ ଟିକା ନେଇଥିବା ବ୍ୟକ୍ତିମାନେ ନାକରେ ପକାଯାଉଥିବା ଦୁଇ ବୁନ୍ଦାବିଶିଷ୍ଟ ଏହି ‘ନାଜାଲ୍ ଭ୍ୟାକ୍ସିନ୍’ ନେଇପାରିବେ।
ସମ୍ପ୍ରତି ‘ଭାରତ ବାୟୋଟେକ୍’ର ‘କୋଭାକ୍ସିନ୍’, ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍’ର ‘କୋଭିସିଲ୍ଡ୍’ ଓ ‘କୋଭୋଭ୍ୟାକ୍ସ’, ରୁଷୀୟ ଟିକା ‘ସ୍ପୁଟ୍ନିକ୍-ଭି’ ଏବଂ ‘ବାୟୋଲୋଜିକାଲ୍ ଇ ଲିମିଟେଡ୍’ର ‘କୋର୍ବେଭ୍ୟାକ୍ସ’ ‘କୋୱିନ୍’ ପୋର୍ଟାଲ୍ରେ ଉପଲବ୍ଧ ହେଉଛି।
ସ୍ବାସ୍ଥ୍ୟମନ୍ତ୍ରାଳୟ କହିଛି, ଚୀନ୍, କୋରିଆ, ବ୍ରାଜିଲ୍ରୁ କୋଭିଡ୍ ସଂକ୍ରମଣ ଆରମ୍ଭ ହେବା ପରେ ଦକ୍ଷିଣ ଏସିଆକୁ ଆସେ। ଆମେ ସଜାଗ ରହିବା ଉଚିତ। ଆଜି ଏ ସଂକ୍ରାନ୍ତରେ ଆଲୋଚନା କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭିଡିଓ କନ୍ଫରେନ୍ସିଙ୍ଗ୍ରେ ଭେଟିବେ।
Follow Us