ଗାଜା: ନୂଆବର୍ଷ ୨୦୨୫ର ପ୍ରଥମ ଦିନରେ ଆତଙ୍କବାଦୀ ଗୋଷ୍ଠୀ ହମାସ୍ ଦକ୍ଷିଣ ଇସ୍ରାଏଲ ଉପରେ ଗାଜାରୁ ରକେଟ୍ ମାଡ଼ କରିଛି। ଗାଜା ଠାରୁ ପ୍ରାୟ ୧୦କିଲୋମିଟର ଦୂରରେ ଥିବା ନେଟିଭୋଟ ଏବଂ ଏହାର ଆଖପାଖ ଅଞ୍ଚଳରେ ରକେଟ୍ ମାଡ଼ ନେଇ ସତର୍କ ସୂଚନା ପାଇଁ ନୂଆବର୍ଷରେ ସାଇରନ୍ ବାଜି ଉଠିଥିଲା।
ହମାସ୍ କହିଛି ଆମେ ନେଟିଭୋଟକୁ ଟାର୍ଗେଟ କରିଛୁ। ଗତ ବର୍ଷ, ୨୦୨୪ ମସିହାରେ ନୂଆବର୍ଷ ଅବସରରେ ଆତଙ୍କବାଦୀ ଗୋଷ୍ଠୀ କେନ୍ଦ୍ରୀୟ ଇସ୍ରାଏଲ ଉପରେ ରକେଟ ମାଡ଼ କରିଥିଲା।
ଆଇଡିଏଫ୍ କହିଛି, କିଛି ସମୟ ପୂର୍ବରୁ ଦକ୍ଷିଣ ଇସ୍ରାଏଲର ନେଟିଭୋଟ ସହରରେ କେନ୍ଦ୍ରୀୟ ଗାଜା ଷ୍ଟ୍ରିପରୁ ଦୁଇଟି ରକେଟ ମାଡ଼ କରାଯାଇଛି। ଏହି ଆକ୍ରମଣରେ ହୋଇଥିବା ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିପାରି ନାହିଁ।
ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ବିବାଦ ଯୋଗୁ ୨୩ ଲକ୍ଷ ଲୋକ ବିସ୍ଥାପିତ କରିବା ସହିତ ଅନାହାରର ସଙ୍କଟ ସୃଷ୍ଟି କରିଛି। ମିଳିତ ଜାତିସଂଘ ମାନବିକ ସଂସ୍ଥା (ଓସିଏଚ) କହିଛି ଯେ, ଇସ୍ରାଏଲ୍ କର୍ତ୍ତୃପକ୍ଷ ଆଶ୍ରୟ ସାମଗ୍ରୀ ନେଇଥିବା ୧୬୦ ଟି ଟ୍ରକକୁ ୧ ରୁ ୨୬ ଡିସେମ୍ବର ୨୦୨୪ ମଧ୍ୟରେ ଗାଜା ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲା।
ସେଥିମଧ୍ୟରୁ ୧୩୬ ଟି ଟ୍ରକ୍ ଉତ୍ତର ଗାଜାରେ ପହଞ୍ଚିଥିଲା ଏବଂ ୨୪ଟି ଟ୍ରକ୍ କେନ୍ଦ୍ରୀୟ ଓ ଦକ୍ଷିଣ ଅଞ୍ଚଳରେ ପହଞ୍ଚିଥିଲା । ଏଜେନ୍ସି ଏହି ପରିମାଣକୁ ମିଥ୍ୟା ବୋଲି ବର୍ଣ୍ଣନା କରିଛି। କାରଣ ଇସ୍ରାଏଲର ଯୁଦ୍ଧରେ ଗାଜାର ୨ନିୟୁତ ଲୋକଙ୍କର ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।
ୟୁଏନଆରଡବ୍ଲୁଏ ଅଧିକାରୀ କହିଛନ୍ତି ଯେ, ମାନବିକ ଗୋଷ୍ଠୀ ସମସ୍ୟାରେ ଅଛନ୍ତି। ଏପରି ସ୍ଥିତିରେ ଗାଜା ଷ୍ଟ୍ରିପକୁ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦିଆଯାଉ ନାହିଁ। ତେଣୁ ଆମକୁ ଆଶ୍ରୟ ବଦଳରେ ଖାଦ୍ୟକୁ ପ୍ରାଧାନ୍ୟ ଦେବାକୁ ପଡିବ। ଓସିଏଚଏ ଦ୍ବାରା ପ୍ରକାଶିତ ପ୍ରାଥମିକ ଆକଳନରୁ ଜଣାପଡିଛି ଯେ, ଇସ୍ରାଏଲ୍ କର୍ତ୍ତୃପକ୍ଷ ୧ ରୁ ୨୨ ଡିସେମ୍ବର ମଧ୍ୟରେ ଗାଜାକୁ ପ୍ରତିଦିନ ପ୍ରାୟ ୮୩ ଟ୍ରକ୍ ମାନବିକ ସହାୟତା ପାଇଁ ଅନୁମତି ଦେଇଥିଲେ। ଯୁଦ୍ଧ ପୂର୍ବରୁ ପ୍ରତିଦିନ ହାରାହାରି ଇନ୍ଧନ ସମେତ ୫୦୦ ଟ୍ରକ୍ ସହାୟତା ପାଇଁ ଗାଜାକୁ ଅନୁମତି ଦିଆଯାଇଥିଲା।
ଅଧିକ ପଢ଼ନ୍ତୁ: ନୂଆବର୍ଷରେ, ଏହି ଦେଶର ଲୋକେ ଉତ୍ସବ ପାଳନ କରିବା ପରିବର୍ତ୍ତେ ନିରବ ପ୍ରଦର୍ଶନ କଲେ
୭ ଅକ୍ଟୋବର ୨୦୨୩ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ପ୍ରାୟ ୧୨୦୦ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୨୫୦ ଜଣଙ୍କୁ ବନ୍ଧକ ରଖାଯାଇଥିଲା। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହାର ପ୍ରତିଶୋଧ ନେଇ ଇସ୍ରାଏଲ୍ ଗାଜାରେ ସାମରିକ ଅପରେସନ୍ ଆରମ୍ଭ କରିଥିଲା, ଯେଉଁ କାରଣରୁ ପ୍ରାୟ ୪୨ ହଜାର ପାଲେଷ୍ଟାଇନ ବାସୀଙ୍କର ମୃତ୍ୟୁ ହୋଇଥିଲା।
ଅଧିକ ପଢ଼ନ୍ତୁ: ମସଜିଦ୍-ମନ୍ଦିର ବିବାଦ ନେଇ ଭାଗୱତଙ୍କ ମନ୍ତବ୍ୟକୁ ପଞ୍ଚଜନ୍ୟ ପକ୍ଷରୁ ସମର୍ଥନ