ରାଜନୀତିରେ ସବୁ ସମ୍ଭବ! ରାମବିଳାସ ପାଶୱାନଙ୍କ ମୃତ୍ୟୁରେ ପୁତ୍ର ଚିରାଗଙ୍କୁ ଛନ୍ଦି ଘଟଣାର ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲା ଏନଡିଏ ସହଯୋଗୀ ହାମ୍‌

ରାଜନୀତିରେ ସବୁ ସମ୍ଭବ! ରାମବିଳାସ ପାଶୱାନଙ୍କ ମୃତ୍ୟୁରେ ପୁତ୍ର ଚିରାଗଙ୍କୁ ଛନ୍ଦି ଘଟଣାର ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲା ଏନଡିଏ ସହଯୋଗୀ ହାମ୍‌

The Quint

ପାଟନା/ ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ସୁପ୍ରିମୋ ରାମବିଳାସ ପାଶୱାନଙ୍କ ମୃତ୍ୟୁକୁ ନେଇ ଆଜି (ସୋମବାର) ପ୍ରଶ୍ନ ଉଠାଇଛି ଏନ୍‌ଡିଏ ସହଯୋଗୀ ଜତୀନ ରାମ ମାଞ୍ଜିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହାମ)। ପାଶଓ୍ଵାନଙ୍କ ମୃତ୍ୟୁ ଘଟଣାରେ ପୁତ୍ର ଚିରାଗଙ୍କୁ ଛନ୍ଦିବା ସହ ଏହି ଘଟଣାରେ ଅନେକ ପ୍ରଶ୍ନର ଉତ୍ତର ଅନୁତ୍ତରିତ ହୋଇ ରହୁଥିବା ଅଭିଯୋଗ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ଦଳ ପକ୍ଷରୁ ଏକ ପତ୍ର ଲେଖାଯାଇଛି। ବିଧାନସଭା ନିର୍ବାଚନକୁ କେନ୍ଦ୍ର କରି ସଂପ୍ରତି ଉଷ୍ମ ଥିବା ବିହାର ରାଜନୀତିକୁ ଏହି ଘଟଣା ଆହୁରି ଉଷ୍ମ କରିପକାଇବା ସହ କେବଳ ମାତ୍ର ବିହାର କାହିଁକି ସମଗ୍ର ଦେଶରେ ରାଜନୈତିକ ହଟଚମଟ ସୃଷ୍ଟି କରିଛି।

ଦଳର ଜାତୀୟ ମୁଖପାତ୍ର ଡାନିଶ ରିଜୱାନଙ୍କ ସ୍ୱାକ୍ଷରରେ ଦଳ ପକ୍ଷରୁ ପଠାଯାଇଥିବା ଏହି ପତ୍ରରେ ଅଭିଯୋଗ କରାଯାଇଛି ଯେ ରାମବିଳାସ ପାଶଓ୍ଵାନଙ୍କ ମୃତ୍ୟୁକୁ ନେଇ ଅନେକ ଉତ୍ତରହୀନ ପ୍ରଶ୍ନ ରହିଛି ଯାହାର ଯାଞ୍ଚ କରାଯିବା ଆବଶ୍ୟକ। ରାମବିଳାସ ପାଶୱାନ୍‌ଙ୍କ ମୃତ୍ୟୁ ପରେ ଏପରି କିଛି ଘଟଣା ଘଟିଯାଇଛି ଯାହା ତାଙ୍କ ପୁଅ ଚିରାଗ ପାଶୱାନ୍‌ଙ୍କୁ ସନ୍ଦେହର ବଳୟ ମଧ୍ୟକୁ ଟାଣି ଆଣିବା ସହ ତାଙ୍କୁ ଆଣି କାଠଗଡ଼ାରେ ଛିଡ଼ା କରାଇଦେଇଛି। ତେଣୁ ରାମବିଳାସ ପାଶଓ୍ଵାନଙ୍କ ମୃତ୍ୟୁ ଘଟଣାରେ ଏକ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି। ଏହାବାଦ ପାଶଓ୍ଵାନଙ୍କ ମୃତ୍ୟୁକୁ ନେଇ ଅନେକ ଉତ୍ତରହୀନ ପ୍ରଶ୍ନ ରହିଛି ଯାହାର ଯାଞ୍ଚ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଲେଖା ଯାଇଥିବା ପ୍ରଶ୍ନରେ କହିଛି ହାମ୍‌।

ରାମବିଳାସ ପାଶଓ୍ଵାନଙ୍କ ମୃତ୍ୟୁକୁ ନେଇ ଦେଶ ଦୁଃଖରେ ବିବ୍ରତ ହୋଇ ପଡ଼ିଥିବା ବେଳେ ଏଲଜେପି ମୁଖ୍ୟ ତଥା ତାଙ୍କ ପୁତ୍ର ଚିରାଗ ଅନ୍ତିମ ସଂସ୍କାରର ଗୋଟିଏ ଦିନ ପରେ ଖୁସିରେ ଏକ ଭିଡିଓ ସୁଟିଂ କରିବା ଘଟଣା ପାଶୱାନଙ୍କ ସମର୍ଥକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଖାଲି ଏହି ଗୋଟିଏ ଘଟଣା ନୁହେଁ; ଆହୁରି ଅନେକ ଗୁଡ଼ିଏ ଘଟଣା ରହିଛି ଯାହା ଚିରାଗଙ୍କୁ କାଠଗଡ଼ା ମଧ୍ୟକୁ ଟାଣୁଛି। କେନ୍ଦ୍ରମନ୍ତ୍ରୀ ଚିକିତ୍ସାଧୀନ ଥିବାବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ କାହା ଆଦେଶରେ ତାଙ୍କର ସ୍ୱାସ୍ଥ୍ୟ ବୁଲେଟିନ୍‌ ଦେଇ ନାହାଁନ୍ତି? କାହାର ନିର୍ଦ୍ଦେଶରେ ତାଙ୍କୁ ଚିକିତ୍ସା କରାଯାଉଥିବା ବେଳେ ତାଙ୍କୁ ସାକ୍ଷାତ କରିବାକୁ ଅନୁମତି ଦିଆଯାଇଥିଲା? ତେଣୁ, ଏସବୁ ଘଟଣାର ବିଧିବଦ୍ଧ ତଦନ୍ତ କରି ରାମବିଳାସ ପାଶୱାନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବାକୁ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଚିରାଗ ପାଶଓ୍ଵାନ ପାଲଟା ପ୍ରଶ୍ନ ପଚାରିଛନ୍ତି, ଯେତେବେଳେ ମୋ ପିତା (ରାମବିଳାସ ପାଶଓ୍ଵାନ) ଜୀବିତ ଥିଲେ ସେତେବେଳେ ମାଞ୍ଜି କେଉଁଠାରେ ଥିଲେ? ପିତା ଅସୁସ୍ଥ ଥିବାବେଳେ ତାଙ୍କୁ ଦିନଟିଏ ପାଇଁ ଦେଖିବାକୁ ଯାଇ ନଥିବା ମାଞ୍ଜି ବର୍ତ୍ତମାନ ଜଣେ ମୃତ ବ୍ୟକ୍ତିଙ୍କ ଉପରେ ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯେଉଁମାନେ ଜଣେ ପୁଅ ବିଷୟରେ ଏପରି କଥା କହୁଛନ୍ତି ସେମାନେ ନିଜ ପାଇଁ ଲଜ୍ଜିତ ହେବା ଉଚିତ ବୋଲି କହିଛନ୍ତି ଚିରାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe