ଲଜ୍ଜା: ଋତୁସ୍ରାବର ପ୍ରମାଣ ପାଇଁ ଅନ୍ତର୍ବସ୍ତ୍ର ଖୋଲିବାକୁ ୬୮ଜଣ ଛାତ୍ରୀଙ୍କୁ କହିଲେ କଲେଜ କର୍ତ୍ତୃପକ୍ଷ; ତଦନ୍ତ ନିର୍ଦ୍ଦେଶ ଦେଲେ ଜାତୀୟ ମହିଳା କମିଶନ

ଲଜ୍ଜା: ଋତୁସ୍ରାବର ପ୍ରମାଣ ପାଇଁ ଅନ୍ତର୍ବସ୍ତ୍ର ଖୋଲିବାକୁ ୬୮ଜଣ ଛାତ୍ରୀଙ୍କୁ କହିଲେ କଲେଜ କର୍ତ୍ତୃପକ୍ଷ; ତଦନ୍ତ ନିର୍ଦ୍ଦେଶ ଦେଲେ ଜାତୀୟ ମହିଳା କମିଶନ

Times Now

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ଘଟିଯାଇଛି ଏକ ଲଜ୍ଜାଜନକ ଓ ଅଭାବନୀୟ ଘଟଣା। ଜଣେ ନୁହେଁ କି ଦୁଇ ଜଣ ନୁହେଁ; ଏକ ମହିଳା ମହାବିଦ୍ୟାଳୟରେ ପଢ଼ୁଥିବା ୬୮ ଜଣ ଛାତ୍ରୀଙ୍କୁ ସେମାନଙ୍କର ଅନ୍ତର୍ବସ୍ତ୍ର ଖୋଲି ସେମାନଙ୍କର ମାସିକ ଋତୁସ୍ରାବ ହେଉଛି ନା ନାହିଁ ବୋଲି କର୍ତ୍ତୃପକ୍ଷଙ୍କୁ ପ୍ରମାଣ ସ୍ୱରୂପ ଦେଖାଇବା ପାଇଁ ପଡ଼ିଛି। ଏ ଘଟଣା ଜଣାପଡ଼ିବା ପରେ ଏହାକୁ କେନ୍ଦ୍ର କରି ସମଗ୍ର ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। କାରଣ, ଏହି ଲଜ୍ଜାଜନକ ଓ ଅଭାବନୀୟ ଘଟଣା ଘଟିଛି ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘରୋଇ ରାଜ୍ୟ ଗୁଜୁରାଟରେ।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଏହି ଘଟଣା ଘଟିଛି ଗୁଜୁରାଟର ଭୁଜ୍‌ରେ ଥିବା ଶ୍ରୀ ସହଜାନନ୍ଦ ଗାର୍ଲସ ଇନଷ୍ଟିଚ୍ୟୁଟର ଛାତ୍ରୀ ନିବାସରେ। ଏହି ଛାତ୍ରୀ ନିବାସରେ ଗୁଜୁରାଟ ଗ୍ରାମାଞ୍ଚଳର ୬୮ ଜଣ ଛାତ୍ରୀ ଅନ୍ତେବାସିନୀ ରୂପେ ରହିବା ସହ କଲେଜରେ ପାଠ ପଢ଼ୁଥିଲେ।

ତେବେ, ଏହି ଛାତ୍ରୀ ନିବାସର ତତ୍ୱାବଧାରିକା କଲେଜ ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ମହିଳାମାନଙ୍କ ମାସିକ ଋତୁସ୍ରାବ କାଳରେ ଯେଉଁ ସମସ୍ତ ନୀତି ନିୟମ ପଳନର ପରମ୍ପରା ରହିଛି, ତାହାକୁ ଛାତ୍ରୀ ନିବାସରେ ଅନ୍ତେବାସିନୀ ରୂପେ ରହୁଥିବା ୬୮ ଜଣ ଛାତ୍ରୀ ମାନୁ ନାହାନ୍ତି। ସେମାନଙ୍କର ମାସିକ ଋତୁସ୍ରାବ ହୋଇଥିଲେ ମଧ୍ୟ ସେମାନେ ତାହାକୁ ଲୁଚାଇ ପୂଜାଘର ଠାରୁ ଆରମ୍ଭ କରି ରୋଷେଇଶାଳ ପର୍ଯ୍ୟନ୍ତ ସବୁଆଡ଼େ ଚଳପ୍ରଚଳ କରୁଛନ୍ତି।

ଛାତ୍ରୀ ନିବାସର ତତ୍ୱାବଧାରିକାଙ୍କ ଠାରୁ ଏହି ଅଭିଯୋଗ ମିଳିବା ପରେ କଲେଜ ପରିଚାଳନା କର୍ତ୍ତୃପକ୍ଷ ଛାତ୍ରୀ ନିବାସର ସମସ୍ତ ୬୮ ଜଣ ଅନ୍ତେବାସିନୀଙ୍କୁ ଡକାଇଥିଲେ। ଏବଂ ଜଣ ଜଣକରି ସମସ୍ତ ଛାତ୍ରୀଙ୍କୁ ସେମାନଙ୍କ ଅନ୍ତର୍ବସ୍ତ ଖୋଲି କାହାର ମାସିକ ଋତୁସ୍ରାବ ହେଉଛି ଆଉ କାହାର ହେଉନାହିଁ ତାହାର ପ୍ରମାଣ ଦେଖାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଯେଉଁ ଛାତ୍ରୀମାନେ ଏ ନିର୍ଦ୍ଦେଶର ଅବମାନନା କରିବେ ସେମାନଙ୍କୁ ଛାତ୍ରୀ ନିବାସରୁ ବାହାର କରି ଦିଆଯିବ ବୋଲି ସୁଦ୍ଧା ଧମକ ଦେବାକୁ କୁଣ୍ଠାବୋଧ କରି ନଥିଲେ। ଫଳରେ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ମାନି ସମସ୍ତ ଛାତ୍ରୀ ସର୍ବସମ୍ମୁଖରେ ନିଜ ନିଜର ଅନ୍ତର୍ବସ୍ତ୍ର ଖୋଲି ପ୍ରମାଣ ସ୍ୱରୂପ ଦେଖାଇଥିଲେ।

ହେଲେ, ଏ ଘଟଣା ଜାତୀୟ ମହିଳା କମିଶନଙ୍କ ଦୃଷ୍ଟିକୁ ଆସିବା ପରେ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି କମିଶନ। ତୁରନ୍ତ ଏକ ତଦନ୍ତ କମିଟି ଗଠନ କରି ଘଟଣାର ତଦନ୍ତ କରିବା ପାଇଁ ସଂପୃକ୍ତ କଲେଜ ଓ ଛାତ୍ରୀ ନିବାସକୁ ପଠାଇଛନ୍ତି। ଏବଂ ପୀଡ଼ତା ଛାତ୍ରୀମାନଙ୍କୁ କୌଣସି ଚାପ କିମ୍ବା ଭୟର ବଶବର୍ତ୍ତୀ ନହୋଇ ତଦନ୍ତରେ ସହାୟତା କରିବାକୁ ପରାମର୍ଶ ଦେବା ସହ ଘଟଣା ସଂପର୍କରେ କଲେଜ ଅଧ୍ୟକ୍ଷଙ୍କ ଠାରୁ କୈଫିୟତ ତଲବ କରିଛନ୍ତି। ଉଲ୍ଲେଖଯୋଗ୍ୟ ଏହି କଲେଜରେ ସ୍ନାତ୍ତକ ଠାରୁ ଆରମ୍ଭ କରି ସ୍ନାତ୍ତକୋତ୍ତର ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟକ୍ରମରେ ୧,୫୦୦ରୁ ଅଧିକ ଛାତ୍ରୀ ଅଧ୍ୟୟନ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe