Image Courtesy of ABP Live
ନୂଆଦିଲ୍ଲୀ: ‘ଏକ ଭାରତ, ଏକ ସ୍ବାସ୍ଥ୍ୟ’ ଲକ୍ଷ୍ୟ ନେଇ ସରକାର ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିକୁ ଦେଶର ବଡ଼ ବଡ଼ ସହର ବାହାରକୁ ସମ୍ପ୍ରସାରଣ କରିବା ଲାଗି କାମ କରୁଛନ୍ତି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ବଜେଟ୍ ପରବର୍ତ୍ତୀ ୱେବିନର୍ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଭାରତର ବଡ଼ ବଡ଼ ସହର ବାହାରେ ମଧ୍ୟ ଆମେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ନିର୍ମାଣ କରିବାକୁ ଚାହୁଁଛୁ। ‘ଏକ ଭାରତ, ଏକ ସ୍ବାସ୍ଥ୍ୟ’ ଭାବଧାରାରେ ଗାଁଗଣ୍ଡାରେ ବ୍ଲକ୍ ଓ ଜିଲ୍ଲାସ୍ତରରେ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ କରାଯିବ। ସେଗୁଡ଼ିକର ତତ୍ତ୍ବାବଧାନ ଏବଂ ଉନ୍ନତୀକରଣରେ ଘରୋଇ କ୍ଷେତ୍ର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।
ଏହା ହେଉଛି ଦେଶର ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ଉପକ୍ରମ।
Image Courtesy of Zee Newsସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରଚଳନ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏହା ସ୍ବାସ୍ଥ୍ୟସେବା ଭିତ୍ତିଭୂମି କ୍ଷେତ୍ରରେ ବିପ୍ଳବାତ୍ମକ ପରିବର୍ତ୍ତନ ଆଣିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ସ୍ବାସ୍ଥ୍ୟ ନୁହେଁ, ସୁସ୍ଥତା ଉପରେ ମଧ୍ୟ ସରକାରଙ୍କ ଧ୍ୟାନ ରହିବ। ଏଥିପାଇଁ ବଜେଟ୍ରେ ତିନୋଟି କଥା ବିଚାରକୁ ନିଆଯାଇଛି। ତାହା ହେଉଛି, ଆଧୁନିକ ଭିତ୍ତିଭୂମି ଓ ମାନବ ସମ୍ବଳ ସମ୍ପ୍ରସାରଣ, ଗବେଷଣାକୁ ପ୍ରୋତ୍ସାହନ ଏବଂ ଆଧୁନିକ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ପରିଗ୍ରହଣ।
ଡାକ୍ତରୀ ପଢ଼ିବାକୁ ଯାଇ ୟୁକ୍ରେନ୍ରେ ଫସି ଯାଇଥିବା ପିଲାଙ୍କ କଥା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଲେ, ଆଜି ଆମ ପିଲାମାନେ ପଢ଼ିବା ପାଇଁ, ବିଶେଷକରି ଡାକ୍ତରୀ ପଢ଼ିବା ପାଇଁ ଛୋଟ ଛୋଟ ଦେଶମାନଙ୍କୁ ଯାଉଛନ୍ତି। ସେଠାରେ ତାଙ୍କ ପାଇଁ ଭାଷା ଗୋଟାଏ ସମସ୍ୟା। ତଥାପି ସେମାନେ ଯାଉଛନ୍ତି। ଆମ ଘରୋଇ ଉଦ୍ୟୋଗ ସବୁ କ’ଣ ଏ କ୍ଷେତ୍ରକୁ ବ୍ୟାପକ ଭାବେ ଆସି ପାରିବେ ନାହିଁ? ଏଥିପାଇଁ ଆମ ରାଜ୍ୟ ସରକାର ଜମି ଆବଣ୍ଟନ ଲାଗି ଉତ୍ତମ ନୀତି ନିର୍ଦ୍ଧାରଣ କରିପାରନ୍ତେ ନାହିଁ?
Follow Us