ଅହମଦାବାଦ: ଜଣେ ଦଳିତ କର୍ମୀଙ୍କ ଆତ୍ମାହୁତିକୁ କେନ୍ଦ୍ର କରି ଗୁଜରାଟରେ ହିଂସା ବ୍ୟାପିବାରେ ଲାଗିଛି। ଆଜି ଅହମଦାବାଦର ବିଭିନ୍ନ ସ୍ଥାନରେ ଦଳିତମାନେ ପୋଡ଼ାଜଳା କରିଥିବା ବେଳେ ରାଜ୍ୟର ୬ଟି ଜିଲ୍ଲାକୁ ହିଂସା ବ୍ୟାପିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉତ୍ତର ଗୁଜରାଟରେ ବିକ୍ଷୋଭକାରୀମାନେ ରାଜପଥ ଅବରୋଧ କରି ରଖିଥିବାରୁ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଦଳିତ କର୍ମୀ ଭାନୁଭାଇ ବାନ୍କର୍ ଶୁକ୍ରବାର ଦିନ ପାଟଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିଲେ ଏବଂ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବି ଏହି ଦଳିତ କର୍ମୀ କିଭଳି ଆତ୍ମାହୁତି ପାଇଁ ସକ୍ଷମ ହେଲେ ତାହାର ତଦନ୍ତ ଚାଲିଛି। ଦଳିତ ଚାଷୀଙ୍କୁ ଜମି ଆବଣ୍ଟନ ପାଇଁ ଦାବି କରି ବାନ୍କର୍ଏଭଳି ପଦକ୍ଷେପ ନେଇଥିବା ବେଳେ ତାଙ୍କ ମୃତ୍ୟୁପରେ ଆଜି ୨୦ରୁ ଅଧିକ ସ୍ଥାନରେ ଦଳିତ ସମାଜ ପକ୍ଷରୁ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ସ୍ୱାଧୀନ ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେଓ୍ଵାନି ସାରଙ୍ଗପୁର ଏବଂ ଅହମ୍ମଦାବାଦରେ ର୍ୟାଲିରେ ଯୋଗଦେବାକୁ ଯାଉଥିବା ବେଳେ ତାଙ୍କୁ ପୁଲିସ ଅଟକ ରଖିଛି। ମେଓ୍ଵାନି ହିଂସାକୁ ଉସୁକାଉଥିବା ଜଣାପଡ଼ିବା ପରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି।
ଅଟକ ସମୟରେ ମେଓ୍ଵାନି ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଜିଲ୍ଲା ଏସ୍୍ପି କହିଛନ୍ତି। ଅନ୍ୟପକ୍ଷରେ ମେଓ୍ଵାନି କହିଛନ୍ତି ଯେ ପୁଲିସ ତାଙ୍କୁ ଏକ କାର୍ ମଧ୍ୟରୁ ବଳପୂର୍ବକ ଟାଣି ଆଣିଥିଲା। ମେଓ୍ଵାନିଙ୍କ ସହିତ ଜଣେ କଂଗ୍ରେସ ବିଧାୟକ ନୌସାଦ ସୋଲାଙ୍କିଙ୍କୁ ମଧ୍ୟ ଅଟକ ରଖାଯାଇଛି। ବାନ୍କର୍(୬୨) ଦଳିତ ପରିବାରଙ୍କୁ ଜମି ଆବଣ୍ଟନ ମାମଲାରେ ପ୍ରଶାସନର ଉଦାସୀନତାକୁ ବିରୋଧ କରି ଚରମ ପଦକ୍ଷେପ ନେବାପରେ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି । ପ୍ରଶାସନ କିନ୍ତୁ ଏ ବାଦଦ ଅଭିଯୋଗକୁ ଖଣ୍ଡନ କରିଛି । ଗୁଜରାଟରେ ହିଂସା ପାଇଁ ଯୋଜନାବଦ୍ଧ ଭାବେ ଉଦ୍ୟମ ହେଉଛି ଏବଂ ଏଥିରେ ଜିଗ୍ନେଶ ମେଓ୍ଵାନି ଓ ଅନ୍ୟ କେତେକ ବ୍ୟକ୍ତିଙ୍କ ହାତ ରହିଛି ବୋଲି ବିଜେପି କହିଛି । ଆଜି ସନ୍ଧ୍ୟା ସୁଦ୍ଧା ବାନ୍କର୍ଙ୍କ ଶବ ଗାନ୍ଧୀନଗର ସିଭିଲ ହସ୍ପିଟାଲରେ ଥିବା ବେଳେ ପରିବାର ଲୋକ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଗତକାଲି ମେଓ୍ଵାନି ସାରଙ୍ଗପୁରରେ ଦଳିତଙ୍କୁ ଉଦ୍୍ବୋଧନ ଦେଇ ହିଂସା ମାଧ୍ୟମରେ ସରକାରଙ୍କୁ ଜବାବ ଦେବାକୁ ଆହ୍ଵାନ ଦେବାପରେ ଆଜି ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ଭଙ୍ଗାରୁଜା ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us