ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧରଙ୍କୁ ଦିଲ୍ଲୀସ୍ଥିତ ସରକାରୀ ଘରୁ ଉଚ୍ଛେଦ

ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧରଙ୍କୁ ଦିଲ୍ଲୀସ୍ଥିତ ସରକାରୀ ଘରୁ ଉଚ୍ଛେଦ

ନୂଆଦିଲ୍ଲୀ: ୯୨ ବର୍ଷୀୟ ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ଦକ୍ଷିଣ ଦିଲ୍ଲୀ ଏସିଆଡ୍‌ ଭିଲେଜ୍‌ସ୍ଥିତ ସରକାରୀ ଘରୁ ଉଚ୍ଛେଦ କରାଯାଇଛି। ଗତକାଲି ଅପରାହ୍‌ଣ ୧.୨୦ ରେ ଶ୍ରୀ ରାଉତଙ୍କୁ ବିନା ନୋଟିସ୍‌ରେ ଇଷ୍ଟେଟ୍‌ ବିଭାଗ କର୍ମଚାରୀ ଘରୁ ଉଚ୍ଛେଦ କରିଥିଲେ। ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଶ୍ରୀ ରାଉତଙ୍କ ଝିଅ ମଧୁମିତା ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଓଡ଼ିଶୀ ଗୁରୁ ଶ୍ରୀ ରାଉତଙ୍କୁ ୧୯୯୦ ରେ ସରକାରୀ ଘର ଆବଣ୍ଟନ କରାଯାଇଥିଲା। ଶିଳ୍ପୀ, କଳାକାର, ଶାସ୍ତ୍ରୀୟ ନୃତ୍ୟାଙ୍ଗନା ତଥା କଳା ଓ ସଂସ୍କୃତି କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ କେନ୍ଦ୍ର ସରକାର ବିବେକାଧୀନ କୋଟାରେ ସରକାରୀ ଗୃହ ଆବଣ୍ଟନ କରିଥାନ୍ତି। ହେଲେ ୨୦୦୮ରେ ଆବଣ୍ଟନ ନୀତି ବଦଳା ଯାଇଥିବା ଦର୍ଶାଇ ୨୦୨୦ରେ କେନ୍ଦ୍ର ସରକାର ଘର ଖାଲି କରିବାପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ଖାଲି ଗୁରୁ ଶ୍ରୀ ରାଉତ ନୁହନ୍ତି, ପାଖାପାଖି ୨୦ ଶିଳ୍ପୀ ଓ କଳାକାରଙ୍କୁ ସରକାରୀ ଘର ଖାଲି କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଥିଲେ। ଶିଳ୍ପୀ ଓ କଳାକାରମାନଙ୍କୁ ଡିସେମ୍ବର ୩୧, ୨୦୨୦ ସୁଦ୍ଧା ଘର ଖାଲି କରିବାକୁ କେନ୍ଦ୍ର ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନୋଟିସ ଦିଆଯାଇଥିଲା। ଏହା ପରେ ଶିଳ୍ପୀମାନେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଓ କରୋନା ମହାମାରୀ କାଳରେ ସେମାନଙ୍କୁ ଉଚ୍ଛେଦ କରାନଯାଉ ବୋଲି ନିବେଦନ କରିଥିଲେ।

ଏହା ପରେ ମନ୍ତ୍ରାଳୟ ଅଗଷ୍ଟ ୫, ୨୦୨୧ରେ କାରଣ ଦର୍ଶାଅ ନୋଟିସ ପଠାଇଥିଲେ, ଯାହାକୁ କି ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ଏହା ପରେ ଶିଳ୍ପୀମାନଙ୍କୁ ଘର ଖାଲି କରିବାପାଇଁ ଜାନୁଆରି ୨୧, ୨୦୨୨ରେ ନୋଟିସ ପଠାଯାଇଥିଲା।

୯୨ ବର୍ଷୀୟ ଓଡ଼ିଶୀ ଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ୧୯୯୦ରେ ମିଳିଥିଲା ଘର
ହାଇକୋର୍ଟଙ୍କ କଣ୍ଟ ପୂରିବା ପରେ କାର୍ଯ୍ୟାନୁଷ୍ଠାନ

ଏହାକୁ ମଧ୍ୟ ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ଫେବ୍ରୁଆରୀ ୨, ୨୦୨୨ରେ ଦିଲ୍ଲୀ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଉଚ୍ଛେଦ ଆଦେଶକୁ କାଏମ ରଖିଥିଲେ। ଶିଳ୍ପୀମାନଙ୍କୁ ଏପ୍ରିଲ ୨୫ ତାରିଖ ସୁଦ୍ଧା ଘର ଖାଲି କରିବାକୁ କୁହାଯାଇଥିଲା। ଜଣକିଆ ବିଚାରପତିଙ୍କ ଆଦେଶକୁ ଡିଭିଜନ୍‌ ବେଞ୍ଚ୍‌ରେ ଚାଲେଞ୍ଜ କରାଯାଇଥିଲା। ଡିଭିଜନ ବେଞ୍ଚରୁ ମଧ୍ୟ ଶିଳ୍ପୀ ଓ କଳାକାରମାନଙ୍କୁ କୌଣସି ଆଶ୍ବସ୍ତି ମିଳିନଥିଲା। ଡିଭିଜନ ବେଞ୍ଚ ଫେବ୍ରୁଆରି ୨ ତାରିଖ ଜଣିକିଆ ଖଣ୍ଡପୀଠ ଆଦେଶକୁ ବଳବତ୍ତର ରଖିଥିଲେ।

ଏହାପରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ଶ୍ରୀ ରାଉତଙ୍କ ଘର ଖାଲିକରିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଶ୍ରୀ ରାଉତଙ୍କୁ ସରକାରୀ ଘରୁ ଉଚ୍ଛେଦ କରିବା ପରେ ଆଉ ୨୦ ଜଣ ଶିଳ୍ପୀ ଓ କଳାକାରମାନଙ୍କୁ ଖୁବ୍‌ ଶୀଘ୍ର ସରକାରୀ ଘରୁ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe