Image Courtesy of India Today
ଅହମଦାବାଦ: ଗତ ବିଳମ୍ବିତ ରାତ୍ରରେ ଆସାମ ପୁଲିସଦ୍ବାରା ଗିରଫ ହୋଇଥିବା ଗୁଜରାଟର ବଡ଼ଗାମ ବିଧାୟକ ଜିଗ୍ନେଶ ମେୱାଣୀଙ୍କୁ ଆଜି ସକାଳେ ବିମାନ ଯୋଗେ ଅହମଦାବାଦରୁ ଆସାମ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକ୍ରାନ୍ତରେ ମେୱାଣୀ ପୋଷ୍ଟ କରିଥିବା ଟୁଇଟ୍ ଉପରେ ଆସାମର ଜଣେ ‘ବିଜେପି’ ନେତା ଅଭିଯୋଗ ଦାଏର କରିଥିଲେ।
ଗତ ରାତି ୧୧.୩୦ରେ ପାଲାନପୁରସ୍ଥିତ ସର୍କିଟ୍ ହାଉସ୍ରୁ ଜିଗ୍ନେଶ ମେୱାଣୀ ଗିରଫ ହୋଇଥିଲେ। ଆସାମ ଅନ୍ତର୍ଗତ କୋରାଝରର ‘ବିଜେପି’ ନେତା ଅରୂପ କୁମାର ଦେ ତାଙ୍କ ବିରୋଧରେ ଅଭିଯୋଗ ଦାଏର କରିଥିଲେ। ତାଙ୍କର ଟୁଇଟ୍ ସାମ୍ପ୍ରଦାୟିକ ଶତ୍ରୁତା ପ୍ରସାର କରିବ ବୋଲି ଦେ’ ‘ଏଫ୍ଆଇଆର୍’ରେ ଉଲ୍ଲେଖ କରିଥିଲେ।
ଗଣମାଧ୍ୟମକୁ ମେୱାଣୀଙ୍କ ସହଯୋଗୀ ସୁରେଶ ଜାଟ୍ କହିଛନ୍ତି, ଆସାମ ପୁଲିସ ସେୟାର୍ କରିଥିବା କାଗଜପତ୍ର ଅନୁଯାୟୀ, ଅଳ୍ପ ଦିନ ତଳେ ମେୱାଣୀ ପୋଷ୍ଟ୍ କରିଥିବା ଟୁଇଟ୍ ଉପରେ ଅଭିଯୋଗ ଆଗତ କରି ‘ଏଫ୍ଆଇଆର୍’ ଦାଏର କରାଯାଇଥିଲା। କିନ୍ତୁ, ‘ଟୁଇଟର୍’ ଉକ୍ତ ଟୁଇଟ୍ର ପ୍ରସାରଣ ବନ୍ଦ କରିଦେଇଥିଲା। ନାଥୁରାମ ଗଡ଼ସେଙ୍କ ସମ୍ବନ୍ଧରେ ମେୱାଣୀ ଉକ୍ତ ଟୁଇଟ୍ରେ କିଛି ଲେଖିଥିଲେ।
Image Courtesy of NDTVସେ ଆହୁରି ମଧ୍ୟ କହିଛନ୍ତି, ମେୱାଣୀଙ୍କୁ ପ୍ରଥମେ ସଡ଼କ ପଥରେ ଅହମଦାବାଦକୁ ଅଣାଯାଇଥିଲା। ଆଜି ବଡ଼ି ସକାଳୁ ବିମାନ ଯୋଗେ ତାଙ୍କୁ ଆସାମ ନିଆଯାଇଛି।
ସେ ଗିରଫ ହୋଇଥିବା ଜାଣିବା ପରେ ଗୁଜରାଟ କଂଗ୍ରେସ ସଭାପତି ଜଗଦୀଶ ଠାକୋର ଏବଂ ଅନ୍ୟାନ୍ୟ କଂଗ୍ରେସ ନେତାମାନେ ଅହମଦାବାଦ ବିମାନ ବନ୍ଦରକୁ ଯାଇ ‘ବିଜେପି’ ସରକାରଙ୍କ ବିରୁଦ୍ଧରେ ‘ସ୍ଲୋଗାନ୍’ ଦେଇଥିଲେ।
ମେୱାଣୀ ହେଉଛନ୍ତି ଜଣେ ଦଳିତ ନେତା ଓ ରାଜନୈତିକ ଦଳ ‘ରାଷ୍ଟ୍ରୀୟ ଦଳିତ ଅଧିକାର ମଞ୍ଚ’ର ଆବାହକ। ସ୍ବାଧୀନ ପ୍ରାର୍ଥୀ ଭାବେ ବିଧାୟକ ପଦବୀ ଜିଣିଥିବା ମେୱାଣୀ ପରବର୍ତ୍ତୀ ସମୟରେ କଂଗ୍ରେସକୁ ସମର୍ଥନ କରିଥିଲେ। ଏହା ବ୍ୟତିରେକେ, ସେ ଜଣେ ଓକିଲ ଓ ସାମ୍ବାଦିକ ଭାବେ ପୂର୍ବରୁ କାମ କରୁଥିଲେ।
Follow Us