୨୫ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ୍‌: ଗାଜାରେ ଅଟକିଲା ଯୁଦ୍ଧ, ରାଫା ସୀମାଦେଇ ପହଞ୍ଚିଲା ରିଲିଫ୍‌

Advertisment
୨୫ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ୍‌: ଗାଜାରେ ଅଟକିଲା ଯୁଦ୍ଧ, ରାଫା ସୀମାଦେଇ ପହଞ୍ଚିଲା ରିଲିଫ୍‌

ଗାଜା: ଇସ୍ରାଏଲ-ହାମାସ୍‌ ଯୁଦ୍ଧରେ ପ୍ରଥମ ଥର ପାଇଁ ଅସ୍ତ୍ରବିରତି ଆଜି ସକାଳ ୭ଟାରୁ ଲାଗୁ ହୋଇଛି ଏବଂ ଏହା ଆଗାମୀ ୪ ଦିନ ପାଇଁ ଜାରି ରହିବ । ଯୁଦ୍ଧବିରତି ଚୁକ୍ତି ମୁତାବକ ହମାସ୍‌ ଆଜି ୨୫ ପଣବନ୍ଦୀଙ୍କୁ ଖଲାସ କରିଛି। ସେମାନଙ୍କ ମଧ୍ୟରେ ଇସ୍ରାଏଲର ୧୩ ଜଣ ଏବଂ ଥାଇଲାଣ୍ଡର ୧୨ ଜଣ ନାଗରିକ ରହିଛନ୍ତି। ପଣବନ୍ଦୀମାନଙ୍କୁ ହମାସ୍‌ ରେଡ୍‌କ୍ରସକୁ ହସ୍ତାନ୍ତର କରିବା ପରେ ସେମାନଙ୍କୁ ଗାଜା ଗେଟ୍‌ ନିକଟକୁ ଅଣାଯାଇଥିଲା। ସେଠାରୁ କଡ଼ା ସୁରକ୍ଷା ବଳୟ ଭିତରେ ହସ୍ତାନ୍ତର ପ୍ରକ୍ରିୟା ସଂପନ୍ନ ହୋଇଥିଲା। ଖଲାସ ହୋଇଥିବା ସମସ୍ତଙ୍କୁ ଟେଲ୍‌ ଅଭିଭ୍‌ର ଏକ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଅନ୍ୟପକ୍ଷରେ ଅସ୍ତ୍ରବିରତି ସମୟସୀମା ପରେ ପୁଣି ଯୁଦ୍ଧ ଜାରି ରହିବ ବୋଲି ଉଭୟ ପକ୍ଷ କହିଛନ୍ତି। ପ୍ରଥମ ଅସ୍ତ୍ରବିରତି ଲାଗୁ ହେବାପରେ ଇସ୍ରାଏଲ ଜେଲରୁ ମୁକ୍ତ ହୋଇଥିବା ପାଲେଷ୍ଟନୀୟମାନଙ୍କ ବଦଳରେ ହମାସ ବନ୍ଧକମାନଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ୭ ସପ୍ତାହ ଧରି ଚାଲିଥିବା ଇସ୍ରାଏଲ-ହାମାସ ଯୁଦ୍ଧରେ ପ୍ରଥମ ଥର ପାଇଁ ଅସ୍ତ୍ରବିରତି ହୋଇଥିବାରୁ ଏହାକୁ ବିଭିନ୍ନ ରାଷ୍ଟ୍ର ସ୍ବାଗତ କରିଛନ୍ତି। ଇଜିପ୍ଟର ରାଫା ସୀମା ଦେଇ ଆଜି ଶତାଧିକ ଟ୍ରକ୍‌ରେ ରିଲିଫ୍‌ ସାମଗ୍ରୀ ଗାଜା ପ୍ରବେଶ କରିଛି।

ଦୈନିକ ପ୍ରାୟ ଦେଢ଼ ଲକ୍ଷ ଲିଟର ଇନ୍ଧନ ଗାଜା ପଠାଯିବ ବୋଲି ଇଜିପ୍ଟ କହିଛି। ଅତ୍ୟାବଶ୍ୟକ ମେଡିକାଲ ଉପକରଣ ଓ ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେବା ଲୋକଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତି ଆଣିଛି। ସାତ ସପ୍ତାହର ଏହି ଯୁଦ୍ଧରେ ୪ ଦିନ ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ କତରର ପ୍ରସ୍ତାବ ଉପରେ ଉଭୟ ଇସ୍ରାଏଲ ଓ ହମାସ ସହମତ ହୋଇଥିବାରୁ ଆଗକୁ ମଧ୍ୟ ଶାନ୍ତି ପ୍ରକ୍ରିୟା ପାଇଁ ବାଟ ଫିଟିବ ବୋଲି ଜାତିସଂଘ ଆଶା ପ୍ରକାଶ କରିଛି। ଅସ୍ତ୍ରବିରତିର ୪ ଦିନ ସମୟସୀମା ମଧ୍ୟରେ ହମାସ୍‌ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨୫ ଜଣ ମହିଳା ଏବଂ ଶିଶୁଙ୍କୁ ମୁକ୍ତ କରିବ। ଏଥି ସହିତ ଇସ୍ରାଏଲ୍ ଏହାର ଜେଲରେ ବନ୍ଦୀ ଥିବା ୧୫୦ ପାଲେଷ୍ଟିନୀୟଙ୍କୁ ମୁକ୍ତ କରିବ। ଯୁଦ୍ଧବିରତି ପରେ ମଧ୍ୟ ଗାଜାକୁ ମାନବିକ ସହାୟତା ଯୋଗାଇବା ନେଇ ଇସ୍ରାଏଲ ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ ନୁହେଁ ବୋଲି ଆରବ ରାଷ୍ଟ୍ରମାନେ କହିଛନ୍ତି। ଇସ୍ରାଏଲ୍ ସରକାରଙ୍କ ରିପୋର୍ଟ ଅନୁଯାୟୀ ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାୟ ୧୨ ଶହ ଲୋକଙ୍କର ମୃତ୍ୟୁ ଘଟିଛି। ଏଥି ସହିତ, ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୧୩,୩୦୦ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିସହିତ ପ୍ରାୟ ୨୩ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe