ନାଗାଲାଣ୍ଡ୍‌ରେ କୋଚିଳାଖାଇ ‌ଚଢ଼େଇକୁ ନିର୍ଯାତନା ଦେଇ ମାରିଥିବାରୁ ୩ ଗିରଫ

Advertisment
ନାଗାଲାଣ୍ଡ୍‌ରେ କୋଚିଳାଖାଇ ‌ଚଢ଼େଇକୁ ନିର୍ଯାତନା ଦେଇ ମାରିଥିବାରୁ ୩ ଗିରଫ

Image Courtesy of India Today

ୱଖା: ନାଗାଲାଣ୍ଡ୍‌ର ୱଖା ଜିଲ୍ଲା ଅନ୍ତର୍ଗତ ଭଣ୍ଡାରୀ ନଗରୀରେ ଗୋଟାଏ କୋଚିଳାଖାଇ ପକ୍ଷୀକୁ ନିର୍ଯାତନା ଦେଇ ମାରିଥିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

ପ୍ରାପ୍ତ ସୂଚନା ଅନୁସାରେ, ସ୍ଥାନୀୟ ଅଧିବାସୀମାନେ ଉକ୍ତ କୋଚିଳାଖାଇକୁ ନିର୍ଯାତନା ଦେଉଥିବା ଦୃଶ୍ୟ ସମ୍ବଳିତ ଏକ ଭିଡିଓ ବୁଧବାର ଦିନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ଭିଡିଓରେ ଦେଖାଯାଉଛି, ଜଣେ ସ୍ଥାନୀୟ ବାସିନ୍ଦା ସେ କୋଚିଳାଖାଇକୁ ପିଟାପିଟି କରିବା ସହ ତା’ ବେକକୁ ପାଦରେ ଦଳି ଦେଉଛନ୍ତି।

publive-image Image Courtesy of EastMojo

ସେ ଭିଡିଓ ଦେଖିବା ପରେ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ ଏବଂ ପ୍ରାଣୀ ଅଧିକାର କର୍ମୀମାନେ ଭୀଷଣ ପ୍ରତିକ୍ରିୟା ବ୍ୟକ୍ତ କରିବା ସହିତ ପ୍ରଶାସନକୁ ତୀବ୍ର ସମାଲୋଚନା କରିଥିଲେ। ପରେ ନାଗାଲାଣ୍ଡ ପୁଲିସ ‘ବନ୍ୟପ୍ରାଣୀ ଏବଂ ଅସ୍ତ୍ରଶସ୍ତ୍ର ଆଇନ’ ବଳରେ ପକ୍ଷୀକୁ ନିର୍ଯାତନା ଦେଇ ହତ୍ୟା କରିଥିବା କାରଣରୁ ୩ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଅଧିକ ତଦନ୍ତ ନିମନ୍ତେ ଗିରଫ ହୋଇଥିବା ୩ଜଣଙ୍କୁ ‘ୱାଇଲ୍‌ଡ୍‌ଲାଇଫ୍‌ ଡିଭିଜନ୍‌ ଟିମ୍‌’କୁ ହସ୍ତାନ୍ତର କରାଯାଇଛି।

ବନ୍ୟପ୍ରାଣୀ ସୁରକ୍ଷା ବିଚାର ଆରମ୍ଭ କରାଯିବା ଆଗରୁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ଏବଂ ସେମାନେ ୨୪ ଘଣ୍ଟା ପର୍ଯ୍ୟନ୍ତ ଥାନା ହାଜତରେ ରହିବେ। ସେମାନଙ୍କୁ ଜାମିନରେ ବି ଛଡ଼ାଯିବ ନାହିଁ। କୋଚିଳାଖାଇର ଦେହାବଶେଷ ଉଦ୍ଧାର କରାଯିବା ସହ ତାକୁ ହତ୍ୟା କରିବାରେ ବ୍ୟବହୃତ ଅସ୍ତ୍ରକୁ ମଧ୍ୟ ଜବତ କରାଯାଇଛି।

ସୂଚନାଯୋଗ୍ୟ, ୨୦୧୮ରୁ ବିଲୟମୁଖୀ ପକ୍ଷୀ ଭାବେ କୋଚିଳାଖାଇକୁ ‘ଆଇୟୁସିଏନ୍‌’ର ‘ରେଡ୍‌ ଲିଷ୍ଟ୍‌’ଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe