କନ୍ୟାଘରେ ପହଞ୍ଚି ପାରିଲାନି ବର : ନଦୀକୁ ଖସିପଡ଼ିଲା କାର୍‌; ବର ସମେତ ୯ଜଣଙ୍କ ମୃତ୍ୟୁ

Advertisment
କନ୍ୟାଘରେ ପହଞ୍ଚି ପାରିଲାନି ବର : ନଦୀକୁ ଖସିପଡ଼ିଲା କାର୍‌; ବର ସମେତ ୯ଜଣଙ୍କ ମୃତ୍ୟୁ

କୋଟା: ବାହାଘର ପାଇଁ ଆଜି ବର ଓ ଅନ୍ୟମାନଙ୍କୁ ନେଇ ମଧ୍ୟପ୍ରଦେଶର ଉଜ୍ଜୈନ୍‌ ଅଭିମୁଖେ ଯାଉଥିବା ଏକ କାର୍‌ ରାଜସ୍ଥାନର କୋଟା ଅନ୍ତର୍ଗତ ଛୋଟି ପୁଲିୟାରୁ ଖସି ଚମ୍ବଲ୍‌ ନଦୀରେ ପଡ଼ିଯିବାରୁ ଅନ୍ୟୂନ ୯ଜଣଙ୍କର ମୃତ୍ୟୁ ଘଟିଛି।

ପ୍ରାପ୍ତ ସୂଚନା ଅନୁସାରେ, କାର୍‌ରେ ଥିବା ସମସ୍ତ ବ୍ୟକ୍ତି ବାହାଘର ଅନୁଷ୍ଠାନରେ ଯୋଗ ଦେବାକୁ ଯାଉଥିଲେ। ଦୁର୍ଘଟଣା ସଂକ୍ରାନ୍ତରେ ସୂଚନା ପାଇବା ପରେ ସ୍ଥାନୀୟ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଉଦ୍ଧାର କରାଯାଇଥିବା ଶବଗୁଡ଼ିକୁ ଜବତ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା ପଠାଯାଇଛି। ଏହାଛଡ଼ା, ଗୋଟାଏ କ୍ରେନ୍‌ଦ୍ବାରା ନଦୀରୁ କାର୍‌ଟିକୁ ଉଠାଯାଇଛି।

ଗଣମାଧ୍ୟମକୁ କୋଟା ପୁଲିସ କହିଛି, କୋଟାସ୍ଥିତ ଚମ୍ବଲ୍‌ ନଦୀ ମଧ୍ୟକୁ କାର୍‌ଟି ପଡ଼ିଯିବା ଘଟଣାରେ ୯ଜଣଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ବାହା ହେବା ପାଇଁ ଉଜ୍ଜୈନ୍‌ ଯାଉଥିବା ବର। ସକାଳ ୭.୫୦ ପରେ ଆମକୁ ଏ ସଂକ୍ରାନ୍ତରେ ସୂଚନା ମିଳିଥିଲା।

publive-image Image Courtesy of ANI

କୋଟା ସହର ଏସ୍‌.ପି. କେଶର ସିଂହ ଶେଖାୱାତ୍‌ କହିଛନ୍ତି, ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲା ଅନ୍ତର୍ଗତ ଚୌଥ୍‌ କା ବାର୍‌ୱାଡ଼ା ଗାଁରୁ ବର, ବରଯାତ୍ରୀ ନେଇ ମଧ୍ୟପ୍ରଦେଶର ଉଜ୍ଜୈନ୍‌ ଅଭିମୁଖେ କାର୍‌ଟି ଯାଉଥିଲା। ହଠାତ୍‌ ବସ୍‌ଟାଏ ସେମାନଙ୍କ କାର୍‌କୁ ଅତକ୍ରମ କରିଯିବାରୁ କାର୍‌ ବାଟବଣା ହୋଇ ଛୋଟି ପୁଲିୟା ଉପରକୁ ଚାଲିଯିବା ପରେ ନିୟନ୍ତ୍ରଣରୁ ବାହାରିଯାଇ ନଦୀ ମଧ୍ୟକୁ ଖସିପଡ଼ିଥିଲା। କାର୍‌ ମଧ୍ୟରୁ ୭ଜଣଙ୍କ ଶବ ଏବଂ ନଦୀ ପାଣିରୁ ଦୁଇଜଣଙ୍କ ଶବ ଉଦ୍ଧାର କରାଯାଇଛି। ସମ୍ଭବତଃ ଢୋଳ ଲାଗୁଥିବା କାରଣରୁ ଡ୍ରାଇଭର୍‌ କାର୍‌ ଉପରୁ ନିୟନ୍ତ୍ରଣ ହରାଇଥିଲେ।

ଦୁର୍ଘଟଣା ସଂକ୍ରାନ୍ତରେ ସୂଚନା ପାଇବା ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଦୁଃଖ ପ୍ରକାଶ କରି ଟୁଇଟ୍‌ କରିଛନ୍ତି, ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା। ଏଭଳି କ୍ଷତି ସହ୍ୟ କରିବାକୁ ଈଶ୍ବର ସେମାନଙ୍କୁ ସାମର୍ଥ୍ୟ ଦିଅନ୍ତୁ। ଦିବଂଗତମାନଙ୍କ ଆତ୍ମା ଶାନ୍ତି ଲାଭ କରୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe