ପୁଅ ବଞ୍ଚିଛି ବୋଲି ୨ବର୍ଷ ହେଲା ଭାବି ବସିଥିଲେ ପରିବାର, ଆସିଲା ମୃତଦେହ

ବିପିନ ଜୋଶୀଙ୍କ ନେପାଳର ଏକ ଛୋଟ ସହରରୁ ହମାସ କବଳକୁ ଯିବାର ଯାତ୍ରା ସେପ୍ଟେମ୍ବର ୨୦୨୩ ରେ ଆରମ୍ଭ ହୋଇଥିଲା। ହେଲେ ୭ ଅକ୍ଟୋବର, ୨୦୨୩ରେ, ହମାସ ଦକ୍ଷିଣ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ପରେ ସବୁ ବଦଳିଗଲା।

Untitled-2

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ଯୋଜନା ଅନୁଯାୟୀ, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏବେ ଯୁଦ୍ଧ ବନ୍ଦ ହୋଇଛି। ଏହି ଯୁଦ୍ଧବିରତିର ଅଂଶ ସ୍ୱରୂପ, ହମାସ ଦ୍ୱାରା ବନ୍ଦୀ ଥିବା ୨୦ଜଣ ଜୀବିତ ବନ୍ଧକଙ୍କୁ ମୁକ୍ତ କରିଥିବ‌ା ବେଳେ ଇସ୍ରାଏଲ ୨୦୮୮ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିଛି। ଉଭୟ ପକ୍ଷରେ ଏବେ ଉତ୍ସବର ମାହୋଲ ରହିଛି। କିନ୍ତୁ ନେପାଳର ଏକ ପରିବାର ଆଜି ଛାତି ପିଟି କାନ୍ଦୁଛି। ଇସ୍ରାଲକୁ ପୁଅ ପାଠ ପଢ଼ିବାକୁ ଯିବାର ୨୫ଦିନ ପରେ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଏହା ପରେ ହମାସ କବଳକୁ ଚାଲିଯାଇଥିଲା ପୁଅ। ହେଲେ ୨ବର୍ଷ ପରେ ଯୁଦ୍ଧ ଶେଷ ହେବାର ଖବର ଆସିବାରୁ ନେପାଳରେ ମଧ୍ୟ ଖୁସିର ଲହରୀ ଖେଳିଯାଇଥିଲା। ୨ବର୍ଷ ପରେ ପୁଅ ଘରକୁ ଫେରିବ ବୋଲି ଭାବିଥିଲେ ପରିବାର। ହେଲେ ମୁକ୍ତ ୨୦ଜଣଙ୍କ ମଧ୍ୟରେ ପୁଅ ନଥିବା ଦେଖି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ପୁଅ ବଞ୍ଚିଥିବ ବୋଲି ଯେଉଁ ଆଶା ପରିବାର ଲୋକଙ୍କର ଥିଲା, ତାହା ଆଜି ମଉଳିଯାଇଛି।

ହମାସ ୨୦ଜଣ ଜୀବିତଙ୍କୁ ମୁକ୍ତ କରିବା ସହ ବନ୍ଦୀ ଥିବା ବେଳେ ମୃତ୍ୟୁବରଣ କରିଥିବା ବନ୍ଧକଙ୍କ ମୃତଦେହ ଇସ୍ରାଏଲକୁ ହସ୍ତାନ୍ତର କରିଛି। ଏଥିରେ ନେପାଳୀ ହିନ୍ଦୁ ଛାତ୍ର ବିପିନ ଜୋଶୀଙ୍କ ମୃତଦେହ ମଧ୍ୟ ଅନ୍ତର୍ଭୁକ୍ତ, ଯାହାଙ୍କୁ ୭୩୮ ଦିନ ପୂର୍ବରୁ ହମାସ ବନ୍ଧକ ରଖିଥିଲା। 

ଇସ୍ରାଏଲରେ ନେପାଳର ରାଷ୍ଟ୍ରଦୂତ ଧନ ପ୍ରସାଦ ପଣ୍ଡିତ, ନେପାଳୀ ଗଣମାଧ୍ୟମ ରିପବ୍ଲିକାକୁ ନିଶ୍ଚିତ କରିଛନ୍ତି ଯେ, "ସୋମବାର ବିଳମ୍ବିତ ରାତିରେ ବିପିନ ଜୋଶୀଙ୍କ ମୃତଦେହ ହମାସ ଦ୍ୱାରା ଇସ୍ରାଏଲୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ତେଲ ଅଭିଭକୁ ନିଆଯାଇଛି।"

ଇସ୍ରାଏଲୀ ସେନାର ମୁଖପାତ୍ର ଏଫି ଡେଫ୍ରିନ୍ ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ହମାସ; ଜୋଶୀଙ୍କ ସମେତ ୪ଜଣ ବନ୍ଧକଙ୍କ ମୃତଦେହ ଇସ୍ରାଏଲୀ ହେପାଜତକୁ ଫେରାଇ ଦେଇଛି। ବିପିନ ଜୋଶୀଙ୍କ ଅନ୍ତିମ ସଂସ୍କାର ନେପାଳୀ ଦୂତାବାସ ସହାୟତାରେ ଇସ୍ରାଏଲରେ କରାଯିବ ଏବଂ ତାଙ୍କ ଅସ୍ତି ନେପାଳ ପଠାଯିବ। ମୃତଦେହର ପରିଚୟ ନିଶ୍ଚିତ କରିବା ପାଇଁ ଡିଏନଏ ପରୀକ୍ଷା ମଧ୍ୟ କରାଯିବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଜୋଶୀଙ୍କ ନେପାଳର ଏକ ଛୋଟ ସହରରୁ ହମାସ କବଳକୁ ଯିବାର ଯାତ୍ରା ସେପ୍ଟେମ୍ବର ୨୦୨୩ ରେ ଆରମ୍ଭ ହୋଇଥିଲା। ବିପିନ ଗାଜା ସୀମା ନିକଟସ୍ଥ କିବୁଟଜ୍ ଆଲୁମିମରେ ଏକ କୃଷି ସମ୍ପର୍କିତ ଅଧ୍ୟୟନ କରିବା ପାଇଁ ୧୬ଜଣ ସହପାଠୀଙ୍କ ସହିତ ଯୋଗ ଦେଇଥିଲେ। ହେଲେ ଆଗାମୀ ୨୫ଦିନ ଭିତରେ ତାଙ୍କ ସହ କ’ଣ ଘଟିଯିବ ତାହା ସେ ଜାଣିନଥିଲେ। ୭ ଅକ୍ଟୋବର, ୨୦୨୩ରେ, ହମାସ ଦକ୍ଷିଣ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କଲା। ସାଇରନ୍ ବାଜିଲା, ଏବଂ ଛାତ୍ରଛାତ୍ରୀମାନେ ଏକ ଆଶ୍ରୟସ୍ଥଳରେ ଆଶ୍ରୟ ନେଲେ। କିଛି ସମୟ ପରେ ଗୁଳି ଏବଂ ବିସ୍ଫୋରଣ ଘଟିଲା। ହମାସ ଆତଙ୍କବାଦୀମାନେ ଆଶ୍ରୟସ୍ଥଳକୁ ଗ୍ରେନେଡ୍ ଫିଙ୍ଗିଲେ, ଯାହାଦ୍ବାରା ଅନେକଙ୍କ ଜୀବନ ଗଲା। କିନ୍ତୁ ଜୋଶୀ ଥିବା ଆଶ୍ରୟସ୍ଥଳ ଉପରେ ଆକ୍ରମଣ ହେବା ପରେ ସେ ସାହସ ପ୍ରଦର୍ଶନ କରି ଗ୍ରେନେଡ୍ ଧରି ବିସ୍ଫୋରଣ ହେବା ପୂର୍ବରୁ ଏହାକୁ ବାହାରକୁ ଫିଙ୍ଗି ଦେଇଥିଲେ। ଏହାଦ୍ବାରା ଅନେକଙ୍କ ଜୀବନ ବଞ୍ଚିଥିଲା। ହେଲେ ହମାସ ଆତଙ୍କୀମାନେ ତାଙ୍କୁ ବନ୍ଧକ ବନାଇଥିଲେ। ଏହା ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା।

ହେଲେ ତାଙ୍କ ବନ୍ଧୁ ଏବଂ ପରିବାର ତାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନର ଆଶାକୁ ଜାବୁଡି ଧରିଥିଲେ। ତାଙ୍କ ମାଆ ଏବଂ ଭଉଣୀ ବିପିନଙ୍କ ମୁକ୍ତି ପାଇଁ ନିବେଦନ କରିବାକୁ ଇସ୍ରାଏଲ ଏବଂ ଆମେରିକା ପର୍ଯ୍ୟନ୍ତ ଯାଇଥିଲେ। ବିପିନ ଜୀବିତ ଫେରିଆସିବେ ବୋଲି ଭାବି ସେମାନେ ଅନେକ ସଂଘର୍ଷ କରିଥିଲେ। ହେଲେ ଆଜି ତାଙ୍କ ମୃତଦେହ ସାମ୍ନାକୁ ଆସିବା ପରେ ପରିବାରର ଶେଷ ଆଶା ଧୂଳିସାତ୍ ହୋଇଯାଇଛି।

hamas | israel hamas war 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe