କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧହାର ହ୍ରାସ ଘୋଷଣା ଓ ପ୍ରତ୍ୟାହାର କ’ଣ ପଶ୍ଚିମବଙ୍ଗ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଚାଲ ଥିଲା?

Advertisment
କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧହାର ହ୍ରାସ ଘୋଷଣା ଓ ପ୍ରତ୍ୟାହାର କ’ଣ ପଶ୍ଚିମବଙ୍ଗ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଚାଲ ଥିଲା?

ନୂଆଦିଲ୍ଲୀ: ସଂପ୍ରତି ଦେଶର ଚାରିଟି ରାଜ୍ୟ ସମେତ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ କେନ୍ଦ୍ର ସରକାର ଯେପରି ଢ଼ଙ୍ଗରେ ବିନା କୌଣସି ପ୍ରାକ୍‌ ସୂଚନାରେ ବୁଧବାର ରାତିରେ କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାରରେ ହ୍ରାସ ଘୋଷଣା କରି ଗୁରୁବାର ସକାଳୁ ପ୍ରତ୍ୟାହାର କରିନେଲେ, ତାକୁ କେନ୍ଦ୍ରକରି ଏବେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ !

କେନ୍ଦ୍ର ସରକାର କ’ଣ ସତରେ କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାରରେ ହ୍ରାସ କରିବାକୁ କୌଣସି ଯୋଜନା ରଖିଛନ୍ତି? ଯଦି ଯୋଜନା ନାହିଁ ତେବେ ଏ ନେଇ ଘୋଷଣା ହେଲା କିପରି? ଯଦି ଘୋଷଣା ଭୁଲ ଥିଲା ତେବେ ଏହାକୁ ସରକାର ରଦ୍ଦ ନ କରି ପ୍ରତ୍ୟାହାର କଲେ କାହିଁକି? ନା ପଶ୍ଚିମବଙ୍ଗ ନିର୍ବାଚନ ଏବେ ବିଜେପି ପାଇଁ ଏକ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏପରି ଘୋଷଣା ଓ ତାହାର ପ୍ରତ୍ୟାହାର କ’ଣ କେନ୍ଦ୍ର ସରକାରଙ୍କର ଏକ ନିର୍ବାଚନୀ ଚାଲ ଥିଲା କି? କେନ୍ଦ୍ର ସରକାରଙ୍କର ଏପରି ଘୋଷଣା ଓ ତାହାର ପ୍ରତ୍ୟାହାର କ’ଣ ପଶ୍ଚିମବଙ୍ଗର ମତଦାତାଙ୍କୁ ପ୍ରଭାବିତ ଉଦ୍ଦେଶ୍ୟରେ କରା ଯାଇଥିଲା କି? ଏହିପରି ପ୍ରଶ୍ନ ସବୁ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ପଚାରି ଏହାର ଉତ୍ତର ଖୋଜୁଛନ୍ତି ଦେଶର ରାଜନୈତିକ ପର୍ଯ୍ୟବେକ୍ଷକ।

ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କର ଏପରି ପ୍ରଶ୍ନ ପଛରେ ମଧ୍ୟ ରହିଛି ବଳିଷ୍ଠ ଯୁକ୍ତି। କାରଣ, ଗତ ୨୦୦୦ ମସିହାରୁ ବିଗତ ପ୍ରାୟ ଦୁଇ ଦଶନ୍ଧି ଧରି ଛୋଟ ସଞ୍ଚୟ ସଂଗ୍ରହରେ ପଶ୍ଚିମବଙ୍ଗ ସର୍ବାଧିକ ଯୋଗଦାନ ଦେଇଥିଲା ବୋଲି ଜାତୀୟ ସଞ୍ଚୟ ପ୍ରତିଷ୍ଠାନ ତଥ୍ୟରୁ ଜଣାପଡ଼ିଛି। ତେଣୁ, ଏହି ଘୋଷଣା କାର୍ଯ୍ୟକାରୀ ହୋଇଥିଲେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତେ ପଶ୍ଚିମବଙ୍ଗର ଜମାକାରୀ। ତେଣୁ, ପଶ୍ଚିମବଙ୍ଗର ଗୁରୁତ୍ୱପୂର୍ଣ୍ଣ ଦ୍ୱିତୀୟ ପର୍ଯ୍ୟାୟ ମତଦାନର ପୂର୍ବ ରାତିରେ ଏପରି ଘୋଷଣା କରି ମତଦାନ ସକାଳୁ ଘୋଷଣାକୁ ପ୍ରତ୍ୟାହାର କରିନେବା ଏକ ସୁଚିନ୍ତିତ ଚାଲ ବୋଲି କହିଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକ।

publive-image

ନଭେମ୍ବର ୨୦୧୮ ପର୍ଯ୍ୟନ୍ତ ଉପଲବ୍ଧ ଥିବା ତଥ୍ୟ ଦର୍ଶାଉଛି ଯେ ଡାକଘର ଏବଂ ବ୍ୟାଙ୍କଗୁଡିକରେ ଛୋଟ ସଞ୍ଚୟ ବା ଜମା ସଂଗ୍ରହରେ ପଶ୍ଚିମବଙ୍ଗ କ୍ରମାଗତ ଭାବରେ ଭାରତର ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶକୁ ପଛରେ ପକାଇ ଦେଇଛି। ଜାତୀୟ ସଞ୍ଚୟ ପ୍ରତିଷ୍ଠାନ ହେଉଛି ଅର୍ଥ ମନ୍ତ୍ରାଳୟ ଓ ଅର୍ଥନୈତିକ ବ୍ୟାପାର ବିଭାଗ ଅଧୀନରେ ଏକ ସଂସ୍ଥା। ଉପଲବ୍ଧ ତଥ୍ୟ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରୁ ସାମଗ୍ରିକ ଜାତୀୟ କ୍ଷୁଦ୍ର ସଞ୍ଚୟ ସଂଗ୍ରହରେ ସଂଗ୍ରହର ଅଂଶ ୧୩ରୁ ୧୫ ପ୍ରତିଶତ ମଧ୍ୟରେ ରହିଛି।

ସାର୍ବଜନୀନ ଭବିଷ୍ୟନିଧି ପାଣ୍ଠି (ପିପିଏଫ୍‌), ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ଡାକଘର ଜମା ଯୋଜନା, ଜାତୀୟ ସଞ୍ଚୟ ପ୍ରମାଣପତ୍ର, ସୁକନ୍ୟା ସମୃଦ୍ଧି ଯୋଜନା ଏବଂ କିଶାନ ବିକାଶ ପତ୍ର ଭଳି ସ୍କିମରୁ ସଂଗୃହୀତ ରାଶି ସାମିଲ ହୋଇ ଛୋଟ ସଞ୍ଚୟ ଭାବରେ ଏକତ୍ରିତ ହୋଇଛି। କ୍ଷୁଦ୍ର ସଞ୍ଚୟର ସୁଧ ହାରରେ ହ୍ରାସ ଏକ ବହୁଚର୍ଚ୍ଚିତ ପଦକ୍ଷେପ ହୋଇଥାନ୍ତା। କାରଣ, ଏହା ବରିଷ୍ଠ ନାଗରିକ, ବେତନ ଭୋଗୀ ଶ୍ରେଣୀ ତଥା ଜନସଂଖ୍ୟାର ସେହି ବର୍ଗଙ୍କୁ ପ୍ରଭାବିତ କରିଥାଏ। ୨୦୧୭-୧୮ରେ ୫.୯୬ ଲକ୍ଷ କୋଟି ଟଙ୍କାର ମୋଟ କ୍ଷୁଦ୍ର ସଞ୍ଚୟ ସଂଗ୍ରହ ମଧ୍ୟରୁ ପଶ୍ଚିମବଙ୍ଗରୁ ସଂଗ୍ରହ ପ୍ରାୟ ୯୦,୦୦୦ କୋଟି ଟଙ୍କା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe