ଗୁଜରାଟ ରାଜନୀତି: କାହିଁକି ବାଦ୍‌ ପଡ଼ିଲେ ନୀତିନ ପଟେଲ?

Advertisment
ଗୁଜରାଟ ରାଜନୀତି: କାହିଁକି ବାଦ୍‌ ପଡ଼ିଲେ ନୀତିନ ପଟେଲ?

ନୂଆଦିଲ୍ଲୀ : ପଟିଦାର ହେଭିୱେଟ୍‌ ନୀତିନ ପଟେଲ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍‌ଙ୍କ ନୂଆ କ୍ୟାବିନେଟ୍‌ରେ ସ୍ଥାନ ପାଇନାହାନ୍ତି। ଖାଲି ସେ ଏକା ନୁହନ୍ତି ବିଜୟ ରୂପାନୀଙ୍କ ସରକାରରେ ଅନ୍ୟତମ ସର୍ବାଧିକ ପ୍ରଭାବଶାଳୀ ମନ୍ତ୍ରୀ ଭୂପେନ୍ଦ୍ରସିଂହ ଚୂଡ଼ା‌ସମା ମଧ୍ୟ ବାଦ୍‌ ପଡ଼ିଛନ୍ତି। ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ପଟେଲ ନୂଆ କ୍ୟାବିନେଟରୁ ବାଦ ପଡ଼ିବାକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ନିକଟରେ ପଟେଲ୍‌ ଏକ ବିବୃତି ଜାରି କରି କହିଥିଲେ, କେହି ବି ମତେ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେଇ ପାରିବେନି। ଏବେ ତାଙ୍କର ବାଦ୍‌ ପଡ଼ିବାକୁ ନେଇ ସବୁଠି ଚର୍ଚ୍ଚା। ଏକ ବିଶେଷ ସୂଚନାରୁ ଜାଣିବାକୁ ମିଳିଛି ଯେ, ପଟେଲ ସମ୍ପ୍ରଦାୟରେ ନୀତିନ ପଟେଲଙ୍କର ଯଥେଷ୍ଟ ପ୍ରଭାବ ନଥିବାରୁ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଭୂପେନ୍ଦ୍ର ପଟେଲଙ୍କଠାରୁ ହାରି ଯାଇଥିଲେ ଏବଂ ଆଜି ମନ୍ତ୍ରିମଣ୍ଡଳରୁ ମଧ୍ୟ ବିଦା ହେଲେ।

ଭୂପେନ୍ଦ୍ର ପଟେଲଙ୍କ ପାଖରେ ଥିବା ୨ଟି ଯୋଗ୍ୟତା ପାଇଁ ସେ ନୀତିନ ପଟେଲଙ୍କୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପ୍ରଥମତଃ ସେ ସର୍ବଦା ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ କାମ କରିଆସିଛନ୍ତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ ପଟେଲଙ୍କର ଅତି ବିଶ୍ବସ୍ତ ଥିଲେ। ୨୦୧୬ରେ ଆନନ୍ଦୀବେନ ଇସ୍ତଫା ଦେବାପରେ ରୂପାନୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଜୈନ ସମ୍ପ୍ରଦାୟର ବିଜୟ ରୂପାନୀ ମୁଖ୍ୟମନ୍ତ୍ରୀ ହେବାକୁ ପଟେଲ-ପଟିଦାର ସମ୍ପ୍ରଦାୟ ବିରୋଧ କରିଥିଲେ। ଦ୍ବିତୀୟ କଥା ହେଉଛି ଭୂପେନ୍ଦ୍ର ପଟେଲଙ୍କଠାରୁ ନୀତୀନ ପଟେଲଙ୍କର ରାଜ୍ୟ ରାଜନୀତିରେ କମ୍‌ ଅଭିଜ୍ଞତା ରହିଛି। ଭୂପେନ୍ଦ୍ର ପଟେଲଙ୍କର ପଟେଲ ସମ୍ପ୍ରଦାୟ ସହ ଘନିଷ୍ଠ ସମ୍ପର୍କ ରହିଛି ଏବଂ ସର୍ଦ୍ଦାରଧାମ ବିଶ୍ବ ପଟିଦାର କେନ୍ଦ୍ରର ସେ ଟ୍ରଷ୍ଟି। ପଟିଦାର ସମୁଦାୟର ବିଭିନ୍ନ ସଂଗଠନ ଏବଂ କଡ଼ବା ପଟେଲଙ୍କ ଉପରେ ଏହି ଟ୍ରଷ୍ଟ୍‌ର ବିଶେଷ ପ୍ରଭାବ ରହିଛି। ପଟେଲ୍‌ ଭୋଟରଙ୍କ ମଧ୍ୟରେ ଏହି ସମୁଦାୟର ପ୍ରାୟ ୩୦ ପ୍ରତିଶତ ଅଛନ୍ତି। ଗୁଜରାଟ ରାଜନୀତି‌ରେ ଏମାନଙ୍କୁ ପୂର୍ବରୁ ଅବହେଳା କରାଯାଇଛି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଏଥିରେ ପରିବର୍ତ୍ତନ ଚାହିଛନ୍ତି। ୧୮୨ଟି ଗୁଜରାଟ ବିଧାନସଭା ନିର୍ବାଚନମଣ୍ଡଳୀରୁ ୭୦ରୁ ଅଧିକ ନିର୍ବାଚନମଣ୍ଡଳୀର ଭାଗ୍ୟ ନିର୍ଦ୍ଧାରଣ କରିବେ ପଟେଲ୍‌। ଗୁଜରାଟର ୧୫ ପ୍ରତିଶତରୁ ଅଧିକ ଭୋଟର ପଟେଲ୍‌ ସମୁଦାୟର। ତେଣୁ ଆଗାମୀ ବିଧାନସଭା ନିର୍ବା‌ଚନକୁ ଦୃଷ୍ଟିରେ ରଖି ବିଜେପି ଗୁଜରାଟରେ ମୁଖ୍ୟମନ୍ତ୍ରୀ ବଦଳାଇବା ସହ ସଂପୂର୍ଣ୍ଣ ମନ୍ତ୍ରିମଣ୍ଡଳକୁ ମଧ୍ୟ ବଦଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe