Image Courtesy of Philadelphia Tribune
ଗ୍ଲାସ୍ଗୋ: ଗ୍ଲାସ୍ଗୋରେ ଅନୁଷ୍ଠିତ ‘ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀ’କୁ ଶୁକ୍ରବାର ଦିନ ସ୍ବିଡେସୀୟ ଜଳବାୟୁ ସଚେତନତାକର୍ମୀ ଗ୍ରେଟା ଟୁନ୍ବେରି ‘ବିଫଳତା’ ଆଖ୍ୟା ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ନେତାମାନେ ଦ୍ରୁତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରି ସ୍କଟୀୟ ସହରରେ ଆୟୋଜିତ ବିଶାଳ ଜନପ୍ରତିବାଦରେ ଗ୍ରେଟା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ଟୁନ୍ବେରି କହିଛନ୍ତି, ତ୍ବରିତ ଉତ୍ତାପ ନିର୍ଗମନ ପରିମାଣ ହ୍ରାସ କରିବା ନିମନ୍ତେ ‘ସିଓପି୨୬’ରେ କେତେକ ଦେଶ ଗ୍ରହଣ କରିଥିବା ଶପଥ ହେଉଛି, ଦୁଇ ସପ୍ତାହ ଧରି ଚାଲିଥିବା ଚିରାଚରିତ ବାଣିଜ୍ୟ ସମାରୋହ। ତାହାର କୌଣସି ବିଶେଷ ଅର୍ଥ ନାହିଁ।
ପ୍ରତିବାଦରେ ଅଂଶ ଗ୍ରହଣ କରିଥିବା ହଜାର ହଜାର ଜନତାଙ୍କୁ ସେ କହିଲେ, ‘ସିଓପି୨୬’ ବିଫଳ ହୋଇଥିବା କଥା କାହାକୁ ଅଛପା ନାହିଁ। ତାହା ଆଉ ଜଳବାୟୁ ସମ୍ମିଳନୀ ହୋଇ ନାହିଁ। ଏବେ ତାହା ବୈଶ୍ବିକ ସବୁଜିକରଣ ଉତ୍ସବ ପାଲଟି ଗଲାଣି।
Image Courtesy Zee Newsଉତ୍ତାପ ବୃଦ୍ଧିକୁ ୧.୫ ରୁ ୨ ଡିଗ୍ରି ସେଲିସିୟସ୍ ମଧ୍ୟରେ ରଖିବାକୁ ‘ପ୍ୟାରିସ୍ ରାଜିନାମା’ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ସାକାର କରିବା ନିମନ୍ତେ ଉପାୟ କରିବା ଲାଗି ଗ୍ଲାସ୍ଗୋରେ ପାଖାପାଖି ୨୦୦ ଦେଶର ପ୍ରତିନିଧିମାନେ ଏକତ୍ର ହୋଇଥିଲେ।
କ୍ରମଶଃ କୋଇଲା ବ୍ୟବହାର ହ୍ରାସ କରିବା ଏବଂ ବିଦେଶୀ ଜୀବାଶ୍ମ ଇନ୍ଧନ ପାଣ୍ଠି ଶେଷ କରିବା କଥା ଉକ୍ତ ସମ୍ମିଳନୀର ପ୍ରଥମ ସପ୍ତାହରେ ଆଲୋଚନା କରାଯାଇଥିଲା। କିନ୍ତୁ, ବୈଜ୍ଞାନିକମାନେ କହୁଥିବା ବ୍ୟାପକ କାର୍ବନ୍ ପ୍ରତିହତ ନିମନ୍ତେ ସେମାନେ କିପରି ଯୋଜନା କରୁଛନ୍ତି ସେ ସଂକ୍ରାନ୍ତରେ ନେତାମାନେ ସବିଶେଷ ବିବରଣୀ ଦେଇ ନ ଥିଲେ।
ତେଣୁ, ଟୁନ୍ବେରି କହିଛନ୍ତି, ସେମାନେ ବୈଜ୍ଞାନିକମାନଙ୍କ ମତକୁ ଉପେକ୍ଷା କରି ପାରିବେ ନାହିଁ। ସେମାନେ ଆମ୍ଭମାନଙ୍କୁ ମଧ୍ୟ ଉପେକ୍ଷା କରିପାରିବେ ନାହିଁ। ଆମ ନେତାମାନେ ନେତୃତ୍ବ ନେଉନାହାନ୍ତି। ଏବେ ନେତୃତ୍ବ ଏଭଳି ମନେହେଉଛି। ବିଶ୍ବ ନେତୃମଣ୍ଡଳୀ ସତରେ ସତ୍ୟକୁ ଭୟ କରୁଛନ୍ତି। କିନ୍ତୁ, ସେମାନେ ଶତ ଚେଷ୍ଟା କଲେ ମଧ୍ୟ ସତ୍ୟକୁ ଏଡ଼ାଇ ପାରିବେ ନାହିଁ।
Follow Us