Image Courtesy of India Tdoay
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଥିବା କାବୁଲର୍ର ରାଷ୍ଟ୍ରାୟତ ରେକର୍ଡିଙ୍ଗ୍ ଷ୍ଟୁଡିଓମାନଙ୍କରେ ଦୁଇଟି ‘ଗ୍ରାଣ୍ଡ୍ ପିଆନୋ’ ଏବଂ ଅନ୍ୟ ବାଦ୍ୟଯନ୍ତ୍ର ସବୁକୁ ନଷ୍ଟ କରି ଦିଆଯାଇଛି।
ଇଂଲଣ୍ଡ୍ର ‘ଦି ସନ୍’ ପାଇଁ ରିପୋର୍ଟ କରୁଥିବା ସାମ୍ବାଦିକ ଜିରୋମି ଷ୍ଟାକି ଟୁଇଟ୍ କରି ରବିବାର ଦିନ ଉକ୍ତ ବିଧ୍ବସ୍ତ ବାଦ୍ୟଯନ୍ତ୍ରଗୁଡ଼ିକର ଫଟୋ ସବୁ ସେୟାର୍ କରିଛନ୍ତି। ଏ ସଙ୍କ୍ରାନ୍ତରେ ପଚାରିବାରୁ ଷ୍ଟୁଡିଓରେ ଥିବା ତାଲିବାନ ପ୍ରହରୀମାନେ କହିଲେ ଯେ, ସେମାନେ ଆସିଲା ବେଳକୁ ସେଗୁଡ଼ିକ ସେମିତି ଭଙ୍ଗାରୁଜା ଅବସ୍ଥାରେ ପଡ଼ିଥିଲା।
ଏ ସବୁ ଦେଖିଲେ ଆଶଙ୍କା ହେଉଛି କି, ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ କ୍ଷମତାସୀନ ଥିବା ତାଲିବାନ୍ ପୁନର୍ବାର କଠୋର ନୀତି ପ୍ରଣୟନ କରିବ। ସେ ସମୟରେ ସଙ୍ଗୀତ ଉପରେ ନିଷେଧାଜ୍ଞା ଜାରି କରାଯାଇଥିଲା ଏବଂ ମହିଳାମାନଙ୍କୁ କାର୍ଯ୍ୟରୁ ବିରତ କରାଯାଇଥିଲା। ‘ଇସ୍ଲାମୀୟ ନୀତି’ ପ୍ରତି ସେମାନଙ୍କ (ତାଲିବାନ୍) ଦୃଷ୍ଟିଭଙ୍ଗୀ ପ୍ରତି ବିଶ୍ବାସଘାତକତା କରିଥିବା କହି ସେମାନେ ନିର୍ଦ୍ଧାରିତ ଆକ୍ରମଣ (ଟାର୍ଗେଟେଡ୍ ଆଟାକ୍) କରୁଥିଲେ।
Image Courtesy of Twitterଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୫ରୁ ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ପରେ ପରେ କେତେକ ଘଟଣାରୁ ଜଣାପଡ଼ିଲାଣି ଯେ, ସେମାନଙ୍କ ଶାସନକାଳରେ ସଙ୍ଗୀତର ଭବିଷ୍ୟତ ଉଜ୍ଜ୍ବଳ ହେବନାହିଁ।
ଅଗଷ୍ଟ ଶେଷ ଆଡ଼କୁ ତାଲିବାନ୍ ଆଫଗାନିସ୍ତାନର କନ୍ଦହରରେ ଟେଲିଭିଜନ୍ ଏବଂ ରେଡିଓ ଚାନେଲ୍ରେ ମହିଳାଙ୍କ କଣ୍ଠସ୍ବର ନିଷିଦ୍ଧ କରିଥିଲା। ସେପ୍ଟେମ୍ବର ୪ ତାରିଖରେ ସଶସ୍ତ୍ର ତାଲିବାନ୍ ଗାର୍ଡ ‘ଆଫଗାନିସ୍ତାନ ନ୍ୟାସ୍ନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟୁଜିକ୍’ରେ ତାଲି ଠୁଙ୍କି ଦେଇଥିଲେ। କେବଳ ସେତିକି ନୁହେଁ, ଅନ୍ଦରବି ଉପତ୍ୟକାରେ ଅଗଷ୍ଟ ଶେଷ ସପ୍ତାହରେ ତାଲିବାନ୍ ଉଗ୍ରବାଦୀମାନେ ଆଫଗାନ୍ ଲୋକଗୀତ ଗାୟକ ଫୱାଦ୍ ଅନ୍ଦରବିଙ୍କୁ ଗୁଳି ମାରି ହତ୍ୟା କରିଥିଲେ।
ଅଗଷ୍ଟ ମାସରେ ‘ଦି ନ୍ୟୁୟର୍କ ଟାଇମ୍ସ୍’ ସହ ସାକ୍ଷାତ୍କାର ବେଳେ ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଥିଲେ, ଇସ୍ଲାମ୍ରେ ସଙ୍ଗୀତ ନିଷିଦ୍ଧ। କିନ୍ତୁ, ଚାପ ପ୍ରୟୋଗ କରିବା ପରିବର୍ତ୍ତେ ସେଭଳି କାର୍ଯ୍ୟ (ସଙ୍ଗୀତ) ନ କରିବାକୁ ଆମେ ଜନସାଧାରଣଙ୍କୁ ବୁଝାଇବାକୁ ଉଦ୍ୟମ କରିବୁ।
Follow Us