Hamid Ansari Photograph: (sambad.in)
ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରିଙ୍କ ମହମୁଦ ଗଜନୀ ଏବଂ ଲୋଦି ରାଜବଂଶ ସମ୍ପର୍କରେ ଦେଇଥିବା ବୟାନ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଏକ ସାକ୍ଷାତକାରରେ, ପୂର୍ବତନ ଉପରାଷ୍ଟ୍ରପତି କହିଥିଲେ, ଲୋଦି ଓ ଗଜନୀ ଭାରତୀୟ ଲୁଟେରା ଥିଲେ ଏବଂ ବାହାରୁ ଆସି ନଥିଲେ। ସେମାନେ ବିଦେଶୀ ନଥିଲେ। ସେମାନଙ୍କୁ ବିଦେଶୀ କହିବା ରାଜନୈତିକ ଦୃଷ୍ଟିରୁ ସୁବିଧାଜନକ ହୋଇପାରେ, କିନ୍ତୁ ସେମାନେ ବିଦେଶୀ ନଥିଲେ। ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଉଠିଛି ବିଜେପି। ବିଜେପି କଂଗ୍ରେସ ଦଳକୁ ଟାର୍ଗେଟ୍ କରି କହିଛି, କଂଗ୍ରେସର ‘ଇକୋସିଷ୍ଟମ’ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରିଥିବା ଲୋକଙ୍କ ମହିମାମଣ୍ଡନ କରିଥାଏ।
ଶୁକ୍ରବାର, ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା ସୋସିଆଲ ମିଡିଆ ପ୍ଲାଟଫର୍ମ ''ଏକ୍ସ''ରେ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରିଙ୍କ ସହ ଏକ ସାକ୍ଷାତକାରର ଭିଡିଓ ପୋଷ୍ଟ କରି କହିଛନ୍ତି, ଏହା ଗୋଟିଏ ଘଟଣା ନୁହେଁ ବରଂ କଂଗ୍ରେସ ଇକୋସିଷ୍ଟମ ସେହି ଚିନ୍ତାଧାରା ଓ ଭାବନାର ଅଂଶ, ଯାହା "ହିନ୍ଦୁ ବିରୋଧୀ"ଙ୍କ ମହିମାମଣ୍ଡନ କରେ।
ସେ ଆହୁରି କହିଛନ୍ତି, "ବର୍ତ୍ତମାନ କଂଗ୍ରେସ ଇକୋସିଷ୍ଟମ ଏବଂ ହମିଦ ଅନସାରି ସେହି ମହମୁଦ ଗଜନୀଙ୍କ ମହିମାମଣ୍ଡନ କରୁଛନ୍ତି, ଯିଏ ଦିନେ ସୋମନାଥ ମନ୍ଦିରକୁ ଧ୍ଵଂସ ଓ ଅପବିତ୍ର କରିଥିଲେ। କେବଳ ଏତିକି ନୁହେଁ, ଏହି କଂଗ୍ରେସ ଇକୋସିଷ୍ଟମ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରିଥିବା ଔରଙ୍ଗଜେବଙ୍କ ଭଳି ଶାସକଙ୍କ ଅପରାଧକୁ ବି ଘୋଡ଼ାଇବାକୁ ଚେଷ୍ଟା କରେ।
ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବି ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଗୁରୁବାର ଆୟୋଜିକ ‘ବିଟିଂ ଦ ରିଟ୍ରିଟ୍’ ସମାରୋହରେ ଅନୁପସ୍ଥିତ ଥିଲେ। ଏଥିରୁ ଜଣାପଡ଼ୁଛି ତାଙ୍କ ପାଇଁ ''ସମ୍ଵିଧାନ ତନ୍ତ୍ର''ଠୁ ବଡ଼ ''ପରିବାର ତନ୍ତ୍ର'' ଏବଂ ସେନାଙ୍କ ଅପମାନ କରିବା ରାହୁଲ ଗାନ୍ଧୀଙ୍କ ସ୍ଵଭାବ।
Follow Us